Site icon Awaj Media

ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀଯୁକ୍ତ ପଣ୍ଡା ଡ଼ିସେମ୍ବର 2020 ମସିହାରୁ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ରହି ଅନେକ କାର୍ଯ୍ୟ କରି ଆସୁଥିଲେ । ବର୍ତ୍ତମାନ ସେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ରେଜିଷ୍ଟ୍ରାର୍ ଭାବରେ ଯୋଗ ଦେଇଛନ୍ତି । ଗତ ଛଅ ବର୍ଷ ମଧ୍ୟରେ ସେ ଗୁରୁତ୍ବପୂର୍ଣ୍ଣ ପଦବୀ ଯଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୋଷାଣୀ, ଉପଜିଲ୍ଲାପାଳ, ପାରଳାଖେମୁଣ୍ଡି ଓ ଅତିରିକ୍ତ ଜିଲ୍ଲାପାଳ ଭାବରେ କାର୍ଯ୍ୟରତ ଥିଲେ। ଜିଲ୍ଲାରେ ହୋଇଥିବା ତିତିଲି ଭଳି ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟ କେତେଗୁଡିଏ ବିପର୍ଯ୍ୟୟକୁ ମୁକାବିଲା କରିବା ସହ କରୋନା ଭଳି ମହାମାରୀକୁ ଗତ ପ୍ରାୟ ତିନିବର୍ଷ ହେଲା ସାମ୍ନା କରି ଜିଲ୍ଲାବାସୀଙ୍କର ଅମୂଲ୍ୟ ଜୀବନକୁ ବହୁମାତ୍ରାରେ ସୁରକ୍ଷିତ ରଖି ପାରିଥିଲେ । ଶ୍ରୀଯୁକ୍ତ ପଣ୍ଡା କୋଭିଡ଼ ହସ୍ପିଟାଲ୍ ର ଦାୟିତ୍ବରେ ରହି ବହୁ ଜୀବନ ବଞ୍ଚାଇବାରେ ତାଙ୍କର ଭୂମିକା ଗୁରୁତ୍ବ ଥିଲା । ନିର୍ଦ୍ଧିଷ୍ଟ ଭାବରେ ତିତିଲି ସମୟରେ ରିଲିଫ ସାମଗ୍ରୀ ବଣ୍ଟନ କରିବା, ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇବା, ଗୃହ ଭାଙ୍ଗିଥିବା ପରିବାରକୁ କ୍ଷତିପୂରଣ ଯୋଗାଇବା ଏଥିରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା । ସେ ଜଣେ ମିଷ୍ଟଭାଷୀ, ଭଲ ପ୍ରଶାସକ, ପରିଶ୍ରମୀ ଏବଂ ଜିଲ୍ଲାପାଳଙ୍କର ସହଯୋଗୀ ହିସାବରେ ଜିଲ୍ଲାରେ ଏବଂ ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ବେଶ ଜଣାଶୁଣା ଥିଲେ । ଏହି କାର୍ଯ୍ୟକ୍ରମରେ ଅବସର ନେଇଥିବା ସି.ଡ଼ି.ଭି.ଓ ଶ୍ରୀଯୁକ୍ତ ଗିରିଶ କୁମାର ମହାନ୍ତିଙ୍କୁ ମଧ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନ୍ୟପଟେ ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ବାତୀ ଏସ୍.କୁମାର, ଡ଼ି.ଏଫ୍.ଓ ଶ୍ରୀ ଏସ୍.ଆନନ୍ଦ, ଅତିରିକ୍ତ ଜିଲ୍ଲାପାଳ (ରେଭେନ୍ୟୁ) ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ଦାସ, ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ରୋମାଞ୍ଚଳ ଖମାରୀ ଏବଂ ଜିଲ୍ଲାର ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ପ୍ରତ୍ୟେକ ବ୍ଲକ୍ ର ଗୋଷ୍ଠୀ ଉନ୍ନନୟ ଅଧିକାରୀ ଏବଂ ତହସିଲଦାର ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version