ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ପୃଥିବୀର ବିଭିନ୍ନ ଦେଶର ଜନଜାତିର ସାଂସ୍କୃତିକ ଜାଗରଣ ସହ ସଂସ୍କୃତିଗତ ଭାବ ବିନ୍ୟାସର ପ୍ରତିଷ୍ଠା ନିମନ୍ତେ ବିଭିନ୍ନ ଦେଶରେ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ମୋ ଗାଆଁ ମୋ ପ୍ରତିଭା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି । ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମ ଆନ୍ତର୍ଜାତିକ ଗ୍ରାମୀଣ ପ୍ରତିଭା ଅନ୍ଵେଷଣ ଅଭିଯାନ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ମୟୁରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ ପାଣିଜିଆ ଗ୍ରାମରେ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲ୍ଲା ସଂଯୋଜିକା ଶ୍ରୀମତୀ ସୀତାମଣି ଦାସଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଚାଙ୍ଗୁ, ସଙ୍କୀର୍ତ୍ତନ, ଖଞ୍ଜଣି ଆଦି ଅନେକ ପ୍ରକାରର ବାଦ୍ୟ, ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଉଚ୍ଚକୋଟିର ସାଂସ୍କୃତିକ ଶୋଭାଯାତ୍ରା ସହ ନଗର ଭ୍ରମଣ କରାଯାଇଥିଲା । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟର ସମାବର୍ତ୍ତନ ସମାରୋହ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟାପକ ଚିନ୍ମୟ ଦାଶ ଯୋଗଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ସମାଜସେବୀ ସଚିନ କୁମାର ଦାସ, ଭଗବାନ ନାଏକ, ସମାଜସେବୀ ଶୁକଦେବ ନାଏକ, ଶ୍ରୀକାନ୍ତ ମୁଣ୍ଡା ଲୋହାର ଆଦି ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ଶତାଧିକ ପ୍ରତିଭା ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ମୀନକେତନ ନାଏକ, ବିଜୟ କୁମାର୍ ନାଏକ, ପ୍ରତାପ ଚନ୍ଦ୍ର ନାଏକ, ପରେଶ୍ ଚନ୍ଦ୍ର ନାଏକ, ଚୈତନ୍ୟ ନାଏକ, ସରୋଜ କୁମାର ନାଏକ ଆଦି ସହଯୋଗ କରିଥିଲେ ।
ପାଣିଜିଆରେ ଚିନ୍ମୟ ଫାଉଣ୍ଡେସନର ମୋ ଗାଆଁ ମୋ ପ୍ରତିଭା କାର୍ଯ୍ୟକ୍ରମ !!!

