Site icon Awaj Media

ବିପଦଜନକ ଅବସ୍ଥାରେ ବାଣପୁର କପିଳେଶ୍ଵର ସାହି ପୋଲ : ମରାମତି କେବେ ???

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଦୁଇ ନମ୍ବର ୱାର୍ଡ ସ୍ଥିତ କପିଳେଶ୍ଵର ସାହି ପୋଲଟି ବହୁଦିନ ହେବ ଭଙ୍ଗାଦଦରା ହୋଇ ପଡି ରହିଥିଲେ ମଧ୍ୟ ମରାମତି ହେଉନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରା ଯାଇଥିବା ବେଳେ ଏହି ପୋଲର ସ୍ଥାୟୀ ନିର୍ମାଣ ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ପାଟପୁର, ଗୋପାଳପୁର, କୋଟବିଦ୍ୟାଧର ପୁର ଗ୍ରାମବାସୀଙ୍କ ସମେତ ଘଣ୍ଟଶିଳା ହନୁମାନ ମନ୍ଦିର ଏବଂ ସତସଙ୍ଗ ବିହାରକୁ ଯାତାୟତରେ ଅସୁବିଧା ପାଇଁ ପ୍ରାୟ କୋଡିଏ ବର୍ଷ ପୂର୍ବେ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ବାରା ଶାଳିଆ କେନାଲ ଉପରେ ଏହି ପୋଲଟିକୁ ନିର୍ମାଣ କରାଯାଇଥିଲା । ବିଭିନ୍ନ ସମୟରେ ମରାମତି କରାଯାଉଥିଲେ ମଧ୍ୟ ପ୍ରାୟ ଏକ ମାସ ହେବ ପୋଲଟିର ମଝିରୁ ଏକ ବଡ ଖଣ୍ଡ ଭୁଶୁଡି ଯାଇଥିଲା । ଯାହା ଫଳରେ ଏହା ମଝିରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଗର୍ତ୍ତ ଯୋଗୁ ପୋଲଟି ଅତ୍ୟନ୍ତ ବିପଦ ସଙ୍କୁଳ ହୋଇ ପଡ଼ି ରହିବା ସହ ଯା ଆସ ପାଇଁ ଅନୁପଯୁକ୍ତ ହୋଇ ପଡିଛି । ଗ୍ରାମବାସୀଙ୍କ ଯାତାୟତରେ ଅସୁବିଧା ହେବାରୁ କେତେକ ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ଏହାର ଅସ୍ଥାୟୀ ମରାମତି କରାଯାଇଛି । ମାତ୍ର ଗ୍ରାମବାସୀ ମାନେ ଏହା ଉପରେ ଯା ଆସ କରିବାକୁ ସୁରକ୍ଷିତ ମଣୁ ନାହାନ୍ତି । ଏଣୁ ତୁରନ୍ତ ଏହି ପୋଲର ପୂର୍ଣ୍ଣନିର୍ମାଣ କରିବାକୁ ଅଞ୍ଚଳବାସି ଦାବି କରିଛନ୍ତି ।

Exit mobile version