Site icon Awaj Media

ସରଳ ସିଂହ ଲେଭଲ୍ କ୍ରସିଙ୍ଗ୍ ମରାମତି : ଯାତାୟାତ ଠପ – ଯାତ୍ରୀ ହନ୍ତସନ୍ତ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପୂର୍ଵତଟ ରେଳପଥ ଖୋର୍ଦ୍ଧା ରୋଡ଼ ଡିଭିଜନର ଗଙ୍ଗାଧରପୁର ଓ ସୋଲରୀ ଷ୍ଟେସନ ମଧ୍ୟବର୍ତ୍ତୀ ସରଳ ସିଂହ ଲେଭଲ୍ କ୍ରସିଙ୍ଗ୍ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଯେଉଁଠି ରେଳ ଲାଇନ୍ ଦେଇ ଯାଇଛି ତତ୍କାଳୀନ ୫ ନମ୍ଵର ଜାତୀୟ ରାଜପଥ ଯାହା ଏବେ ୧୬ ନଂ ଜାତୀୟ ରାଜପଥ ବାଇପାସ୍ ଅଟେ ! ହରିକୁଣ୍ଡ ଵରଡିହ ଠାରୁ ଵଡକୁଳ ସଂଯୋଗ ରାସ୍ତା ରେ ପରିଣତ ହୋଇଥିଲେ ତାହାର ଗୁରୁତ୍ଵ ନ ହରାଇ ପ୍ରତ୍ୟହ ହଜାର ହଜାର ପଥଚାରୀ ବାଇକ୍, ୪ଚକିଆ, ଭାରି ଯାନ , ଲୋକାଲ୍ ବସ୍ ର ଏକାନ୍ତ ନିର୍ଭର ଯୋଗ୍ୟ ଅତିକ୍ରମ ରାସ୍ତା । ଏହି ରାସ୍ତା ଉପରେ ବାଲୁଗାଁ ସହର, ଚିଲିକା କୁ ବ୍ୟବସାୟ କରିବା ଉଦ୍ଦେଶ୍ୟରେ, ସରକାରୀ ବେସରକାରୀ କାର୍ଯ୍ୟାଳୟ କୁ ସେବା ଦେବାକୁ ଯାଉଥିବା କର୍ମଚାରୀ, ଚିଲିକାକୁ ପରିଦର୍ଶନ ପାଇଁ ଆସୁଥିବା ପର୍ଯ୍ୟଟକ, ବାଲୁଗାଁ, ବାଣପୁର,ଆଙ୍କୁଲାଚଟି ମହାବିଦ୍ୟାଳୟ ଏବଂ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ କୁ ଯାଉଥିବା ଛାତ୍ର ଛାତ୍ରୀ ମାନେ ନିର୍ଭର କରିଥାନ୍ତି । ମାତ୍ର ବିଭିନ୍ନ ସମୟରେ ପୂର୍ବ ସୂଚନା ନ ଦେଇ ରେଳ ବିଭାଗ ପକ୍ଷରୁ ଲେଭଲ କ୍ରସିଂ ମରାମତି କାମ ଦୁଇ ପାର୍ଶ୍ଵରୁ ଗେଟ୍ ପକାଇ କରାଯିବା ଫଳରେ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡୁଛି । ଅନ୍ୟପକ୍ଷରେ ରାଜ୍ୟ ସରକାର ଙ୍କ ରାସ୍ତା ଓ ନିର୍ମାଣ ବିଭାଗ ପକ୍ଷରୁ ରାସ୍ତା ପ୍ରଶସ୍ତିକରଣ କାମ ବର୍ଷ ବର୍ଷ ଧରି ଶେଷ ହୋଇ ନପାରିବା ଫଳରେ ବହୁ ରାସ୍ତା ଦୁର୍ଘଟଣା ଘଟିବା ସହ ପଥଚାରୀ ମାନେ ନାହିଁ ନ ଥିବା ହଇରାଣ ର ସମ୍ମୁଖୀନ ହେଉଛନ୍ତି । ସମ୍ପ୍ରତି ଲେଭଲ୍ କ୍ରସିଙ୍ଗ୍ ମରାମତି ଜନିତ ରାସ୍ତା ବନ୍ଦ କାରଣରୁ ୧୬ ନଂ ଜାତୀୟ ରାଜପଥ ରୁ ଉଭୟ ବାଲୁଗାଁ ଓ ଵଡକୁଳ ରୁ ଆସୁଥିବା ଯାନବାହାନ ଓ ପଥଚାରୀ ପୁଣି ପାଲଟା ଦୁଇଗୁଣା ରାସ୍ତା ଅତିକ୍ରମ କରି ବାଇପାସ୍ ରାସ୍ତା ଧରି ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ତୂରନ୍ତ ଏହି ପରିପ୍ରେକ୍ଷୀରେ ଜନସାଧାରଣ ଙ୍କୁ ବିକଳ୍ପ ବ୍ୟବସ୍ଥା ଯୋଗାଇ ଦେବାକୁ ଦାବୀ ହେଉଛି ।

Exit mobile version