ଭୁବନେଶ୍ବର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମାଟ୍ରିକ ଟପ୍ପରଙ୍କୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ବାଭିମାନ ଓ ତ୍ୟାଗ ମେଧାବୃତ୍ତି ସମ୍ମାନ ପ୍ରଦାନ କରାଯାଇଛି । ୨୦୨୩ ର ମାଟ୍ରିକ ଟପ୍ପର ଶ୍ରେୟସୀ ଜେନାଙ୍କୁ ଏହି ମେଧାବୃତ୍ତି ପ୍ରଦାନ କରାଯାଇଛି । ଶ୍ରେୟସୀଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ସିଙ୍ଗାପୁରରେ ରହୁଥିବା ଆନନ୍ଦପୁର ବ୍ଲକ ଫକୀରପୁର ନିବାସୀ ସତ୍ୟ ସୁତାରଙ୍କ ତରଫରୁ ଏହି ମେଧାବୃତ୍ତି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଯୋଗଦେଇ ସମାଜ ଗଠନରେ ଶିକ୍ଷାକୁ ଆଗେଇ ନେବାରେ ସତ୍ୟ ସୁତାରଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବିଶର୍ମା ଯୋଗଦେଇ ଶିକ୍ଷା ହିଁ ସମାଧାନ ଉପରେ ଆଲୋକପାତ କରିଥିଲେ । ସମ୍ମାନୀୟା ଅତିଥି ଭାବେ ସମାଜସେଵୀ ନମ୍ରତା ଚଡ୍ଡା କହିଥିଲେ ଯେ, ଶିକ୍ଷା ସମାଜ ଗଠନର ଏକ ମହତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ । ଶେଷରେ ସତ୍ୟ ସୁତାରଙ୍କ ଏଭଳି ପଦକ୍ଷେପ ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନଙ୍କୁ ଅନେକ ପ୍ରେରଣା ଦେବ ବୋଲି ଯୋଗ ଦେଇଥିବା ଅତିଥି ମାନେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଡ.ତ୍ରିଲୋଚନ ନାୟକ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଫକୀରପୁର ନିବାସୀ ସତ୍ୟ ସୁତାର ସିଙ୍ଗାପୁର ସ୍ଥିତ ଫୁଡ ଏମ୍ପାୟାର ହୋଲଡିଂ ଏଲଟିଡିର ରିଜିଓନାଲ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି । ଛାତ୍ରଛାତ୍ରୀଙ୍କୁ ଆଗକୁ ବଢିବାରେ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ସେ ରାଜ୍ୟର ମାଟ୍ରିକ ଟପ୍ପରଙ୍କୁ ଗତ ୩ ବର୍ଷ ଧରି ଏହି ମେଧାବୃତ୍ତି ପ୍ରଦାନ କରୁଛନ୍ତି ।
ମାଟ୍ରିକ ଟପ୍ପରଙ୍କୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ବାଭିମାନ ଓ ତ୍ୟାଗ ମେଧାବୃତ୍ତି-୨୦୨୩ ପ୍ରଦାନ !!!

