କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କବର ଅପେକ୍ଷାରେ କବରସ୍ଥାନ । କଟକ ସହରରେ ଏଭଳି କିଛି ପ୍ରସଙ୍ଗ ରହିଛି ଯାହା କଟକର ଇତିହାସ ବଖାଣିବା ସହ ସହର ଇତିହାସରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। କଟକ ଇତିହାସ ବଖାଣୁ ଥିବା ଏଭଳି ଏକ ପ୍ରସଙ୍ଗ ହେଉଛି କଟକ କେଶରପୁର ଅଞ୍ଚଳରେ ଥିବା କବରସ୍ଥାନ। ମୁସଲମାନ ଧର୍ମରେ ଏହି ସ୍ଥାନ ଯେତିକି ପବିତ୍ର ସେତିକି ସ୍ମରଣୀୟ ମଧ୍ୟ। କାରଣ ମୃତ୍ୟୁ ପରେ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ଅନ୍ତିମ ସଂସ୍କାର ଏହି କବରସ୍ଥାନରେ କରାଯାଇଥାଏ ଏବଂ ଏହି କବରସ୍ଥାନ କେଶରପୁର ଅଞ୍ଚଳରେ ବହୁ ପୁରାତନ କାଳରୁ ରହିଛି ବୋଲି ସ୍ଥାନୀୟ ବାସିନ୍ଦା କୁହନ୍ତି। ମାତ୍ର ପ୍ରଶାସନିକ ଅବହେଳାରୁ ବର୍ତ୍ତମାନ ଏହି କବରସ୍ଥାନ ଜରାଜିନ୍ନ। ସରକାରୀ ଅନୁଦାନରେ କଟକ ସହରର ଅନ୍ୟ କବରସ୍ଥାନ ଗୁଡିକର ଉନ୍ନତିକରଣ ହୋଇଥିବା ବେଳେ ଏହି କବରସ୍ଥାନ ସ୍ଥାନୀୟ ବାସିନ୍ଦା, କିଛି ମହାନ ବ୍ୟକ୍ତିତ୍ୱ ଓ କବରସ୍ଥାନ କମିଟି ସଦସ୍ୟଙ୍କ ଉଦ୍ୟମରେ ଆଂଶିକ ବଞ୍ଚି ରହିଛି। ହେଲେ ସରକାରୀ ସ୍ତରରେ ମିଳୁଥିବା ଅନୁଦାନ ଅବହେଳାରୁ ସତେ ଯେପରି ନିଜ ଶେଷ ଶଯ୍ୟାରେ ମୃତ୍ୟୁକୁ ଚାହିଁ ବସିଛି ଆଉ କହୁଛି ‘ମୁଁ କେଶରପୁର କବରସ୍ଥାନ, ମୁଁ ଆଜି ନୁହେଁ ବରଂ ପଲଟନମାନଙ୍କ ସମୟରୁ ମୋ ଗର୍ଭରେ ଅନେକ ପାର୍ଥିବ ଶରୀରକୁ କବର ପ୍ରଦାନ କରିଛି। ହେଲେ ବର୍ତ୍ତମାନ ମୁଁ ନିଜେ କବର ଅପେକ୍ଷାରେ । ଏହି କବରସ୍ଥାନ ଆଜିର ନୁହେଁ, ଏହା ଶହଶହ ବର୍ଷ ପୁରୁଣା। ବାପା ଜେଜେ ବାପା କୁହନ୍ତି ‘ ଯେତେବେଳେ ପଲଟନମାନେ ଭାରତ ଆସିଥିଲେ କାଳକ୍ରମେ ସେମାନେ ଓଡିଶା ଓ କଟକ ଆସି କିଛି ସମୟ ପାଇଁ ବସବାସ କରିଥିଲେ। ମୃତ୍ୟୁ ପରେ ସେମାନଙ୍କ ମର ଶରୀରକୁ ଏହି ଠାରେ ଆଣି କବର ଦିଆଯାଏ। ସେବେଠାରୁ ଏଠାରେ ଏହି କବରସ୍ଥାନ ରହିଛି। ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଏହାର ପାଚେରୀ ନିର୍ମାଣ କରାଯାଇଥିଲା। କଟକ ସହରରେ କଦମରସୁଲ ଓ ଅନ୍ୟାନ୍ୟ କବରସ୍ଥାନ ଗୁଡିକର ଉନ୍ନତି ହୋଇଛି। ହେଲେ ଏତେ ପୁରୁଣା କବରସ୍ଥାନ ହୋଇ ମଧ୍ୟ ଏହା ଆଜି ବି ଅବହେଳିତ। ସରକାରଙ୍କ ପକ୍ଷରୁ ଦୀର୍ଘଦିନ ଏଠାକୁ ଅନୁଦାନ ଆସିଥିଲେ ମଧ୍ୟ ଏହା ଅଟକି ରହିଛି। ଯାହାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ସନ୍ଦେହ ଘେରରେ ବୋଲି ସ୍ଥାନୀୟ କଂଗ୍ରେସ କର୍ମୀ ଅଜିଜ ଖାନ କହିଛନ୍ତି। କମିଟି ସଦସ୍ୟ ଓ ସ୍ଥାନୀୟ ଜନସାଧାରଣ ଏ ବାବଦରେ ବାରମ୍ବାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଥିପ୍ରତି ଧ୍ୟାନ ଦିଆ ଯାଉ ନାହିଁ। କବରସ୍ଥାନ ଜଙ୍ଗଲରେ ପରିପୂର୍ଣ୍ଣ, ଭିତରେ ରାସ୍ତା ନାହିଁ, ଇଲେକ୍ଟ୍ରି ଖୁଣ୍ଟ ନାହିଁ। ଯାହା ଫଳରେ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେବା ସହ ଏହା ଭିତରେ ଭୟ କରୁଛନ୍ତି । ଆଜିକୁ କିଛି ବର୍ଷ ତଳେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏହି କବରସ୍ଥାନ ପ୍ରତି ଦୃଷ୍ଟି ଦେଇଥିଲେ। ଯାହା ଫଳରେ ସେ ଦେଇଥିବା ଅନୁଦାନରୁ କିଛି ମାତ୍ରାରେ କବରସ୍ଥାନ ଉନ୍ନତି ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଆହୁରି ଅନେକ ସମସ୍ୟା ରହିଛି। ଭିତର ଆଲୋକୀକରଣ, ସଫା ସୁତୁରା, ଆବଶ୍ୟକ ଜଳ ବ୍ୟବସ୍ଥା ନାହିଁ। ପୂର୍ବରୁ ଏ ସ୍ଥାନର ଅବସ୍ଥା ଅତି ଦୟନୀୟ ଥିଲା। କିଛି ବର୍ଷ ହେବ କମିଟିର ଯେଉଁ ନୂତନ କାର୍ଯ୍ୟକର୍ତା ନିର୍ବାଚିତ ହୋଇଛନ୍ତି ସେମାନଙ୍କ ଉଦ୍ୟମରେ କିଛି ପରିବର୍ତ୍ତନ ଆସିଛି। ମାତ୍ର ଏବେ ବି ଅନେକ କିଛି କାର୍ଯ୍ୟ କବରସ୍ଥାନର ହେବାକୁ ଅଛି। ଯାହା ପ୍ରତି ସରକାର ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ୱାହିଦ ଖାନ ନିବେଦନ କରିଛନ୍ତି।
କବର ଅପେକ୍ଷାରେ କବରସ୍ଥାନ : କେବେ ପଡିବ ଦୃଷ୍ଟି !!!

