ନାଚୁଣୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମରଣକୁ ହାତ ଠାରି ଡାକୁଛି ନାଚୁଣୀ ନିକଟସ୍ଥ କଉଡ଼ିଖଣି ଛକ ! ଅଧାପନ୍ତରିଆ ଅବସ୍ଥାରେ ରାସ୍ତା କାମ ପଡ଼ିଥିବା ବେଳେ ଉକ୍ତ ଜାଗାରେ ବାରମ୍ବାର ଦୁର୍ଘଟଣା ମାନ ଘଟୁଛି । ଏହାକୁ ବିରୋଧ କରି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଖୋର୍ଦ୍ଧା ଜିଲ୍ଲା ସୁନାଖଳା ନାଚୁଣୀ ନୂତନ ପୋଲିସ ଥାନା ନିକଟସ୍ଥ କଉଡ଼ି ଖଣି ଛକ ଠାରେ ଆଜି ସନ୍ଧ୍ୟାରେ ଏକ ପଲ୍ସର୍ ବାଇକ୍ କୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇଥିଲା । ବାଇକ୍ ଚାଳକ ଗୁରୁତର ଅବସ୍ଥାରେ ଟାଙ୍ଗି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ଡାକ୍ତର ସେଠାରୁ ଭୁବନେଶ୍ଵର ପଠାଇ ଦେଇଥିବାର ସୂଚନା ମିଳିଛି । ଏଠାରେ ବାରମ୍ଵାର ଦୁର୍ଘଟଣା ଘଟି ଧନ ଜୀବନ କ୍ଷୟ କ୍ଷତି ହେଉଥିବାରୁ ସ୍ଥାନୀୟ ଜନସାଧାରଣ ଘୋର ବିରୋଧ କରିବା ସହିତ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଉକ୍ତ ଛକର ନିର୍ମାଣ କାର୍ଯ୍ୟ ତୁରନ୍ତ କରିବାକୁ ପଦକ୍ଷେପ ନେବାର ପ୍ରତିଶ୍ରୁତି ନ ପାଇବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ପ୍ରତ୍ୟାହୃତ ହେବ ନାହିଁ ବୋଲି ସମସ୍ତେ ଅଡି ବସିଛନ୍ତି । ଏହି ଦୁର୍ଘଟଣା ପ୍ରବଣ ସ୍ଥାନକୁ ସମସ୍ତ ମନ୍ତ୍ରୀଙ୍କ ଠାରୁ ଧରି ସରକାରୀ ଅଧିକାରୀ ମାନେ ଠିକ୍ ରୂପେ ଉପଲବ୍ଧି କରୁଥିଲେ ମଧ୍ୟ ଜନ ସାଧାରଣଙ୍କର ଅଭିଯୋଗ ଓ ଅନୁରୋଧକୁ ଅଗ୍ରାହ୍ୟ କରି ଚାଲିଛନ୍ତି । ସି ପି ଆରୋରl କମ୍ପାନୀ ମନମୁଖୀ କାର୍ଯ୍ୟ କରୁଥିବା ବେଳେ ସମସ୍ତ କର୍ତ୍ତୃପକ୍ଷ ଚୁପ୍ ରହିବା ଆଶ୍ଚର୍ଯ୍ୟ ଜନକ । ରାସ୍ତା ଅବରୋଧ ଫଳରେ ରାସ୍ତା ରେ ଶହ ଶହ ଗାଡି ଉଭୟ ପଟରେ ଠିଆ ହୋଇଥିଲା ।
ମରଣକୁ ହାତ ଠାରି ଡାକୁଛି ନାଚୁଣୀ ନିକଟସ୍ଥ କଉଡ଼ିଖଣି ଛକ : ଟାୟାର ଜାଳି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ !!!

