ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ପାଇଁ ପ୍ରସ୍ତୁତି କମିଟି ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ପାଇଁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ,ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଗଜପତି, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଅଧିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଫାଲଗୁନୀ ମାଝୀ ଓ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ସଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ଯୋଗଦେଇ ଚଳିତ ନିଯୁକ୍ତି ମେଳାର ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଚଳିତ ନଭେମ୍ବର ମାସ ୨୩ ତାରିଖରେ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ମହାବିଦ୍ୟାଳୟ ଷ୍ଟାଡିୟମ୍ ଠାରେ କାଶୀନଗର, ଗୁମ୍ମା, ଗୋସାଣୀ ଓ ରାୟଗଡ଼ା ବ୍ଲକର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ମେଳା ଅନୁଷ୍ଠିତ ହେବ ! ୨୪ ତାରିଖରେ ନୂଆଗଡ ବ୍ଲକ ଅନଙ୍ଗୁର ପଡ଼ିଆ ଠାରେ ନୂଆଗଡ, ଆର.ଉଦୟଗିରି ଓ ମୋହନା ବ୍ଲକର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଏହି ମେଳାରେ ଜିଲ୍ଲାର ୭ଟି ବ୍ଲକର ୧୫ ଶହରୁ ଊର୍ଦ୍ଧ୍ବ ଯୁବକ ଯୁବତୀମାନଙ୍କୁ ବିଭିନ୍ନ ବେସରକାରୀ ସଂସ୍ଥାରେ ନିଯୁକ୍ତି ଭିତିକ ପ୍ରଶିକ୍ଷଣ ତଥା ନିଯୁକ୍ତି ଦେବା ନିମନ୍ତେ ଚୟନ କରାଯିବ। ନିଯୁକ୍ତି ମେଳାରେ ବିଭିନ୍ନ ବେସରକାରୀ ନିଯୁକ୍ତିଦାତା ସଂସ୍ଥା ଏବଂ ନିଯୁକ୍ତି ଭିତିକ ପ୍ରଶିକ୍ଷଣ ସଂସ୍ଥା ଯୋଗଦେବେ। ନିଯୁକ୍ତି ମେଳାରେ ୧୮ରୁ ୩୫ବର୍ଷ ବୟସର ଓ ସପ୍ତମ ଶ୍ରେଣୀ ଠାରୁ ସ୍ନାତକ ଡିଗ୍ରୀଧାରୀ ପର୍ଯ୍ୟନ୍ତ ଏବଂ ଡିପ୍ଲୋମା ଧାରୀ ଯୁବକ ଯୁବତୀମାନେ ବହୁଳ ଭାବରେ ନିଯୁକ୍ତି ମେଳାରେ ଯୋଗଦେବେ। ପ୍ରତ୍ୟେକ ବ୍ଲକରେ ଯେପରି ଦୁର୍ଗମ ଅଞ୍ଚଳର ଯୁବକ ଯୁବତୀମାନେ ଯେପରି ନିଯୁକ୍ତି ମେଳାରେ ଯୋଗଦେବେ ସେଥିପାଇଁ ଗ୍ରାମ ପଞ୍ଚାୟତ ସରପଞ୍ଚ, ୱାର୍ଡମେମ୍ବର ମାନଙ୍କ ଜରିଆରେ ତଥା ପଞ୍ଚାୟତ ସ୍ତରରେ ସଚେତନତା କରାଯିବ। ପ୍ରତ୍ୟେକ ବ୍ଲକର ସଦର ମହକୁମାରେ ବ୍ୟାନର ପୋଷ୍ଟର ମରାଯାଇ ପ୍ରଚାର ଓ ପ୍ରସାର କରାଯିବ । ଜିଲ୍ଳାର ସମସ୍ତ ଯୁବକ ଯୁବତୀମାନଙ୍କୁ କର୍ମ ସଂସ୍ଥାନ ପାଇଁ ନିଯୁକ୍ତି ମେଳାରେ ଯୋଗଦେବା ନିମନ୍ତେ ଜିଲ୍ଲାପାଳ ଅହାନ କରିଛନ୍ତି। ଉକ୍ତ ନିଯୁକ୍ତି ମେଳାରେ ୨୫ ରୁ ଅଧିକ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନକାରୀ ଅଂଶଗ୍ରହଣ କରିବାର କାର୍ଯକ୍ରମ ରହିଛି। ଏଣୁ ସମସ୍ତ ନିଯୁକ୍ତି ଆଶାୟୀ ଯୁବକ ଯୁବତୀମାନେ ଯୋଗଦନ କରିବାପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଉଅଛି।ନିଯୁକ୍ତି ମେଳାରେ ସୂଚାରୁ ରୂପେ ପାନୀୟ ଜଳ ଯୋଗାଣ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ନିଯୁକ୍ତି ମେଳା ପଡିଆ ସଫେଇ ଆଦି କାର୍ଯ୍ୟ ସମ୍ପାଦନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପନିର୍ଦ୍ଦେଶକ ଉଦ୍ୟାନ ଶ୍ରୀ ସୁଶାନ୍ତ ରଞ୍ଜନ ଦାସ, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ସୁନାରାମ ସିଂ , ଅଗ୍ନିଶମ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *