ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଦୀର୍ଘଦିନ ହେବ ବିଭିନ୍ନ ଦାବୀ ସହ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ସରପଞ୍ଚ ଓ ସମିତି ସଭ୍ୟ । ରାଜ୍ୟ ସରକାର ଉଭୟଙ୍କ କ୍ଷମତାକୁ ବ୍ୟାପକ ଭାବେ ହ୍ରାସ କରିଛନ୍ତି। ପଞ୍ଚାୟତର ପ୍ରତ୍ୟେକ ଉନ୍ନୟନ ମୂଳକ କାମ ପାଇଁ 5T ସଚିବ, କଲେକ୍ଟର,ଏସପି କିମ୍ବା ବିଡିଓଙ୍କ କ୍ଷମତାର ବ୍ୟବହାର କରାଯାଉଛି। ଉପଯୁକ୍ତ ଦରମା ଓ ଅନ୍ୟାନ୍ୟ ସୁବିଧା ତ ମିଳିବା ଦୂରର କଥା ବ୍ଲକରେ ଥିବା ବିଡିଓ ଏବଂ ସରକାରୀ ବ୍ୟବସ୍ଥା ସେମାନଙ୍କ ଅଧିକାର ଓ କ୍ଷମତାରେ ବାଧା ସୃଷ୍ଟି କରୁଛନ୍ତି ବୋଲି ସରପଞ୍ଚ ଓ ସମିତିସଭ୍ୟ ପ୍ରତିନିଧି ମାନେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକଙ୍କ ନିକଟରେ ଅଭିଯୋଗ କରିଥିଲେ। ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ ଆନ୍ଦୋଳନ ଜାରି ରଖିଥିବା ଆନ୍ଦୋଳନକାରୀ ମାନଙ୍କୁ ଭେଟି ସେମାନଙ୍କ ଦାବୀ ଶୁଣି ଆଲୋଚନା କରିବା ସହ ଆଶ୍ୱାସନା ଦେଇ କହିଛନ୍ତି କି, ” ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାକୁ” ରାଜ୍ଯ ସରକାର ଅଣଦେଖା କରୁଛନ୍ତି । ବିଜେଡି ସରକାରଙ୍କର ସମ୍ବିଧାନ କିମ୍ବା ବିଧାନସଭା ପ୍ରତି ସମ୍ମାନ ନାହିଁ କି ପଞ୍ଚାୟତ ପ୍ରତି ସମ୍ମାନ ନାହିଁ । ରାଜ୍ୟରେ ଥିବା ବିଜେଡି ସରକାର ଭାବୁଛନ୍ତି କିଛି ସରକାରୀ ଅଫିସରଙ୍କୁ ନେଇ ସେ ସରକାର ଚଳାଇ ଦେବେ। 5T ସଚିବ, କଲେକ୍ଟର,ଏସପି କିମ୍ବା ବିଡିଓ ଏହିମାନଙ୍କୁ ନେଇ ଶାସନ ଚଳାଇବେ ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫର୍ମୁଲା। ଏହି ସରକାରଙ୍କ ସମସ୍ତ ନୀତି ସମ୍ବିଧାନ ବିରୋଧି । କଂଗ୍ରେସ ଶାସନ ସମୟରେ ୭୩ତମ ସମ୍ବିଧାନ ସଂଶୋଧନ କରାଯାଇ ସାରା ଦେଶରେ ପଞ୍ଚାୟତ ଅନୁଷ୍ଠାନମାନଙ୍କୁ ସ୍ୱୟଂଶାସିତ ଅନୁଷ୍ଠାନ ରୂପେ କାର୍ଯ୍ୟ କରିବା ପାଇଁ ଯଥେଷ୍ଟ କ୍ଷମତା ଓ ଦାୟିତ୍ୱ ମିଳିପାରିଲା ।ଅର୍ଥ ବା ପାଣ୍ଠି , କାର୍ଯ୍ୟ ଏବଂ କର୍ମକର୍ତ୍ତା (Funds, Functions and Functionaries) ମାଧ୍ୟମରେ କ୍ଷମତାକୁ ବିକେନ୍ଦ୍ରୀକରଣ କରାଯାଇଥିଲା । ହେଲେ ଦୀର୍ଘ ଦିନର ବିଜେଡି ସରକାରରେ କ୍ଷମତା ବିକେନ୍ଦ୍ରୀକରଣ (decentralization) ହେବା ବଦଳରେ କ୍ଷମତା କେନ୍ଦ୍ରୀକରଣ(centralized) ହେବାକୁ ଯାଉଛି। ନିର୍ବାଚିତ ପ୍ରତିନିଧି ମାନଙ୍କର ଗୁରୁତ୍ଵ ରହୁନାହିଁ। ସରକାରୀ ଅଫିସର କେବଳ ଯେ ସରକାରଙ୍କୁ ନିୟନ୍ତ୍ରିତ କରୁଛନ୍ତି ତାହା ନୁହେଁ ସେମାନେ ରାଜନୈତିକ ଦଳକୁ ବି ମଧ୍ୟ ନିୟନ୍ତ୍ରଣ କଲେଣି। ଏହା ଗଣତନ୍ତ୍ର ପାଇଁ ଘୋର ବିପଦ। ଓଡିଶାରେ ଏକ ବିଷମ ବ୍ୟବସ୍ଥା ଚାଳିଛି ଏହି ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ହେବ।
ସରପଞ୍ଚ ଓ ସମିତିସଭ୍ୟଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ !!!

