Site icon Awaj Media

ଡମପଡା ମାଟିର ସାରସ୍ୱତ କବି ଦେବରାଜ ରଥଙ୍କ ଦେହାନ୍ତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଡମପଡା ବ୍ଲକର ସାମନ୍ତରାପୁର ଗ୍ରାମର ସାହିତ୍ୟିକ ଶ୍ରୀଯୁକ୍ତ ଦେବରାଜ ରଥଙ୍କର ୬୯ ବର୍ଷ ବୟସରେ ଖୋର୍ଦ୍ଧା ଗୁରୁଜଙ୍ଗ ବାସଭବନରେ ପରଲୋକ ଘଟି ଯାଇଛି | ୧୯୫୫ ମସିହାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀଯୁକ୍ତ ରଥ ମାଟ୍ରିକ ପାସ ପରେ ରାଜ୍ୟ ସରକାରଙ୍କ ଅଧୀନରେ ଦକ୍ଷତାର ସହ କାର୍ଯ୍ୟ କରି ଅବସର ନେଲା ପରେ ସାହିତ୍ୟ ସାଧନାରେ ବ୍ରତୀ ହୋଇଥିଲେ | ଓଡ଼ିଆ ଓ଼ ସଂସ୍କୃତ ଭାଷା ସାହିତ୍ୟରେ ଆଧ୍ୟାତ୍ମିକ ଭଜନ ଜଣାଣ ଲେଖିବାରେ ସିଦ୍ଧହସ୍ତ ଥିଲେ |ଜଗତର ନାଥ ଜଗନ୍ନାଥଙ୍କର ଭକ୍ତି ଜଣାଣ, ଭଜନକୁ ନେଇ ‘ଆତ୍ମ ସମର୍ପଣ “ନାମରେ ତାଙ୍କର ପୁସ୍ତକ ଟିଏ ପ୍ରକାଶ ପାଇ ବହୁଳ ପାଠକୀୟତା ଲାଭ କରିଛି | ନିଜର ସାରସ୍ୱତ ସାଧନା ପାଇଁ ବିଭିନ୍ନ ସାମାଜିକ ଓ଼ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ହୋଇଛନ୍ତି | ଖୋର୍ଦ୍ଧା ମହୋତ୍ସବ -୨୦୧୮, ସାରସ୍ୱତ ସମାଜ -୨୦୧୭, ଭୁବନେଶ୍ୱର, କବି ପ୍ରହ୍ଲାଦ ସ୍ମୃତି ସମ୍ମାନ -୨୦୧୬, ବସନ୍ତ ସମ୍ମାନ -୨୦୧୭ ରେ ସମ୍ମାନିତ ଶ୍ରୀଯୁକ୍ତ ରଥ ଜଣେ ଶାନ୍ତ, ଅମାୟିକ ବ୍ୟକ୍ତି ଭାବେ ଡମପଡା ଅଂଚଳରେ ନିଜର ସ୍ୱତନ୍ତ୍ର ମାନ ରଖିଥିଲେ | ସାରସ୍ୱତ କବି ଦେବରାଜ ରଥଙ୍କ ବିୟୋଗରେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ସମ୍ବାଦ ସାହିତ୍ୟ ଘର, ଡମପଡା ଶାଖାର ସଭାପତି କବି କୌଶିକ ନାୟକ, କବି ବିପ୍ଳବ, ପଣ୍ଡିତ ସୁଧାକର ମହାନ୍ତି, ସାମାଜିକ କର୍ମୀ ଅକ୍ଷୟ କୁମାର ସାମଲ, ପ୍ରତୀକ୍ଷା ସମ୍ପାଦକ ସୁବ୍ରତ କୁମାର ନାୟକ, ଖୋର୍ଦ୍ଧାର ଗୀତିକବି ଚୈତନ୍ୟ ପ୍ରସାଦ ବେହେରା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି | ପୁତ୍ର ସୌମଶ୍ରୀ ରଥ ମୁଖାଗ୍ନି ଦେଇଥିବା ବେଳେ ବହୁ ସାରସ୍ୱତ ଶୁଭେଛୁ ଶେଷ ଦର୍ଶନ ପାଇଁ ସ୍ବର୍ଗତ ରଥଙ୍କ ଶକୁନ୍ତଳା ଭବନରେ ଉପସ୍ଥିତ ରହିଥିଲେ |

Exit mobile version