ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଆଖପାଖରେ ଥିବା ତିନୋଟି ବୃହତ୍ତ ଜଳାଶ୍ରୟର ପୁନଃଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି।ଏହି ବୃହତ୍ତ ଜଳାଶ୍ରୟଗୁଡିକ ଗୋଶାଣୀ ବ୍ଳକରେ ରହିଛି।ବର୍ଷ ବର୍ଷ ଧରି ଏହି ଜଳାଶ୍ରୟ ଗୁଡିକ ଆବଶ୍ୟକ ରକ୍ଷଣାବେକ୍ଷଣ ନ ଥିବା ଯୋଗୁଁ ପୋତି ହେବାକୁ ଲାଗିଥିଲା। ଗତ 2023 ମଇ 9,10 ତାରିଖରେ 5T ଅଧ୍ୟକ୍ଷ ଗଜପତି ଜିଲ୍ଲା ଗସ୍ତରେ ଆସି ଥିଲେ।ଏହି ସମୟରେ ଚାଷୀମାନେ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ରାମସାଗର ପାଇଁ 3 କୋଟି 21 ଲକ୍ଷ 83 ହଜାର, କୃଷ୍ଣ ସାଗର ପାଇଁ 2 କୋଟି 56 ଲକ୍ଷ 14 ହଜାର ଏବଂ ଗଜପତି ସାଗର ପାଇଁ 1 କୋଟି 13 ଲକ୍ଷ ଟଙ୍କା 1 ହଜାର ବ୍ୟୟ ଅଟକଳ କରାଯାଇ କାମ ଆରମ୍ଭ କରାଯାଇ ଥିବା ବିଭାଗୀୟ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଏହି ପୁନଃ ଉଦ୍ଧାର କାର୍ଯ୍ୟ ଶେଷ ହେଲେ ଗୋଶାଣୀ ବ୍ଳକର ସମସ୍ତ ଜମିକୁ ଜଳସେଚନ ବ୍ୟବସ୍ଥାରେ ସୁବିଧା ହେବ ବୋଲି କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ପି.ଜଗନ୍ନାଥ ରାଓ କହିଛନ୍ତି।ପ୍ରକାଶ ଯେ ଏହି ତିନି ଗୋଟି ଜଳାଶ୍ରୟ ସମ୍ପୁର୍ଣ୍ଣ ଗୋଶାଣୀ ବ୍ଳକର ଚାଷ ଜମିକୁ ଜଳ ସେଚନ କରୁଛି।ଏହି ପୁନଃ ଉଦ୍ଧାର କାମ ହେଉଥିବାରୁ ଚାଷି ଏବଂ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ VK ପାଣ୍ଡିଆନଙ୍କୁ ପ୍ରଶଂସା କରିଛନ୍ତି।କୃଷ୍ଣସାଗର ଘୋରଣୀ ପଞ୍ଚାୟତ ଗଜପତି ସାଗର ଖରସଣ୍ଡା ପଞ୍ଚାୟତ ଏବଂ ରାମସାଗର କେରାଣ୍ଡି ପଞ୍ଚାୟତରେ ଅବସ୍ଥିତ।ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ସେତେବେଳେ କୃଷକଙ୍କ ସ୍ୱାର୍ଥ ଦୃଷ୍ଟି ରୁ ରାଜ କୋଷରୁ ଅର୍ଥ ବ୍ୟୟ ବରାଦ କରି ଜଳ ସେଚନ ବ୍ୟବସ୍ଥା ପାଇଁ ଏହି ସାଗର ଗୁଡିକ ଖନନ କରିଥିଲେ।ଏହି ଜଳାଶ୍ରୟ ଗୁଡିକୁ କେନାଲ ଯୋଗେ ସଂଯୋଗୀକରଣ ବ୍ୟବସ୍ଥା ମଧ୍ୟ କରା ଯାଇଛି।କୃଷ୍ଣସାଗର ଆୟତନ ଅନୁସାରେ 1984 ହେକ୍ଟର ଚାଷଜମିକୁ ଜଳସେଚିତ କରୁଥିବା ବେଳେ ରାମ ସାଗର 3066 ହେକ୍ଟର ଏବଂ ଗଜପତି ସାଗର 311 ହେକ୍ଟର ଚାଷଜମିକୁ ଜଳ ସେଚିତ କରେ। ତେବେ ଏହି ପୁନଃ ଉଦ୍ଧାର କାର୍ଯ୍ୟ ହେବା ଫଳରେ ଚାଷୀ ମାନଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି।
ତିନି ଜଳାଶୟ ର ପୁନଃ ଉଦ୍ଧାର କାର୍ଯ୍ୟ ଆରମ୍ଭ !!!

