ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଚିନ୍ମୟ ଫାଉଣ୍ଡେସନର କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମର ୫୫ ତମ ସମୀକ୍ଷା ବୈଠକ । ଦୀର୍ଘ ୧୩୭୫ ଦିନର ନିରବଚ୍ଛିନ୍ନ କାର୍ଯ୍ୟକ୍ରମ ଓଡ଼ିଶାକୁ କରୋନା ମୁକ୍ତ କରିବାରେ ସହଯୋଗ କରି ପାରିଛି ବୋଲି ପ୍ରକାଶ କରିଛନ୍ତି ସଂଗଠନର ଅଧ୍ୟକ୍ଷ ଚିନ୍ମୟ ଦାଶ । ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ଅଦ୍ୟାବଧି ୧୩୭୫ଦିନ ଧରି ନିରବଚ୍ଛିନ୍ନ ପ୍ରକ୍ରିୟାରେ ମହାମାରୀ କରୋନାର ବିନାଶ ନିମନ୍ତେ ସଚେତନତା ସହ କୋଭିଡ୍ କିଟ୍ ବଣ୍ଟନ ଓ ଗରିବ ଅସହାୟ ଲୋକ ମାନଙ୍କୁ ମିଶନ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ ଜରିଆରେ ରିଲିଫ୍ ବଣ୍ଟନ ଜାରି ରଖିଛି ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ । ପ୍ରତି ୨୫ ଦିନରେ ବିଗତ ଦିନର କାର୍ଯ୍ୟ ଗୁଡ଼ିକର ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଥିବା ବେଳେ ୧୩୭୫ ତମ ଦିବସର ୫୫ ତମ ସମୀକ୍ଷା ବୈଠକ ସ୍ଥାନୀୟ ମଙ୍ଗଳପୁର ସ୍ଥିତ ଡଲଫିନ ଡ୍ୟାନ୍ସ ସ୍କୁଲ୍ ଆଣ୍ଡ ଗ୍ରୁପ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସମୀକ୍ଷକ ଭାବରେ ପ୍ରତାପ ବେହୂରିଆ, ଶ୍ରୀକୃଷ୍ଣ ପାତ୍ର, ନିଳୀମା ମଲ୍ଲିକ ଆଦି ଯୋଗଦେଇ ବିଗତ ଦିନ ମାନଙ୍କର କରୋନା ସଚେତନତା, କିଟ୍ ଓ ରିଲିଫ୍ ବଣ୍ଟନ ଆଦି କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରିଥିଲେ । ଡଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର୍ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଗତ ଦୀପାବଳି ପୂର୍ବ ଦିନ ସମଗ୍ର ଭାରତ ବର୍ଷରେ କରୋନା ଆକ୍ଟିଭ୍ କେସ୍ କମି କମି ୧୧୪ ରେ ପହଞ୍ଚିଥିବା ବେଳେ, ଟିକିଏ ସଚେତନତାର ଅଭାବରୁ ଆଜି ବଢ଼ି ବଢ଼ି ତାହା ୪,୧୭୦ରେ ପହଞ୍ଚିଛି । ଆଗକୁ ବଢିବାର ମଧ୍ୟ ବହୁ ସମ୍ଭାବନା ରହିଛି । ତେଣୁ ଫାଉଣ୍ଡେସନ ପକ୍ଷରୁ ନିରବଚ୍ଛିନ୍ନ ପ୍ରକ୍ରିୟାରେ ସଚେତନତା ସହ କୋଭିଡ୍ କିଟ୍ ଏବଂ ଗରିବ ଓ ଅସହାୟ ମାନଙ୍କୁ ରିଲଫ୍ ବଣ୍ଟନ ଜାରି ରହିବ । ଚିନ୍ମୟ ଫାଉଣ୍ଡେସନର ଦୀର୍ଘ ଦିନର ସଚେତନତା ସହ ନିରବଚ୍ଛିନ୍ନ କାର୍ଯ୍ୟକ୍ରମ ଓଡ଼ିଶା କୁ କରୋନା ମୁକ୍ତ କରିବାରେ ସହଯୋଗ କରି ପାରିଛି ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶ ଉକ୍ତ ସମୀକ୍ଷା ବୈଠକରେ ମତବ୍ୟକ୍ତ କରିଥିଲେ ।
ଚିନ୍ମୟ ଫାଉଣ୍ଡେସନର କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମର ୫୫ ତମ ସମୀକ୍ଷା ବୈଠକ !!!

