Site icon Awaj Media

ବିଚ଼ିତ୍ରମୟୀ ମା’ଭଗବତୀ : ବିଚ଼ିତ୍ର ତାଙ୍କରି ପରମ୍ପରା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଉତ୍କଳୀୟ କଳା,ସଂସ୍କୃତି ,ପରମ୍ପରା ଯେପରି ଭିନ୍ନ ଭିନ୍ନ,ଦେବା ଦେବୀଙ୍କ ପାଖରେ ପ୍ରଚଳିତ ପରମ୍ପରା , ନୀତିକାନ୍ତି ,ପର୍ବପର୍ବାଣୀ,ଜାନିଯାତ୍ରା ସେପରି ବିଚ଼ିତ୍ରମୟ ବାଣପୁରର ଆରାଧ୍ୟା ଦେବୀ ଭଗବତୀ । କାହିଁ କେଉଁ ରାଜ ରାଜୁଡ଼ା ଅମଳରୁ ପ୍ରଚଳିତ ମା’ଙ୍କ ପୀଠର ପରମ୍ପରା, ଜାନିଯାତ୍ରା, ପର୍ବପ ର୍ବାଣୀ, ନୀତିକାନ୍ତି ଅତି ବିଚ଼ିତ୍ରମୟ l କେତେବେଳେ ସେ ପରିଚ୍ଛା ପରିବାରର ଝିଅ ହୋଇ କାଚ଼ରା ଠାରୁ କାଚ଼ପିନ୍ଧି ବାପାଙ୍କ ଘରେ ତୋରାଣି ପିଇ ମନ୍ଦିରକୁ ଫେରିଲେଣି ତ କେତେବେଳେ ଭଉଣୀ ଶିଦ୍ଧେଶ୍ଵରୀଙ୍କ ଘରେ ଚ଼ୁଡ଼ା ଗୁଡ଼ ଦହିଖାଇ ଭଉଣୀଙ୍କୁ ବର୍ଷ ଆରମ୍ଭରୁ ଶାରଦୀୟ ପୂଜାକୁ ନିମନ୍ତ୍ରଣ କଲେଣି। ଅଶୋକାଷ୍ଟମୀରେ ଭଉଣୀ ନାରାୟଣୀଙ୍କୁ ନିମନ୍ତ୍ରଣ କରିବାକୁ ଯାଇ ବାଟରେ ଗତୀଶ୍ଵର ଦେବଙ୍କ ପୀଠରେ ଅଶୋକ ଫୁଲ ଓ ପଇଡ ପାଣି ପିଇ ବୈଶାଖର ଶୋଷ ମେଣ୍ଟାଇଲେଣିତ, ଭାଦ୍ରବ ଶୁକ୍ଳ ସପ୍ତମୀରେ ଚିଲିକାରେ ନୌବିହାର ସାରିଭଉଣୀ କାଳିଜାଇଙ୍କ ଆଜ୍ଞାମାଳ ଧରି ସାଆନ୍ତରାଙ୍କ ଦୁଆରେ ମଣ୍ଡା କାକରା ସାଙ୍ଗକୁ ମାଛ ପୋଡ଼ା ଖାଇ ଶୟନ କଲେଣି। ଏହି ବିଚ଼ିତ୍ରମୟ ପରମ୍ପରା ମା’ଙ୍କର ମାନବୀୟ ଲୀଳାର ପରି ପ୍ରକାଶ କୁ ଦେଖିଲେ ମନେହୁଏ କିଏ ସେ ଏପରି ରୀତିନୀତି ଖଞ୍ଜି ଦେଇଛି ଯେ ପ୍ରତ୍ୟେକଟି ରେ ସାମାଜିକ ମୂଲ୍ୟବୋଧ କିଛିନା କିଛି ରହିଛି I ଅଶୋକାଷ୍ଟମୀ ମା’ଙ୍କ ପୀଠର ଯାତ୍ରା ମାନଙ୍କ ଭିତରୁ ଏକ ପ୍ରମୁଖ ଯାତ୍ରା । ଅତୀତରେ ଆଜିର ଦିବସରେ ମା’ଭଗବତୀ ଦକ୍ଷିଣ ଦିଗ ରକ୍ଷାକାରିଣୀ ଭାଲେରୀ ପାହାଡ଼ ଖୋଲରେ ପୂଜିତା,ଖଲି କୋଟଗଡ଼ ରାଜାଙ୍କ ଇଷ୍ଟଦେବୀ ଭଉଣୀ ନାରାୟଣୀଙ୍କ ପୀଠକୁ ଯାତ୍ରା କରି ସେଠାରେ ପଣସପତ୍ର ଠୋଲାରେ ଅଶୋକଫୁଲ ଓ ପଇଡ଼ ପାଣିରେ ଲାଗି ହୋଇ ପୂଜା ପାଉଥିଲେ । ରାତ୍ର ପହରରେ ଦୁଇ ମା’ଙ୍କ ପାଖରେ କାକାରା ଧୂପ ହୋଇ ପାହାନ୍ତା ପହରରେ ମା’ଙ୍କ ଆଜ୍ଞାମାଳ ନେଇ ଫେରୁଥିବାର ସ୍ମୃତି ଏପର୍ଯ୍ୟନ୍ତ ରହିଛି। ଲୋକକଥା ଅନୁସାରେ ଏକଦା ଖଲ୍ଲିକୋଟ ରାଜା ମା’ଭଗବତୀ କାଠି ଠାକୁରାଣୀଙ୍କ ମହିମାରେ ବିଶ୍ୱାସ କରି ବଳ ପ୍ରୟୋଗ ପୂର୍ବକ ମା’ଙ୍କୁ ସେଠାରେ ସବୁଦିନ ପାଇଁ ରଖି ଦେବାକୁ ଗୁପ୍ତରେ ଯୋଜନା କରୁଥିବା କଥା ଜଣା ପଡ଼ିଯିବା ପରେ ବାଣପୁର ଗଡ଼ର ତଦନାନ୍ତିନ ରାଜା ପରବର୍ତ୍ତୀ କାଳରେ ମା’ଙ୍କୁ ନାରାୟଣୀ ପୀଠକୁ ନ ଛାଡ଼ି ପରମ୍ପରା ରକ୍ଷା ନିମନ୍ତେ ଭାଲେରୀ ପାହାଡ଼ର ପାଦ ଦେଶରେ ଦକ୍ଷିଣ ଦିଗର ମାଳିଗୋବିନ୍ଦପୁର ଗ୍ରାମ ନିକଟସ୍ଥ ଶାଳିଆକୂଳରେ ପୂଜିତ ଦେବଦେବ ଗତିଶ୍ଵର ଦେବଙ୍କ ପୀଠ ପର୍ଯ୍ୟନ୍ତ ଯାତ୍ରା କରି ସେଠାରେ ସମସ୍ଥ ପ୍ରକାର ସମାନ ନୀତିକାନ୍ତି ବିଧିବିଧାନ ଶେଷ କରି ମନ୍ଦିରକୁ ବାହୁଡ଼ିବାର ପରମ୍ପରା ଏଯାବତ୍ ଚଳି ଆସିଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ଠାରୁ ପ୍ରକାଶ । ମଙ୍ଗଳାବାର ପ୍ରତ୍ୟୁଷରୁ ବାବା ଗତିଶ୍ଵର ଦେବଙ୍କ ନିମନ୍ତ୍ରଣ ରକ୍ଷା କରି ସକାଳର ସମସ୍ତ ନୀତିକାନ୍ତି ଶେଷରେ ମା’ ଭଗବତୀ କାଠିଠାକୁରାଣି,ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଦେବ, ଶ୍ରୀ ଗୋପୀନାଥ ଦେବ ଏବଂ ଶ୍ରୀ ରଙ୍କନାଥ ଦେବ ଦକ୍ଷେଶ୍ଵର ମନ୍ଦିରରୁ ଥାଟ ପଟୁଆରରେ ନିଯୋଗୀ ସେବାୟତଙ୍କ ସହିତ ଘଣ୍ଟା ଘଣ୍ଟ କାହାଳୀ ଢ଼ୋଲବାଦ୍ୟ, ଆଲଟ ଚ଼ାମର ଚତ୍ରତରାସ ସହିତ ମାଳି ଗୋବିନ୍ଦପୁର ଗ୍ରାମ ପରିକ୍ରମା କରି ଗତିଶ୍ଵର ଦେବଙ୍କ ପୀଠରେ ପହଞ୍ଚିବାପରେ ସେବାୟତଙ୍କ ତରଫରୁ ସେଠାରେ ଦେବା ଦେବୀଙ୍କୁ ପୁଷ୍ପଚନ୍ଦନ, ଆଲଟଚାମରରେ ସ୍ବାଗତ କରାଯାଇଥିଲା । ପରେ ସମସ୍ତ ଦେବାଦେବୀଙ୍କୁ ପଣସ ପତ୍ରଠୋଲାରେ ଅଶୋକ ଫୁଲ ଓ ପଇଡ଼ଦ୍ୱାରା ଆପ୍ୟାୟିତ କରାଯାଇଆଳତି ବଢ଼ିଥିଲା ।ପବିତ୍ର ଅଶୋକାଷ୍ଟମୀରେ ମା’ଙ୍କୁ ଦର୍ଶନକରି ଅଶୋକ ଫୁଲପ୍ରସାଦସହିତ ଆଶୀର୍ବାଦ ଲାଭ କରିବାକୁ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ସ୍ଥାନୀୟ ପୋଲିସ୍, ମନ୍ଦିର ପ୍ରଶାସନ, ଓ ମାଳି ଗୋବିନ୍ଦପୁର ଗ୍ରାମବାସୀଙ୍କ ତରଫରୁ ସମସ୍ଥ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଥିଲା ।।

Exit mobile version