ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଠାରୁ ଚିଲିକାର ଜଳରାଶି ମଧ୍ୟ ଦେଇ ଲଞ୍ଚ ଯୋଗେ ଦୈନିକ ଶହ ଶହ ସଂଖ୍ୟାରେ ଯାତ୍ରୀ କୃଷ୍ଣପ୍ରସାଦ ଓ ଏହାର ଆଖପାଖ ଅଞ୍ଚଳକୁ ଯାତାୟତ କରିଥାନ୍ତି । ରାଜ୍ୟ ସରକାରଙ୍କ ଅନ୍ତର୍ଦେଶୀୟ ଜଳପଥ ପରିବହନ ସେବା ପକ୍ଷରୁ ଯାତ୍ରୀମାନଙ୍କ ସୁବିଧା କୁ ଦୃଷ୍ଟିରେ ରଖି ଲଞ୍ଚ ଚଳାଚଳ ର ବ୍ୟବସ୍ଥା କରାଯାଇଛି । ସରକାର ଙ୍କ ନିର୍ଦେଶନୁଯାୟୀ ସକାଳ ୭.୧୫ମିନିଟ ଏବଂ ଅପରାହ୍ନ ୧.୩୦ ମିନିଟରେ ବାଲୁଗାଁ ଠାରୁ ଦୁଇଟି ଲଞ୍ଚ କୃଷ୍ଣପ୍ରସାଦ ଅଭିମୁଖେ ଚଳାଚଳ କରୁଅଛି । ମାତ୍ର ଅପରାହ୍ନ ୩.୧୫ ମିନିଟରେ ବାଲୁଗାଁ ଠାରୁ ଏକ ଲଞ୍ଚ ବାହାରି କୃଷ୍ଣପ୍ରସାଦ ଘିମୁଦା ଜେଟିରେ ୪.୪୫ମିନିଟରେ ପହଁଚି ଥାଏ । ତାପର ଦିନ ସକାଳ ୭.୧୫ରେ ବାଲୁଗାଁ ଅଭିମୁଖେ ଯାତ୍ରା କରିଥାଏ । ବାରମ୍ବାର ଅଞ୍ଚଳବାସୀ ଙ୍କ ଦାବି ପରେ ଉକ୍ତ ଲଞ୍ଚ ଟି ଦୀର୍ଘ ୩ ବର୍ଷ ଧରି ଯାତାୟତ କରୁଥିବା ବେଳେ କୌଣସି କାରଣ ନଥାଇ ହଠାତ କତ୍ତୃପକ୍ଷ ଉକ୍ତ ଲଞ୍ଚ ଚଳାଚଳ ବନ୍ଦ କରିଥିବା ଜଣାପଡ଼ିଛି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ କତ୍ତୃପକ୍ଷ,ସ୍ଥାନୀୟ ପ୍ରଶାସନ ନତୁବା ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଜରୁରୀ କାଳୀନ ପରିସ୍ଥିତି ରେ ଉକ୍ତ ଲଞ୍ଚ ଯୋଗେ ରୋଗୀ ଙ୍କ ଠାରୁ ଆରମ୍ଭ କରି ଛାତ୍ର ଛାତ୍ରୀ, ଜନସାଧାରଣ ନିର୍ଭର କରୁଥିବା ବେଳେ କାହା ନିର୍ଦ୍ଦେଶ ରେ ରାତ୍ରିଯାପନ ଲଞ୍ଚ ଚଳାଚଳ ବନ୍ଦ କରାଗଲା ବୋଲି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି । ଅପରପକ୍ଷେ ବାଲୁଗାଁ ଜେଟି କୂଳରେ ଲଞ୍ଚ ଗୁଡ଼ିକ ଚିଲିକା ଜଳରେ ପଡ଼ି ରହି ଖତ ଖାଉଥିଲେ ହେଁ ଏଗୁଡ଼ିକ ର ଆନୁଷଙ୍ଗିକ ମରାମତି ଦିଗରେ କତ୍ତୃପକ୍ଷ ଦୃଷ୍ଟି ନଦେବା ଦୁର୍ଭାଗ୍ୟ ର ବିଷୟ । ସରକାର କା ମାଲ ଦାରିଆ ମେ ଡାଲ ଏହି ନ୍ୟାୟରେ କତ୍ତୃପକ୍ଷ କାର୍ଯ୍ୟ କରୁଥିବା ବେଳେ ଯାତ୍ରୀ ପରିବହନ କୁ ଅଞ୍ଚଳବାସୀ ଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷ ଆଗାମୀ ଦିନରେ ଏକ ବିରାଟ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଏବେ ଠାରୁ ପୂର୍ବାନୁମାନ କରାଯାଉଛି । ବେଳ ଥାଉ ବାଳ ବାନ୍ଧିବା ନ୍ୟାୟରେ ଲଞ୍ଚ ଚଳାଚଳ କତ୍ତୃପକ୍ଷ ଓ ଉଚ୍ଚ କତ୍ତୃପକ୍ଷ ଯଦି ଏଥିପ୍ରତି ଦୃଷ୍ଟି ନଦିଅନ୍ତି ଆଗାମୀ ଦିନରେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ସେଥିପ୍ରତି କିଏ ଦାୟୀ ରହିବ ବୋଲି ସାଧାରଣରେ ଆଲୋଚନା ହେଉଛି । ପୂର୍ବ ପରି ଅପରାହ୍ନ ୩.୪୫ ରେ ବାଲୁଗାଁ – କୃଷ୍ଣପ୍ରସାଦ ମଧ୍ୟରେ ପୁନଃ ଲଞ୍ଚ ଚଳାଚଳ କରିବା କୁ କୃଷ୍ଣପ୍ରସାଦ ପଞ୍ଚାୟତ ସରପଞ୍ଚ ଇତିଶ୍ରୀ ସିଂହ, ପୂର୍ବତନ ସରପଞ୍ଚ କୁମାର ସିଂହ, ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ସିଂହ ସାମନ୍ତ,ବଡ଼ଅଁଳ ପଞ୍ଚାୟତ ସରପଞ୍ଚ ବୀଣାପାଣି ପ୍ରଧାନ,ବୋଇତ ବନ୍ଦାଣ କମିଟି ସଭାପତି ବାଉରିବନ୍ଧୁ ଦଳେଇ, ଲକ୍ଷ୍ମୀକାନ୍ତ ସିଂହ, ଯୁବନେତା ସୁବାସ ଚନ୍ଦ୍ର ଗୌଡ଼,ସାମାଜିକ କର୍ମୀ ଵିଷ୍ଣୁ ପ୍ରସାଦ ବେହେରା, ରମେଶ ଚନ୍ଦ୍ର ବିଶ୍ଵାଳ ପ୍ରମୁଖ ଦାବି କରିଛନ୍ତି ।
ଚିଲିକା ଜଳ ପଥରେ ଯାତ୍ରୀ ପରିବହନରେ ଅବ୍ୟବସ୍ଥା ନେଇ ଅସନ୍ତୋଷ !!!

