Site icon Awaj Media

୫- ଟି ସଚିବ ଭି କେ ପାଣ୍ଡିଆନଙ୍କ ଦୁଇ ଦିନିଆ ଗଜପତି ଗସ୍ତ : ବିଜୁ ଏକ୍ସପ୍ରେସ ୱେ – ୨ର ନିର୍ମାଣ ତିନି ବର୍ଷରେ ସରିବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ୍ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି । ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ବିଜୁ ଏକ୍ସପ୍ରେସ ୱେ ର ନିର୍ମାଣ ସମ୍ପର୍କରେ ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ବିଜୁ ଏକ୍ସପ୍ରେସ ୱେ -୧ ର ନିର୍ମାଣ କାମ ସଫଳତାର ସହ ସମ୍ପୂର୍ଣ୍ଣ ହେବା ପରେ ରାଜ୍ୟ ସରକାର ଏବେ ବିଜୁ ଏକ୍ସପ୍ରେସ ୱେ-୨ ର କାମ ଆରମ୍ଭ କରିବାକୁ ଯାଉଛନ୍ତି । ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶ ଦୃଷ୍ଟିରୁ ଏହା ଖୁବ୍ ଗରୁତ୍ୱ ବହନ କରେ । ୩୦୫ କିଲୋମିଟର ଦୀର୍ଘ ଏହି ରାସ୍ତା ବ୍ରହ୍ମପୁର ସହରକୁ ଜୟପୁର ସହ ଯୋଡିବ ଏବଂ ଏହି ପ୍ରକଳ୍ପର ପାଇଁ ପ୍ରାୟ ୭୦୦୦ କୋଟି ଟଙ୍କା ବିନିଯୋଗ କରାଯିବ।ଏହା ସମ୍ପୂର୍ଣ୍ଣ ଭାବେ ଏକ ନୂଆ ପ୍ରକଳ୍ପ (Green Field Project) । ଏହା ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ- ଏହି ୪ଟି ଜିଲ୍ଲାର ୧୫ଟି ବ୍ଲକ ଦେଇ ନିର୍ମିତ ହେବ । ଗଞ୍ଜାମରେ ୪୩ କି.ମି., ଗଜପତିରେ ୪୭ କି.ମି., ରାୟଗଡାରେ ୧୫୮ କି.ମି. ଓ କୋରାପୁଟରେ ୫୭ କି.ମି. ରାସ୍ତା ତିଆରି କରାଯିବ। ଏହା ଦ୍ୱାରା ବ୍ରହ୍ମପୁରରୁ ଜୟପୁରକୁ ଗସ୍ତ ସମୟ ୮ ଘଣ୍ଟାରୁ ୫ ଘଣ୍ଟାକୁ କମିଯିବ । ବ୍ରହ୍ମପୁରରୁ ମୋହନା ମାତ୍ର ୪୫ ମିନିଟ୍‌ ଲାଗିବ ଏବଂ ରାୟଗଡାରୁ ମୋହନା ମାତ୍ର ଦେଢ ଘଣ୍ଟା ଲାଗିବ ଯାହାକି ବର୍ତ୍ତମାନ ପ୍ରାୟ ୪ ଘଣ୍ଟା ଲାଗୁଛି । ଏହି ସଡକରେ ରାଜ୍ୟରେ ପ୍ରଥମ ଥର ପାଇଁ ପାହାଡ ଖୋଳା ଯାଇ ରାସ୍ତା ନିର୍ମାଣ କରାଯିବ ଯାହାଦ୍ୱାରା କି ସଡକର ଦୈର୍ଘ୍ୟ ପ୍ରାୟ ୨୫ ରୁ ୩୦ କି.ମି. କମିଯିବ ଏବଂ ଯିବାଆସିବା ସମୟ ମଧ୍ୟ ୨ ଘଣ୍ଟା କମ ରହିବ । ଏହା ଦ୍ୱାରା ଦକ୍ଷିଣ ଓଡିଶାରେ ଏକ ନୂଆ ଇକୋନୋମିକ୍ କରିଡର ସୃଷ୍ଟି ହୋଇପାରିବ ଏହି କାମ ତିନି ବର୍ଷ ମଧ୍ୟରେ ଶେଷ ହେବ ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ।ଶ୍ରା ପାଣ୍ଡିଆନ୍ ଏହା ପରେ ଜିରାଙ୍ଗର ବୁଦ୍ଧ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ଜିରାଙ୍ଗ କଲେଜ୍‌ର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଜିରାଙ୍ଗ କଲେଜ୍‌ରେ ୬ ମାସ ମଧ୍ୟରେ ଡିସେମ୍ବର ସୁଦ୍ଧା ସ୍ମାର୍ଟ କ୍ଲାସ ଆରମ୍ଭ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ପିଲାମାନଙ୍କ ସହ ଆଲୋଚନା କରି ସେ ନିଜ କଲେଜ୍‌ର ଉନ୍ନତି ପାଇଁ କାମ କରିବାକୁ ପିଲାଙ୍କୁ ପରାମର୍ଶ ଦେଇଥିଲେ । ଭଲ ପାଠ ପଢି ଓଡିଶାର ବିକାଶରେ ଯୋଗଦାନ ରଖିବାକୁ କହିଥିଲେ ।ଏହା ସହିତ ସାଧାରଣ ଜନତାଙ୍କୁ ଭେଟି ସେମାନଙ୍କ ବିଭିନ୍ନ ସମସ୍ୟା ମଧ୍ୟ ଶୁଣିଥିଲେ । ଜିଲ୍ଲାସ୍ତରରେ ଯାହା ସମ୍ଭବ ତାକୁ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେବା ସହିତ ଅନ୍ୟ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ପଠାଇବାକୁ ପରାମର୍ଶ ଦେଇଥିଲେ ।

Exit mobile version