Site icon Awaj Media

ରଜ ପାଳିଲେ ମା’ଭଗବତୀ : ୧୭ ତାରିଖ ଠାକୁରାଣୀ ସ୍ନାନ ଦିନ ଶ୍ରଦ୍ଧାଳୁ ଙ୍କୁ ସୁନାବେଶରେ ଦର୍ଶନ ଦେବେ ମା’ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶାର ଗଣପର୍ବ ରଜ ସାରା ଓଡ଼ିଶାରେ ଧୁମ୍ ଧାମ୍ ରେ ପାଳିତ ହେଉଥିଲା ବେଳେ ଖୋର୍ଦ୍ଧା ଜିଲ୍ଲାର ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା’ଭଗବତୀଙ୍କ ପୀଠ ମଧ୍ୟ ବେଶ୍ ଉତ୍ସବ ମୁଖର ହୋଇପଡ଼ିଛି । ଓଡ଼ିଆ ଘରର ଝିଅ, ବୋହୂ ମାନେ ଏହାକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରୁଥିବାବେଳେ, ଏଠାରେ ମା’ଦେବୀ ଭଗବତୀ ପ୍ରକୃତି ସ୍ଵରୂପିଣି ନିଜେ ରଜସ୍ଵଳା ନାରୀପରି ତିନିଦିନ ଧରି ରଜବତୀ ହୋଇ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବାର ନିଆରା ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି । ଏହି ତିନିଦିନ ମା’ଙ୍କର ଅଙ୍ଗରାଗ ମାଜଣା (ସ୍ନାନ) ହୁଏ ନାହିଁ । ମା’ଙ୍କୁ କେବଳ ଅଗାଧୁଆ ରେ ସମସ୍ତ ନୀତିକାନ୍ତି ଶେଷ କରାଯାଇଥାଏ । ପହିଲି ରଜ ପ୍ରତ୍ୟୁଷରୁ ପାଳିଆ ମାଳି ସେବାୟତ ମାନେ ଦ୍ଵାର ଫିଟା କରି ମା’ଙ୍କୁ କେବଳ ଜଳସିଂଞ୍ଚନ ପରେ ବେଶ କରାଇ ବଲ୍ଲଭ ଆଳତି ପରେ ସମସ୍ତ ନୀତିକାନ୍ତି ଶେଷ କରନ୍ତି । ଏହି ତିନିଦିନ ସ୍ଥାନୀୟ ଅଞ୍ଚଳର ରଜପାଳନ କରୁଥିବା କୁଆଁରୀ ଝିଅ, ବୋହୂ ,ବିବାହିତ ମହିଳା ମାନେ ମା’ଙ୍କୁ ଦର୍ଶନ କରିବାକୁ ମନ୍ଦିରକୁ ଯାଇ ନଥାନ୍ତି । ରଜପର୍ବ ଏକ କୃଷିଭିତ୍ତିକ ପର୍ବ । ଓଡ଼ିଶାର କୃଷକ ଭାଇ ମାନେ ନିଜ ନିଜର ଶସ୍ୟ କ୍ଷେତ୍ରରେ ଚାଷ ବାଷ କରି ବିହନ ବୁଣି ପ୍ରଥମ ବର୍ଷାକୁ ଅପେକ୍ଷା କରନ୍ତି । ରଜ ତିନିଦିନ ପୃଥିବୀ ମାତା ରଜସ୍ବଳା ବା (ଅଙ୍କୁରୋଦ୍ଗମ) ପାଇଁ ଉପଯୁକ୍ତ ହୋଇଥାଏ ହୋଇ ବୋଲି ବିଶ୍ୱାସ ରହିଛି । ଏହି ସମୟରେ ଆକାଶରୁ ଝରି ପଡ଼ୁଥିବା ପ୍ରଥମ ବର୍ଷାର ସ୍ପର୍ଶରେ ବିହନ ଅଙ୍କୁରିତ ହୋଇ ଶସ୍ୟ ଶ୍ୟାମଳା ହୁଏ ବସୁମତି ରାଣି । ଏହି ପର୍ବ ଧରଣୀ (ବସୁମତି ) ଓ ଆକାଶର ମହାମିଳନର ପର୍ବ ଭାବରେ ପାଳନ କରାଯାଏ । ଏଠାରେ ମା’ଭଗବତୀଙ୍କୁ ପ୍ରକୃତି ସ୍ଵରୁପିଣୀ , ମହାଲକ୍ଷ୍ମୀ ଅନ୍ନପୂର୍ଣ୍ଣା ଭାବରେ ପୂଜାର୍ଚ୍ଚନା କରାଯାଏ, ଯାହାଙ୍କ ଆଶୀର୍ବାଦରେ କୃଷି କ୍ଷେତ୍ର ଶସ୍ୟ ଶାମଳା ହୋଇ ଧରଣୀର ସଚ଼ରା ଚ଼ର ଜୀବ ଜଗତ ଆହାର ଲାଭ କରି ଶୁଖ ଶାନ୍ତିରେ ଜୀବନ ନିର୍ବାହ କରନ୍ତି । ଚଳିତ ୧୭ ତାରିଖ ସୋମବାର ଦିନ ମା’ ଭଗବତୀ ବସୁମତି ସ୍ୱରୂପାଙ୍କ ମହାସ୍ନାନ, ମା’ ରାଜରାଜେଶ୍ଵରୀ ବେଶରେ ସୁନ୍ଦର ସ୍ଵର୍ଣ୍ଣ ରୌପ୍ୟ ନିର୍ମିତ ଅଳଙ୍କାର ପରିଧାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଏଥିପାଇଁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ସମସ୍ଥ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଦେବୋତ୍ତର କାର୍ଯ୍ୟନିର୍ବାହୀ ବାଳମୁକୁନ୍ଦଦାସ ପ୍ରକାଶ କରିଛନ୍ତି I

Exit mobile version