Site icon Awaj Media

ଶୀତ ଋତୁର ଆଗମନରେ ଚିଲିକାରେ ବିଦେଶୀ ପକ୍ଷୀ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶୀତ ଋତୁର ଆଗମନରେ ନୀଳାମ୍ବୁ ଚିଲିକାକୁ ଆସିଲେଣି ବିଦେଶା ଗତ ପକ୍ଷୀ ! ଶନିବାର ସୁଦ୍ଧା ଚିଲିକାର ପକ୍ଷୀ ଅଭୟାରଣ୍ୟ ନଳବଣକୁ ୫୦ (ଇୟୁଜିଏନ ପ୍ରଜାତିର ୩୦ ଏବଂ ଗଡୱାଲ ୨୦) ବିଦେଶୀ ପକ୍ଷୀ ଆସିଥିବା ଡିଏଫ୍ଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି । ପ୍ରାୟ ୧୫ ରୁ ଉର୍ଦ୍ଧ ପ୍ରଜାତିର ପକ୍ଷୀ ସୋଭଲର, ନର୍ଦ୍ଧନ, ପିଣ୍ଟେଲ, ଗଡୱିଟ, କମନ କୁଟ ଆଦି ଚିଲିକାରେ ବୁଲୁଛନ୍ତି । ଚିଲିକାରେ ଅବତରଣ ପୂର୍ବରୁ ପକ୍ଷୀ ସମୂହ ନିରାପଦ ବାସସ୍ଥାନ ଏବଂ ଉପଯୁକ୍ତ ଖାଦ୍ୟ ଅନୁସନ୍ଧାନ କରି ଚିଲିକା ଜଳରାଶିରେ ପାଦ ଥାପିଥାନ୍ତି । ସପ୍ତାହେ ମଧ୍ୟରେ ଶତାଧିକ ପକ୍ଷୀ ଦୃଷ୍ଟିଗୋଚୋର ହେବା ସମ୍ଭାବନା ରହିଛି । ଚଳିତ ବର୍ଷ ଅକ୍ଟୋବର ପହିଲାରେ ପକ୍ଷୀଙ୍କ ଆଗମନ ହୋଇଥିବାରୁ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଡିଏଫ୍ଓ ଆଶା ପ୍ରକଟ କରିଛନ୍ତି । ଅସହ୍ୟ ଶୀତରୁ ରକ୍ଷା ପାଇବା ପାଇଁ ବରଫାବୃତ୍ତ ଅଞ୍ଚଳ ସାଇବେରିଆ , ଋଷିଆ, କାଜକସ୍ଥାନ, ଲଦାକ୍, ମାଙ୍ଗୋଲିଆ,ଆମେରିକା, କାନାଡାରୁ ଆଦି ରଙ୍ଗ ବେରଙ୍ଗର ପକ୍ଷୀ ମାନେ ଚିଲିକାକୁ ଆସିଥାନ୍ତି । ବର୍ଷାଦିନେ ଜନ୍ମ ନେଇଥିବା କୀଟପତଙ୍ଗ, ମାଛ ଓ ତୃଣଜାତୀୟ ଉଦ୍ଭିଦ ଆଦି ଏହି ପକ୍ଷୀଙ୍କ ମୁଖ୍ୟ ଆହାର ପାଲଟି ଥାଏ । ବିଶେଷ କରି ବର୍ତ୍ତମାନ ପକ୍ଷୀ ଅଭୟାରଣ୍ୟ ନଳବଣରେ ଜଳସ୍ତର ଅଧିକ ଥିବାରୁ ଚିଲିକା ତଟ ଅଞ୍ଚଳରେ ବହୁ ସଂଖ୍ୟାରେ ପକ୍ଷୀ ପଇଁତରା ମାରୁଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ପକ୍ଷୀଙ୍କ ସୁରକ୍ଷା ପାଇଁ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ପକ୍ଷୀଙ୍କ ସୁରକ୍ଷା ପାଇଁ ୨୦ ଟି କ୍ୟାମ୍ପ କରାଯାଇଛି । ଢ଼ାବା ଏବଂ ହୋଟେଲ ଗୁଡ଼ିକୁ ତଲାସିବା ପାଇଁ ଗୋଟିଏ ଭ୍ରାମ୍ୟମାଣ ସ୍କାଡ ନିୟୋଜିତ କରାଯାଇଛି । ଏହା ବ୍ୟତୀତ ବାଲୁଗାଁ ବନ୍ୟପ୍ରାଣୀ ବିଭାଗୀୟ ଅଧିନ ଟାଙ୍ଗୀ ରେଞ୍ଜରେ ସର୍ବାଧିକ ୧୧ ଟି କ୍ୟାମ୍ପ, ବାଲୁଗାଁ ରେଞ୍ଜ ଅଧିନ ନଳବଣରେ ୪ଟି, ସାତପଡ଼ାରେ ୨ଟି, ରମ୍ଭା ୨ ଟି ଓ ଚିଲିକାରେ ଗୋଟିଏ କ୍ୟାମ୍ପ ନିୟୋଜିତ ନିମନ୍ତେ ବ୍ୟବସ୍ଥା କରାଯାଇଛି । ଜଳ ପଥରେ ପ୍ରତ୍ୟେକ କ୍ୟାମ୍ପରେ ଗୋଟିଏ ଲେଖାଏ ଯନ୍ତ୍ରଚାଳିତ ବୋଟ୍ ସମେତ ଜଣେ ବନପାଳ କିମ୍ବା ବନରକ୍ଷୀ ଏବଂ ଚିଲିକା ତଟବର୍ତ୍ତୀ ଗ୍ରାମ ପକ୍ଷୀ ସୁରକ୍ଷା ମଞ୍ଚର ୩ଜଣ ଲେଖାଏଁ ସଦସ୍ୟ ସାମିଲ ହୋଇଛନ୍ତି । ଚିଲିକା ତଟବର୍ତ୍ତୀ ଗ୍ରାମ ଗୁଡିକରେ ପକ୍ଷୀ ସୁରକ୍ଷା ସମ୍ପର୍କିତ ସଚେତନମୂଳକ କାର୍ଯ୍ୟକ୍ରମ କରାଯିବ।।

Exit mobile version