Site icon Awaj Media

ଦୁର୍ଗାମାଧବ ଉପାସନାର ପ୍ରତୀକ : ବାଣପୁର ର ଭଗବତୀ ପୀଠ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶ୍ରୀକ୍ଷେତ୍ରରେ ଦାରୁବ୍ରହ୍ମ ଲୀଳା କ୍ଷେତ୍ର ବାଣପୁରରେ ଦାରୁ ଦେବୀ ମା ଭଗବତୀ ! ଦାରୁ ଦେବତା ଜଗନ୍ନାଥ ଯେପରି ସମସ୍ତଙ୍କ ପ୍ରିୟ ଦେବତା ଭାବରେ ପୂଜିତ ସେହିପରି ଲୀଳାକ୍ଷେତ୍ର ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀ ଦେବୀଙ୍କ ଚଳନ୍ତି ପ୍ରତିମା ଦାରୁ ଦେବୀ ପରମେଶ୍ବରୀ କାଠି ଠାକୁରାଣୀ ମଧ୍ୟ ଆର୍ଯ୍ୟା ବନବାସୀ ମାନଙ୍କ ମିଳିତ ସଙ୍କୃତିକ ପ୍ରତୀକ ଭାବରେ ପୂଜ୍ୟ ! ଶାରଦୀୟ ପର୍ବର ପ୍ରଥମ ଆଠଦିନ ଅର୍ଥାତ ଆଶ୍ୱିନ ମୂଳାଷ୍ଟମୀ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟାରେ ଭକ୍ତ ମାନଙ୍କ ଗ୍ରହଣରେ ମା’ ବନଦୁର୍ଗା ବେଶରେ ଉଦଣ୍ଡ ନୃତ୍ୟକରି ପ୍ରବେଶ ଗୃହ କୁ ଯାତ୍ରା କରିବା ଯେତିକି ଆମୋଦଦାୟକ ସେତିକି ରୋମାଞ୍ଚକର । ଶ୍ରୀ ଜଗନ୍ନାଥ ଦାରୁ ଦେବତା ଯେପରି ଭକ୍ତଙ୍କ ଗ୍ରହଣରେ ଠେଲା ପେଲା ଖାଇ ନାଚି ନାଚି ଝୁଲି ଝୁଲି ଶ୍ରୀ ଗୁଣ୍ଡିଚା ମଣ୍ଡପକୁ ନଅଦିନ ବ୍ୟାପୀ ଯାତ୍ରା କରନ୍ତି ! ସେହିପରି ମା’ ଭଗବତୀ ଭକ୍ତଙ୍କ ଗ୍ରହଣରେ ପର୍ବ ମଣ୍ଡପକୁ ବର୍ଷରେ ଥରେ ଷୋଡଶ ଦିନାତ୍ମକ ଯାତ୍ରା କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାଆନ୍ତି। ଶ୍ରୀ କ୍ଷେତ୍ରର ଗୁଣ୍ଡିଚା ମଣ୍ଡପ ପ୍ରଭୁଙ୍କ ଜନ୍ମବେଦୀ ଭାବରେ ପରିଚିତ କାରଣ ପ୍ରଭୁ ଚତୁର୍ଦ୍ଧା ରୂପରେ ସେଠାରେ ହିଁ ଆବିର୍ଭାବ ହୋଇଥିଲେ । ସେହି ପରି ମା’ ଭଗବତୀ ଙ୍କ ଜନ୍ମବେଦୀ ଯେଉଁ ଠାରେ ପର୍ବଗୃହ ରହିଛି. ଭିତର ପର୍ବଗୃହ ଭାବରେ ପରିଚିତ। ଏଠାରେ ମା” ସାତଦିନଧରି ପର୍ବ ପାଳନ କରନ୍ତି । ଏହିପରି ଅନେକ ସାମଞ୍ଜସ୍ୟ ପରିଲକ୍ଷିତ ହେଉଥିବାରୁ ଶ୍ରୀ ଜଗନ୍ନାଥ ମହାବିଷ୍ଣୁ ରୂପରେ ପୂଜିତ ହେଉଥିବା ବେଳେ ଶକ୍ତିମୟୀ ମା’ ଭଗବତୀ ସୁଭଦ୍ରା ଭବରେ ଶ୍ରୀ କ୍ଷେତରେ ପୂଜା ପାଉଛନ୍ତି। ଶ୍ରୀ ବଳଭଦ୍ର ମହାଶିବ ଭାବରେ ପାଖରେ ଅଛନ୍ତି। ସାଧାରଣ ବିଶ୍ୱାସ ଅଛି ମା’ ଙ୍କ ମନ୍ଦିରରେ ଆମିଷ ଭୋଗ ପୂଜା ହୁଏ । ତେଣୁ ମା’ ବୈଷ୍ଣବୀ ନୁହନ୍ତି।ପ୍ରଚଳିତ ନୀତିକାନ୍ତିରେ ପ୍ରତ୍ୟୁଷରୁ ମା’ ଙ୍କ ଅଙ୍ଗରାଗ ମାଜଣା ପରେ ପ୍ରଥମ ବେଶ ପରେ ମହାପ୍ରସାଦ ଲାଗି କରାଯିବାର ପ୍ରାଚୀନ ପରମ୍ପରା ରୁ ଜଣାଯାଏ। ପୁଣି ମା’ ଙ୍କ ନିକଟରେ ଶଙ୍କୁଡ଼ି ଧୂପରେ କେବଳ ଖେଚୁଡ଼ି ଡାଲି ଧୂପ ହୁଏ । କିନ୍ତୁ ଆମିଷାଦି ମିଶ୍ରିତ ବ୍ୟଞ୍ଜନ ମା’ ଙ୍କ ନିକଟରେ ଧୂପ ହୁଏ ନାହିଁ। ତାହା ଅନ୍ୟାନ ଦେବୀଙ୍କୁ ବିନା ଘଣ୍ଟକାହାଳୀ ରେ ପୂଜା କରାଯାଏ। ମା’ ଙ୍କ ମଙ୍ଗଳାର୍ପଣରେ ଯେଉଁ ନୈବେଦ୍ୟ ପ୍ରଥମେ ଲାଗିହୁଏ ତାହାକୁ ବଲ୍ଲଭ କୁହା ଯାଉଥିବାବେଳେ ଜଗନ୍ନାଥ ନିକଟରେ ପ୍ରଥମ ଲାଗି ନୈବେଦ୍ୟ କୁ ଗୋପାଳବଲ୍ଲଭ କୁହାଯାଏ। ଓଡ଼ିଶାର ଦେବିପୀଠ ଗୁଡ଼ିକ ମଧ୍ୟରେ ପ୍ରଚଳିତ ନୀତିକାନ୍ତି ଠାରୁ ଏହି ପୀଠ ର ନୀତିକାନ୍ତି ସମ୍ପୂର୍ଣ୍ଣ ନିଆରା। ଏହିପରି ନୀତିକାନ୍ତିରେ ଅନେକ ସମନ୍ୱୟ ରହିଥିବାରୁ ଗବେଷକ ମାନେ ଉଭୟ ବିଗ୍ରହଙ୍କୁ ଦୁର୍ଗାମାଧବ ଉପାସନାର ପ୍ରତୀକ ଭାବରେ ବିବେଚନା କରିଛନ୍ତି। ବର୍ତମାନ ପର୍ବ ଗୃହରେ ଷୋଳପୂଜା, ପ୍ରତ୍ୟହ ଦ୍ବାରଫିଠା, ଅବକାଶ ଅଙ୍ଗରାଗ ମାଜଣା, ବେଶ, ମହା ପ୍ରସାଦ ଅର୍ପଣ, ମଙ୍ଗଳ ଆଳତୀ, ବଲ୍ଲଭ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଚଣ୍ଡିପାଠ ହୋମ ଇତ୍ୟାଦି ଷୋଡ଼ଶ ଉପଚାରରେ ଶଙ୍ଖୁଡ଼ି ଧୂପ ପରେ ଦିବା ପହଡ ହୋଇ ସନ୍ଧ୍ୟା ଆଳତି ପରେ ବଳିଜେନା ସେବା, ରାତ୍ରିଧୂପ, ଧୂପ ଓ ବଡସିଂହାର ପରି ନୀତିକାନ୍ତିରେ ଚାଲିଛି ମା’ ଙ୍କ ଶାରଦୀୟ ପର୍ବ। ମା’ ଙ୍କୁ ପର୍ବ ଗୃହରେ ଦର୍ଶନ ନିମନ୍ତେ ଅଗଣିତ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମୁଛି ।।

Exit mobile version