Site icon Awaj Media

ଭାଟପଡ଼ା ଠାରେ ଶ୍ରୀଜଗନ୍ନାଥ ମନ୍ଦିର ସମନ୍ବୟ ପରିଷଦ ଗଠିତ : ଯୋଗ ଦେଲେ ବାଣପୁର ଓ ଚିଲିକା ମଣ୍ଡଳର ଜଗନ୍ନାଥ ମନ୍ଦିରର ପ୍ରତିନିଧି !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପ୍ରଥମ ଥର ପାଇଁ ଖୋର୍ଦ୍ଧା ଜିଲ୍ଲା ବାଣପୁର ମଣ୍ଡଳ ଓ ଚ଼ିଲିକା ମଣ୍ଡଳରେ ଥିବା ସମସ୍ଥ ଜଗନ୍ନାଥ ମନ୍ଦିରର ପରିଚାଳନା କମିଟିର ପ୍ରମୁଖ ମାନଙ୍କୁ ନେଇ “ଶ୍ରୀଜଗନ୍ନାଥ ମନ୍ଦିର ସମନ୍ବୟ ପରିଷଦ” ଗଠିତ ହୋଇଯାଇଛି । ଆଞ୍ଚଳିକ ସ୍ତରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରଗୁଡ଼ିକର ସୁରକ୍ଷା ସହିତ ଜଗନ୍ନାଥ ଧର୍ମ ,ଐତିହ୍ୟ, ସଂସ୍କୃତି, ଚ଼େତନାର ପ୍ରଚାର ପ୍ରସାରର ଲକ୍ଷ୍ୟ ରଖି କାଙ୍କଣ ଶିଖରୀ ଲୀଳାକ୍ଷେତ୍ର ଟ୍ରଷ୍ଟର ମୁଖ୍ୟ ଡ଼ା ସୁଶାନ୍ତ କୁମାର ସାହୁଙ୍କ ଆବାହକତ୍ଵରେ ଏବଂ ଭାଟପଡ଼ା ଗଡ଼ ଦଳବେହେରା ମାନବେନ୍ଦ୍ର ମହାରଥାଙ୍କ ସଭାପତିତ୍ବରେ ଗଡ଼ଠାକୁର ଦଧିବାମନଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଶ୍ରୀଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ ଏହି ସମ୍ମିଳନୀରେ ଉଭୟ ମଣ୍ଡଳରେ ଥିବା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପ୍ରମୁଖ ମାନେ ଯୋଗ ଦେଇ ନିଜ ନିଜ ଅଞ୍ଚଳରେ ଥିବା ମନ୍ଦିରର ବିଭିନ୍ନ ସମସ୍ୟାଗୁଡ଼ିକ ଉପସ୍ଥାପନ କରିଥିଲେ ଏବଂ ଏଗୁଡ଼ିକର ସ୍ଥାୟୀ ସମାଧାନ ନହୋଇ ପାରିଲେ ଧୀରେ ଧୀରେ ମନ୍ଦିର ସହିତ ଶ୍ରୀଜଗନ୍ନାଥ ଧର୍ମ, ସଂସ୍କୃତି ,ଐତିହ୍ୟ ଲୋପ ପାଇଯିବ ବୋଲି ମତ ରଖିଥିଲେ । ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥ ସଂସ୍କୃତି , ଐତିହ୍ୟର ସୁରକ୍ଷା ଓ ପ୍ରଚାର ପ୍ରସାର ନିମନ୍ତେ ବର୍ତ୍ତମାନ ଯୁଗାନ୍ତକାରୀ ପଦକ୍ଷେପ ମାନ ଗ୍ରହଣ କରିଥିବା ବେଳେ ଏବଂ ପ୍ରତି ପଞ୍ଚାୟତରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ଉନ୍ନତିକରଣ ନିମନ୍ତେ ଆର୍ଥିକ ଅନୁଦାନ ଯୋଗାଇଦେଉଥିବା ବେଳେ ମନ୍ଦିରର ନୀତିକାନ୍ତି, ପୂଜାବିଧିବିଧାନ, ଭୋଗଲାଗି ଓ ପବପର୍ବାଣୀ ପରିଚାଳନା ନିମନ୍ତେ ଆବଶ୍ୟକ ପଡ଼ୁଥିବା ଅର୍ଥର ଅଭାବ ଦେଖା ଦେଉଥିବାରୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ମନ୍ଦିର ନାମରେ ଥିବା ଜମି ଜୁମା ଗୁଡ଼ିକରୁ ଆଦାୟ ଫସଲ ଧୀରେ ଧୀରେ ବନ୍ଦ ହେବାକୁ ଯାଉଥିବାରୁ ଜୀଉ ମାନଙ୍କ ପାଖରେ ପ୍ରତ୍ୟହ ଭଲରେ ଟିକେ ଭୋଗଲାଗି ହୋଇପାରୁ ନାହିଁ। କେତେକ ମନ୍ଦିର ସୁରକ୍ଷା ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଗଲାଣି। ସରକାରଙ୍କ ସାହାଯ୍ୟ ସମୁଦ୍ରକୁ ଶଙ୍ଖେ ପରି ଅନୁଭବ ହେଉଛି। ମନ୍ଦିର ମାନଙ୍କରେ କାର୍ଯ୍ୟରତ ପୂଜାରୀ ମାନଙ୍କ ନିମନ୍ତେ ମାସିକ ଦରମା ର ସ୍ଥାୟୀ ବ୍ୟବସ୍ଥା ନହୋଇ ପାରୁଥିବାରୁ ପୂଜାରୀଟିଏ ମିଳିବା କଷ୍ଟକର ହୋଇପଡ଼ୁଛି ଫଳରେ ମନ୍ଦିର ମାନଙ୍କରେ ତାଲା ଝୁଲିବା ଅବସ୍ଥା ଦେଖାଯାଉଛି । ଏ ଭଳି ସମସ୍ୟାଗୁଡ଼ିକର ସ୍ଥାୟୀ ପ୍ରତିକାର ନକଲେ ଧୀରେ ଧୀରେ ଏହି ମହାନ ସଂସ୍କୃତି ଲୋପ ପାଇଯିବ ବୋଲି ମତପ୍ରକାଶ କରି ଆଜିର ଏହି ନବଗଠିତ ସମନ୍ବୟ ପରିଷଦ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି ସମ୍ମିଳନୀରେ ସର୍ବସମ୍ମତ ମତପ୍ରକାଶ ପାଇଥିଲା । ନବଗଠିତ ଏହି ପରିଷଦରେ ଡ଼ା ସୁଶାନ୍ତ କୁମାର ସାହୁ, ସଭାପତି, ଦାଶରଥିସାହୁ ଏବଂ ପ୍ରଫୁଲ୍ଲ କୁମାର ସାହୁ, ଉପସଭାପତି, ବାଳମୁକୁନ୍ଦ ଦାସ ସାଧାରଣ ସଂପାଦକ, ପ୍ରଦୋଷ କୁମାର ଦାସ, ବୃନ୍ଦାବନ ମହାରଣା, ବଳଭଦ୍ର ବିଶୋଇ,ଅସୀତ ବରଣ ବଳିୟାର ସିଂ, ଯୁଗ୍ମ ସଂପାଦକ, ସତ୍ୟେନ୍ଦ୍ର କୁମାରସ୍ୱାଇଁ, କୋଷାଧକ୍ଷ ଏବଂ ବିଭୁଧେନ୍ଧୁକେଶରୀ ଭୋଳ, ସହକୋଷାଧ୍ୟକ୍ଷ, ନିରଞ୍ଜନ ମହାରଣା, ଶାରଳା ଦାସ, ଲକ୍ଷ୍ମୀଧର ବେହେରା, ମଦନ ମୋହନ ମହାନ୍ତି, ରୂପକକୁମାର ମହାନ୍ତି, ସଦେଇ ବାରିକୀ ଓ ସୁଧୀର ପଣ୍ଡା, କାର୍ଯ୍ୟକାରୀ କମିଟିର ସଭ୍ୟ, ଏବଂ ମାନବେନ୍ଦ୍ର ମହାରଥା, ନୃସିଂହ ପ୍ରସାଦ ମିଶ୍ର,ବାବାପଦ୍ମପାଦ ଦାସ, ହାଡ଼ିବନ୍ଧୁ ପଟ୍ଟନାୟକ,ଗୌରୀ ଶଂକର ରଥ ଶର୍ମା, ସୁରେନ୍ଦ୍ରନାଥ ଜଗଦ୍ଦେବ,ଓ ମଧୁସୂଦନ ସେନାପତି ଉପଦେଷ୍ଠାମଣଳୀ ସଭ୍ୟ ଭାବରେ ମନୋନୀତ ହୋଇଥିଲେ। ସ୍ଥାନୀୟ ଦାସକାଠିଆ କଳାକାରଙ୍କ ଦ୍ୱାରା ଲୋକ ସଂଗୀତ ଉପସ୍ଥାପନ କରାଯାଇଥିଲା। ପରିଶେଷରେ ପ୍ରଦୋଷ କୁମାର ଦାସ ଧନ୍ୟବାଦାର୍ପଣ କରିଥିଲେ l

Exit mobile version