Site icon Awaj Media

ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଉଦଯାପିତ : ବାଣପୁର ଏନ୍ଏସିରେ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧନା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଭୁବନେଶ୍ୱରର ଅକ୍ଷର ପୁରୀ ଠାରେ ତିନିଦିନ ଧରି ଚାଲିଥିବା ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ର ଉଦଯାପନ ଉତ୍ସବ ଅବସରରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସହୀଦ କୃତ୍ତିବାସ ଭବନଠାରେ ପରିଷଦ ତରଫରୁ ଆୟୋଜିତ ଉତ୍ସବରେ ଓଡ଼ିଆ ଭାଷା ସାହିତ୍ୟର ସ୍ଥାନୀୟ ସାହିତ୍ୟିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଷଦର ଅଧ୍ୟକ୍ଷ ମିଟୁ ନାୟକଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ଉତ୍ସବରେ ଗାଳ୍ପିକ ଶିବମିଶ୍ର, ସାହିତ୍ୟିକ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ, ଅଧ୍ୟାପକ ସର୍ବେଶ୍ଵର ଷଡ଼ଙ୍ଗୀ, ପତ୍ରକାର ନୃସିଂହ ପ୍ରସାଦ ମିଶ୍ର ଯୋଗ ଦେଇ “ଭାଷା ହିଁ ଭବିଷ୍ୟତ” ଉପରେ ଆଲୋକପାତ କରି ଆଗାମୀ ଦିନରେ ଯୁବପୀଢି ଙ୍କ ମଧ୍ୟରେ ଓଡ଼ିଆ ଭାଷାରେ କବିତା, ଗଳ୍ପ, ନାଟକ,ଲେଖିବାର ପ୍ରେରଣା ଯୋଗାଇଦେଲେ ଏଭଳି ଗୌରବମୟ ଭାଷାର ଉନ୍ନତି ସାଧନ ହୋଇପାରିବ ବୋଲି ମତବ୍ୟକ୍ତ କରିବା ସହିତ ବାଣପୁରର ସାରସ୍ଵତ ବରପୁତ୍ରମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏଣିକି ଓଡ଼ିଆ ଭାଷାରେ ଶୁଦ୍ଧ ଲିଖନ, ପଠନ ଓ ଉଚ୍ଚାରଣ ଉପରେ ଗୁରୁତ୍ୱ ଦେବା ସହିତ ପ୍ରସିଦ୍ଧ କବିମାନଙ୍କ କବିତା ପଂକ୍ତି ଗୁଡ଼ିକୁ ପ୍ରାଚୀର ମାନଙ୍କରେ ଲେଖିବା, ପ୍ରାଥମିକ ଶ୍ରେଣୀରେ ‘ଛବିଳ ମଧୁ ବର୍ଣ୍ଣବୋଧ ର ପୁନଃ ବହୁଳ ବ୍ୟବହାର କରିବା ସହିତ ନିମନ୍ତ୍ରଣ ପତ୍ର ଗୁଡ଼ିକୁ ଓଡ଼ିଆରେ ଲେଖିବାର ଆଗ୍ରହ ପ୍ରକାଶ କରି ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଗଳ୍ପ କବିତା ପଠନ ପାଇଁ ପାଠାଗାରର ବ୍ୟବସ୍ଥା କରିବାକୁ ପ୍ରୟାସ କଲେ ଭବିଷ୍ୟତରେ ଓଡ଼ିଆ ଭାଷାର ପ୍ରଚଳନ ବହୁଳ ଭାବରେ ହୋଇ ପାରିବ ବୋଲି ପ୍ରସ୍ତାବ ରଖିଥିଲେ । ବାଣପୁର ଅଞ୍ଚଳର ବର୍ତ୍ତମାନର ସାହିତ୍ୟିକ ପ୍ରତିଭାମାନଙ୍କୁ ଉପଢୌକନ ପ୍ରଶଂସାପତ୍ର ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ଭାଷା ସାହିତ୍ୟ ସଂସ୍କୃତି ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା I ମା’ ଭଗବତୀ ନୃତ୍ୟ ସଂଗୀତ ଅନୁଷ୍ଠାନର କଳାକାରମାନେ “ବନ୍ଦେ ଉତ୍କଳଜନନୀ’ ନୃତ୍ୟାଭିନୟ କରିଥିଲାବେଳେ, ପ୍ରାକ୍ତନ ଉପାଧ୍ୟକ୍ଷ ଦାଶରଥି ସାହୁ ଧନ୍ୟବାଦାର୍ପଣ କରିଥିଲେ।

Exit mobile version