Site icon Awaj Media

କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ପାଳନ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଗଣମାଧ୍ୟମ ଏବେ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଛି , ଉତ୍କଳ ସାମ୍ବାଦିକ ସଂଘ, କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ ପରିସରରେ ଆୟୋଜିତ ଜାତୀୟ ପ୍ରେସ୍‌ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ସାମ୍ବାଦିକ ଦିଲ୍ଲିପ ବିଶୋୟୀ ଗଣମାଧ୍ୟମ‌ର ସ୍ବାଧୀନତା ଏବଂ ଗଣମାଧ୍ୟମ ସାମ୍ନା କରୁଥିବା ବିଭିନ୍ନ ଆହ୍ବାନ ସମ୍ପର୍କରେ ଆଲୋଚନା କରିଥିଲେ। ଜନସାଧାରଣଙ୍କ ସ୍ବାର୍ଥକୁ ପ୍ରୋତ୍ସାହିତ କରିବା ଏବଂ ସାମ୍ବାଦିକତାର ଉଚ୍ଚ ମୂଲ୍ୟବୋଧକୁ ବଜାୟ ରଖିବା ଗଣମାଧ୍ୟମର ପ୍ରମୁଖ ଦାୟିତ୍ବ ବୋଲି ମୁଖ୍ୟବକ୍ତା ଶ୍ରୀ ବିଶୋୟୀ କହିଥିଲେ। ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ଯୋଗଦେଇ ଗଣମାଧ୍ୟମ ସମାଜର ଦର୍ପଣ ଏବଂ ଏହା ସର୍ବଦା ସତ୍ୟକୁ ପ୍ରତିଫଳିତ କରିଥାଏ ବୋଲି କହିଥିଲେ। ଗଣମାଧ୍ୟମ ଯୋଗୁଁ ଉଭୟ ପ୍ରଶାସନ ଏବଂ ଜନସାଧାରଣ ମଧ୍ୟରେ ଏକ ଉତ୍ତମ ଯୋଗସୂତ୍ର ରକ୍ଷା କରାଯାଇଥାଏ ବୋଲି ଜିଲ୍ଲାପାଳ କହିଥିଲେ। ଉଦ୍‌ଘାଟକ ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗଦେଇ ଗଣମାଧ୍ୟମର ଉତ୍ତରଦାୟିତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ। ଗଣମାଧ୍ୟମ ଏକ ଶକ୍ତିଶାଳୀ ଗଣତନ୍ତ୍ରର ଚାରିଟି ସ୍ତମ୍ଭ ମଧ୍ୟରୁ ଅନ୍ୟତମ ବୋଲି କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ କଳିଙ୍ଗ ଟିଭିର ଡେପୁଟି ଏଡିଟର ଡ. ସୌମ୍ୟା ପରିଡ଼ା ଏବଂ ନ୍ୟୁଜ୍‌ ୭ ଚ୍ୟାନେଲର ସିନିୟର ନିଉଜ ପ୍ରଡ୍ୟୁସର ଇତିଶ୍ରୀ ନାୟକ ଯୋଗଦେଇ ନିଜ ଦୀର୍ଘ ବର୍ଷର ସାମ୍ବାଦିକତା ଜୀବନର ଅଭିଜ୍ଞତା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଂଘ, କନ୍ଧମାଳ ଜିଲ୍ଲା ଶାଖା ସଭାପତି ସନ୍ତୋଷ କୁମାର ଦାସ ସଭାପତିତ୍ବ କରି କନ୍ଧମାଳ ଜିଲ୍ଲାର ବିକାଶରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଉତ୍କଳ ସାମ୍ବାଦିକ ସଂଘର ଜାତୀୟ ପରିଷଦ ସଦସ୍ୟ ଶିବ ପ୍ରସାଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିବାବେଳେ ସାମ୍ବାଦିକ ମନୋରଞ୍ଜନ ରାୟ ସଂଘର ବାର୍ଷିକ ବିବରଣୀ ପାଠ କରିଥିଲେ। ସାମ୍ବ‌ାଦିକ ସୁବାଷ ଚନ୍ଦ୍ର ମହାରଣା କନ୍ଧମାଳ ସାଂସଦଙ୍କ ଶୁଭେଚ୍ଛା ବାର୍ତ୍ତା ପାଠ କରିଥିଲେ। ନୟାଗଡ଼ ଜିଲ୍ଲାର ସାମ୍ବାଦିକ ପ୍ରଦୀପ୍ତ ରଥ ମଞ୍ଚ ସଞ୍ଚାଳନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ସମେତ ପଡ଼ୋଶୀ ବୌଦ୍ଧ ଓ ସୋନପୁର ଜିଲ୍ଲାରୁ ବହୁ ସାମ୍ବାଦିକମାନେ ଯୋଗ ଦେଇଥିଲେ। ଏହି ଅବସରରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକର ବରିଷ୍ଠ ସାମ୍ବାଦିକ ରବି ଦାସ, ଶିଶିର ପଟ୍ଟନାୟକ, ବିଦ୍ୟାଧର ପାଳ,ଫିଲମନ ନାୟକ, ସୁରେନ୍ଦ୍ର କୁମାର ପାଣିଗ୍ରାହୀ, ସତ୍ୟ ନାରାୟଣ ପାଢୀ, ସୁବାଷ ପ୍ରଧାନ ଓ ପ୍ରତାପ ଦିଗାଲଙ୍କୁ ମାନ ପତ୍ର ପ୍ରଦାନ ପୂର୍ବକ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ସହଯୋଗ କରିଥିଲେ।

Exit mobile version