Site icon Awaj Media

ଗଜପତିରେ ମିଶନ ଶକ୍ତି କାଫେ ଦ୍ବାରା ମହିଳା ମାନେ ହେବେ ସ୍ବାବଲମ୍ବୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମିଶନ ଶକ୍ତି ବିଭାଗର ସହାୟତା ଏବଂ ଜିଲ୍ଲା ପ୍ରଶାସନ ଗଜପତିର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗଜପତିର ବିଭିନ୍ନ ଜାଗାରେ ମିଶନ ଶକ୍ତି କାଫେ ତିଆରି କରାଯାଇ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସ୍ବାବଲମ୍ବୀ କରାଯାଇଛି । ପ୍ରତି ପଞ୍ଚାୟତ ସମିତିର ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ମିଶନ ଶକ୍ତି କାଫେ ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନ ଯୋଜନା କରିଥିବା ବେଳେ ଆଜି ସୁଦ୍ଧା ଜିଲ୍ଲାର ଚାରିଗୋଟି ଜାଗା ଯଥା ଗୋଷାଣି ଓ ରାୟଗଡ଼ ପଞ୍ଚାୟତ ସମିତିରେ ଗୋଟିଏ ଲେଖାଏଁ ପ୍ରସ୍ତୁତି ହୋଇଥିଲାବେଳେ ରା.ଉଦୟଗିରି ପଞ୍ଚାୟତ ସମିତିରେ ଦୁଇଗୋଟି ମିଶନ୍ ଶକ୍ତି କାଫେ ପ୍ରସ୍ତୁତି ହୋଇ ସ୍ବୟଂ ସହାୟକ ଗୋଷ୍ଠିର ମହିଳାମାନଙ୍କ ଦ୍ବାରା ପରିଚାଳନା କରାଯାଉଛି। ସେମାନଙ୍କ ମଧ୍ୟରେ ଗୋଷାଣୀ ପଞ୍ଚାୟତସମିତିର ଗୋଷାଣୀ ଗ୍ରାମରେ ମଝିଘରିଆଣି ସ୍ବୟଂ ସହାୟକ ଗୋଷ୍ଠି, ରା.ଉଦୟଗିରି ପଞ୍ଚାୟତସମିତିର ରା.ଉଦୟଗିରି ଗ୍ରାମରେ ପୂଜା ସ୍ବୟଂ ସହାୟକ ଗୋଷ୍ଠି, ଅବାରସିଂ ଗ୍ରାମରେ ମାଁ ବ୍ରାହ୍ମଣୀ ଦେବୀ ସ୍ବୟଂ ସହାୟକ ଗୋଷ୍ଠି ଏବଂ ରାୟଗଡ଼ ପଞ୍ଚାୟତସମିତିର କଇଁପୁର ଗ୍ରାମରେ ମାଁ ତାରିଣୀ ସ୍ବୟଂ ସହାୟକ ଗୋଷ୍ଠି ମିଶନ୍ ଶକ୍ତି କାଫେ ପରିଚାଳନା କରୁଛନ୍ତି। ଅନ୍ୟ ପାଞ୍ଚଗୋଟି ପଞ୍ଚାୟତସମିତିରେ କାଫେ ପ୍ରସ୍ତୁତ ପାଇଁ ଗୃହ ତିଆରି କାର୍ଯ୍ୟ ଚାଲୁଅଛି । ମିଶନ୍ ଶକ୍ତି କାଫେ ପ୍ରସ୍ତୁତି କରିବାର ଉଦ୍ଦେଶ୍ୟ ହେଉଛି ଯେ, ସ୍ବୟଂ ସହାୟକ ଗୋଷ୍ଠିର ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇବା ଏବଂ ବିଭିନ୍ନ ଅପହଞ୍ଚ ଅଞ୍ଚଳରେ କାଫେ ପ୍ରସ୍ତୁତ କରାଯାଇ ଲୋକମାନଙ୍କୁ ପ୍ରାତଃଭୋଜନ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ, ପାନୀୟ ଜଳ, ଚାହା ଓ କଫି ଯୋଗାଇବା। ଗଜପତିରେ ପ୍ରସ୍ତୁତି ହୋଇଥିବା କାଫେ ଗୁଡ଼ିକ ପାଇଁ ସ୍ଥାନୀୟ ପଞ୍ଚାୟତ ସମିତି ଗୃହ ଏବଂ ଆସବାବପତ୍ର ପାଇଁ ସହଯୋଗ କରିଥିବା ବେଳେ କାଫେ ଚଲାଇବା ପାଇଁ ପୁଞ୍ଜି ସ୍ଥାନୀୟ ବ୍ୟାଙ୍କ ଦ୍ବାରା ଯୋଗାଇ ଦିଆଯାଇଛି । ଅନ୍ୟପଟେ ମିଶନ ଶକ୍ତି କାଫେକୁ ଦୈନନ୍ଦିନ ପରିଚାଳନା ଦିଗରେ ଆବଶ୍ୟକ ପ୍ରଶିକ୍ଷଣ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଦ୍ବାରା ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ, ଭୂବନେଶ୍ବର ଠାରେ ଯୋଗାଇ ଦିଆଯାଇଛି । ଉପରୋକ୍ତ କାର୍ଯ୍ୟରେ ନିଯୁକ୍ତି ହୋଇ ସଂପୃକ୍ତ ସ୍ବୟଂ ସହାୟକ ଗୋଷ୍ଠିର ମହିଳାମାନେ ବେଶ୍ ଖୁସି ଥିବା ଜଣାପଡ଼ିଛି।

Exit mobile version