କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଡିଆଇଜିଙ୍କ ପତ୍ନୀ ଦେଲେ ନିର୍ଯାତନା । ଆତ୍ମହତ୍ୟା ଉଦ୍ୟମ କରି ୨ ଗୋଡ ହରାଇଲେ ମହିଳା ହୋମଗାର୍ଡ । ରାଜ୍ୟ ପୁଲିସ୍ର ଡିଆଇଜି ପାହ୍ୟାର ଜଣେ ଅଧିକାରୀଙ୍କ ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମହିଳା ହୋମଗାର୍ଡ ଅନୁଗୁଳ ଜିଲ୍ଲା ରାଣୀଗୋଡାର ସୈରିଦ୍ରୀ ସାହୁ ଏଭଳି ନିର୍ୟାତନାର ଶିକାର ହୋଇଛନ୍ତି । ଅଗଷ୍ଟ ୪ ତାରିଖରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ତଦନ୍ତ କିନ୍ତୁ ଆଗକୁ ବଢିନାହିଁ । ମହିଳା ହୋମଗାର୍ଡ ଜଣକ ଏ ସଂପର୍କରେ ଗତ ୧୩ ତାରିଖରେ ହୋମଗାର୍ଡ ଡିଜିଙ୍କୁ ଲିଖିତ ଭାବେ ଜଣାଇଛନ୍ତି । କିନ୍ତୁ ଏହି ଘଟଣାକୁ ଚାପି ଦେବା ପାଇଁ ଜୋରଦାର ଉଦ୍ୟମ ଚାଲିଥିବା ଅଭିଯୋଗ ହେଉଛି । ଏନେଇ ହୋମଗାର୍ଡ ଡିଜିଙ୍କୁ ଏକ ଚିଠି ଲେଖିଥିଲେ । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସେ ଅନୁଗୁଳ ଜିଲ୍ଲାରେ ଗଲା ୧୯ ବର୍ଷ ହେବ ସେ ଗୃହରକ୍ଷୀ ଭାବେ କାର୍ଯ୍ୟ କରି ଆସୁଛନ୍ତି । ସାତ ମାସ ତଳେ ଅନୁଗୁଳରେ ଯୋଗ ଦେଇଥିବା ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ଘରୋଇ କାମରେ ତାଙ୍କୁ ନିୟୋଜିତ କରାଯାଇଥିଲା । ସେ ଡିଆଇଜିଙ୍କର ଘରର ସମସ୍ତ କାମ କରନ୍ତି । କିନ୍ତୁ କୌଣସି କାମରେ ଟିକେ ଭୁଲ ହେଲେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ମାଡ଼ ମାରନ୍ତି ଏବଂ ଚାକିରି ନେଇଯିବାର ଧମକ ମଧ୍ୟ ଦିଅନ୍ତି । ୪ ତାରିଖରେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ଗଳା ଧକ୍କା ଦେଇ ଘରୁ ବାହାର କରି ଦେଇଥିଲେ। ଚାକିରି ନେଇଯିବାର ଧମକ ମଧ୍ୟ ଦେଇଥିଲେ । ଏଭଳି ନିର୍ଯାତନା ଓ ଚାକିରି ଚାଲିଯିବା ଭୟରେ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ସୈରିଦ୍ରୀ ଟ୍ରେନ ଲାଇନ୍ରେ ଶୋଇ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବି ବଂଚି ଯାଇଥିଲେ । କିନ୍ତୁ ସବୁ ଦିନ ପାଇଁ ସେ ତାଙ୍କ ଦୁଇ ଗୋଡ଼ ହରାଇଛନ୍ତି । ସେ ଏବେ କଟକର ଅଶ୍ବିନୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ତାଙ୍କୁ କ୍ଷତିପୂରଣ ଦେବା ସହିତ ତାଙ୍କ ପ୍ରତି ହୋଇଥିବା ନିର୍ଯାତନାର ତଦନ୍ତ କରିବାକୁ ସେ ଗତ ୧୩ ତାରିଖରେ ଉତ୍କଳ ଗୃହରକ୍ଷୀ ମହାସଂଘ, ହୋମଗାର୍ଡ ଡିଜି, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି ।
ଡିଆଇଜି ଙ୍କ ପତ୍ନୀଙ୍କ ନିର୍ଯାତନା ସହି ନପାରି ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ !!!

