Site icon Awaj Media

ରତନ ତାଳସିଙ୍ଗି ଗ୍ରାମରେ ଶ୍ରୀମତ ସ୍ୱାମୀ ନିଗମାନନ୍ଦ ପରମହଂସ ଦେବଙ୍କ ସଂଘାଧିବେଶ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରାୟଗଡ ବ୍ଳକ ଅନ୍ତର୍ଗତ ଗଣ୍ଡାହାତୀ ପଞ୍ଚାୟତର ରତନ ତାଳସିଙ୍ଗି ଗ୍ରାମରେ ପରିବ୍ରାଜକାଚାର୍ଯ୍ୟ ଶ୍ରୀମତ ସ୍ୱାମୀ ନିଗମାନନ୍ଦ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ସାରସ୍ୱତ ସଙ୍ଘ ସାଧନା ଅବଲମ୍ବନରେ ଗୁରାଣ୍ଡି ସାରସ୍ୱତ ସଙ୍ଘ ପକ୍ଷରୁ ଦୁଇଦିନ ଧରି ସଂଘାଧିବେଶନ ଅନୁଷ୍ଠିତ ହୋଇଯାଇଛି ।ଶନିବାର ସନ୍ଧ୍ୟା ସମୟରେ ଶ୍ରୀ ଶ୍ରୀ ଠାକୁର ମହାରାଜାଙ୍କୁ ଏକ ସୁସଜ୍ଜିତ ବିମାନରେ ଗ୍ରାମ ପରିକ୍ରମା କରାଯାଇଥିଲା । ଆଖପାଖ ଗ୍ରାମର କୀର୍ତ୍ତନ ମଣ୍ଡଳୀଙ୍କ ଦ୍ବାରା ଜୟଗୁରୁ ମହା ନାମ ସଂକୀର୍ତ୍ତନ ସହ ପ୍ରତ୍ୟେକ ଗୃହ ସମ୍ମୁଖରେ ପୂର୍ଣ୍ଣକୁମ୍ଭ ଏବଂ ପ୍ରଦୀପ ପ୍ରଜ୍ବଳନ କରି ଗ୍ରାମବାସୀ ଠାକୁରଙ୍କୁ ସ୍ୱାଗତ କରିଥିଲେ । ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହା ପରେ ଠାକୁରଙ୍କୁ ଏକ ମଣ୍ଡପରେ ପ୍ରତୀକ୍ଷା, ଆବାହନି, ଆଳତୀ ସ୍ତବ, ସ୍ତ୍ରୋତ୍ର ପାଠ କରି ଜୟଗୁରୁ କୀର୍ତ୍ତନ ସହ ବିଶ୍ରାମ ଦିଆଯାଇଥିଲା । ପର ଦିନ ପ୍ରାତଃ ସମୟରେ ସୁସଜ୍ଜିତ ମଣ୍ଡପରେ ପ୍ରଭାତୀ କୀର୍ତ୍ତନ,ପ୍ରତୀକ୍ଷା ଆବାହନୀ, ଆଳତୀ ସହ ଠାକୁରଙ୍କ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା । ପରେ ଗୁରୁଗୀତା, ଭଗବତଗୀତା ପାଠ କରାଯାଇଥିଲା । ଅନ୍ତରଙ୍ଗ ସଭା ଘାସିରାମ ପ୍ରଧାନ ଭାଇଙ୍କ ସଭାପତିତ୍ୱ ଏବଂ ପ୍ରସନ୍ନ ପାତ୍ର ଭାଇଙ୍କ ଉଦବୋଧନି ସଙ୍ଗୀତରେ ଅଧିବେଶନ ଆରମ୍ଭ ହୁଏ।ଛତ୍ରପୁର ସାରସ୍ୱତ ସଙ୍ଘ ସେବୀ ନରସିଂହ ଆଚାରି ଭାଇ ନିଜର ଅନୁଭୂତି ବର୍ଣ୍ଣନା କରିବା ସହ ବ୍ରହ୍ମପୁର ସାରସ୍ୱତ ସଙ୍ଘ ସେବୀ ତଥା ଜିଲ୍ଲା ସଦସ୍ୟ ରାମ ନାରାୟଣ ଆଚାରି ଭାଇ ଗୁରୁଙ୍କ ଗୁରୁତ୍ୱ ଏବଂ ଶିଷ୍ୟର କର୍ତ୍ତବ୍ୟ ସମ୍ପର୍କରେ କହିଥିଲେ। ବ୍ରହ୍ମପୁରସଙ୍ଘ ସେବୀ ସୁଲଚନା ମାଆ ଶ୍ରୀ ଶ୍ରୀ ଠାକୁରଙ୍କ ମାହାତ୍ମ୍ୟତା ସମ୍ପର୍କରେ ଭକ୍ତଙ୍କୁ ଅବଗତ କରାଇଥିଲେ। ମାଆ ମାନେ ଭକ୍ତିସଙ୍ଗୀତ ପରିବେଷଣ କରି ଥିଲେ।ପ୍ରାକ୍ତନ ବିଭାଗୀୟ ସଦସ୍ୟ ହୃଷିକେଶ ପାତ୍ର ଭାଇ ଠାକୁର ମହାରାଜାଙ୍କ ଜୀବନୀ ଓ ସାଧନାର ଚରମରେ ଜଗତ ଗୁରୁଙ୍କ ଇଚ୍ଛାରେ ଗୁରୁ ଭାର ନେଇ ଜଗତ ଉଦ୍ଧାର କାର୍ଯ୍ୟରେ ଠାକୁର କିପରି ବ୍ରତୀ ହେଲେ ତା ଉପରେ ସରଳ ଭାଷାରେ ଭକ୍ତମାନଙ୍କୁ ବୁଝାଇ ଥିଲେ।ଏହି ଅଧିବେଶନରେ ବହୁ ମାଆ, ଭାଇମାନେ ଓ ଗ୍ରାମବାସୀ ଯୋଗ ଦେଇଥିଲେ। ଶେଷରେ ଆବାହକ କାନ୍ତା ରାଓ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version