Site icon Awaj Media

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖରାଡ଼ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ପ୍ରଧାନ ଓ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍ କୁମାର ଯୋଗଦାନ କରି ଖରାଡ଼, କିଡିଗାମ୍, ହାଡ଼ଭାଙ୍ଗି ଓ କେ.ସୀତାପୁର ଗ୍ରାମ ପଞ୍ଚାୟତର ସମୁଦାୟ ମୋଟ ୬୫ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା – ୩୨ ଗୋଟି, ଗ୍ରାମ ଭିତ୍ତିକ ସମସ୍ୟା – ୩୩ ଗୋଟି ଅଭିଯୋଗକୁ ତୁରନ୍ତ ଫୈସଲା କରାଯାଇ ସମାଧାନ କରାଯାଇଛି । କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ପି.ରାମ ରାଓଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଦଶ ହଜାର ଟଙ୍କା ପ୍ରଦାନ କରାଯାଇଛି । ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା, ଜମି ପଟ୍ଟା, ଜଳ ସେଚନ, ଗୃହ ନିର୍ମାଣ, ରାସନ୍ କାର୍ଡ, ମନରେଗା, ଶିକ୍ଷା, ରାସ୍ତା ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା ! ସେଥି ମଧ୍ୟରୁ ୩୬ ଜଣ ହିତଧିକାରୀଙ୍କୁ ଜଙ୍ଗଳ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ଆଜିର ମିଳିତ ଜନ ଅଭିଯୋଗ ଶୁଣାଣିରେ ଆବେଦନର ତୁରନ୍ତ ଫଇସଲା କରିବା ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ଏବଂ ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସମୟରେ କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମ୍ମା, ସ୍ଥାନୀୟ ସରପଞ୍ଚ ଶ୍ରୀ ଅଖିଳ ପାତ୍ର, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କପିଳେଶ୍ୱର ତାଣ୍ଡି, ତହସିଲଦାର ଶ୍ରୀ ଆଶିଷ ପ୍ରଧାନ, ଜନ ଅଭିଯୋଗ ଶୁଣାଣି ନୋଡାଲ ଅଧିକାରୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ ।

Exit mobile version