Site icon Awaj Media

ପଦ୍ମପୁର ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ !!!

Spread the love

ପଦ୍ମପୁର ( ଆୱାଜ ମିଡ଼ିଆ ) – ଭାରତୀ ଭୋଇ : ପଦ୍ମପୁର ସ୍ଥିତ ରାଜାଜୀ ଟାଉନ ହଲ ଠାରେ ରାଜବୋରାସମ୍ବର ବ୍ଲକ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ, ପଦ୍ମପୁରର ମିଳିତ ଆନୁକୂଲ୍ୟରେ ଏବଂ ଯୋଗ ମହୋତ୍ସବ ସମିତି, ପଦ୍ମପୁରର ସହଯୋଗରେ ଆନ୍ତର୍ଜାତିକ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପଟେଲ ମୁଖ୍ୟ ଅତିଥି ଓ ଆଚାର୍ଯ୍ୟ କୃଷ୍ଣଦେବ ଶାସ୍ତ୍ରୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ନୂଆପାଲି ସ୍ଥିତ ନବପ୍ରଭାତ ଗୁରୁକୁଳ ଆଶ୍ରମର ବ୍ରହ୍ମଚାରୀ ମାନେ ଯୋଗାଭ୍ୟାସ କରାଇଥିଲେ । ଏଥିରେ ପଦ୍ମପୁର ନଗର ତଥା ବିଭିନ୍ନ ଗ୍ରାମରୁ ଶତାଧିକ ସଂଖ୍ୟାରେ ଜନସାଧାରଣ ଯୋଗଦାନ କରିଥିଲେ । ଏହି ଅବସରରେ ଲମ୍ବା ସମୟ ଧରି ଯୋଗର ପ୍ରଚାର ପ୍ରସାରରେ ନିଜକୁ ବ୍ରତୀ କରିଥିବା ଯୋଗ ମହୋତ୍ସବ ସମିତି, ଓଡ଼ିଶାର ବରଗଡ଼ ଜିଲ୍ଲା ସଂଯୋଜକ ଶ୍ରୀ ମାର୍ତ୍ତଣ୍ଡ ଦେବ ସାହୁଙ୍କୁ ତାଙ୍କ ସେବା ପାଇଁ ମାନନୀୟ ଉପଜିଲ୍ଲାପାଳ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଯୋଗାଭ୍ୟାସ ପରିସମାପ୍ତି ପରେ ସମସ୍ତେ ଯୋଗକୁ ନିଜ ଦୈନିକ ଜୀବନ ଚର୍ଯ୍ୟାରେ ସାମିଲ କରିବା ପାଇଁ ଶପଥ ନେଇଥିଲେ । ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ରାଜବୋରାସମ୍ବର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଚନ୍ଦ୍ରମଣି ନାଗ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରାମଚନ୍ଦ୍ର ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ମହୋତ୍ସବ ସମିତି, ପଦ୍ମପୁରର ସଭାପତି ପ୍ରଶାନ୍ତ ପଟ୍ଟନାୟକଙ୍କ ସମେତ ବାଞ୍ଛାନିଧି ପଣ୍ଡା, ଶିରିଶ ବହିଦାର, ରାମଚନ୍ଦ୍ର ତ୍ରିପାଠୀ, ସମାଜସେବୀ ନିରୋଜ ଦୋରା, ଭାସ୍କର ଦାଶ, ଜୟନାରାୟଣ ତ୍ରିପାଠୀ, ଚନ୍ଦ୍ରଶେଖର ପୁରୋହିତ, ଭକ୍ତଚରଣ ସାହୁ, ସୁନୀଲ ଅଗ୍ରୱାଲ, ବୈଦ୍ୟନାଥ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ। ଯୋଗ ମହୋତ୍ସବ ସମିତିର ସଦସ୍ୟ ରୀତେଶ ରଞ୍ଜନ ମେହେର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନାଗ ମହୋଦୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ବ୍ୟତୀତ ରାଜବୋରାସମ୍ବର ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ, ପଦ୍ମପୁରର ସମସ୍ତ କର୍ମଚାରୀ ଏବଂ ମାରବାଡ଼ି ଯୁବାମଞ୍ଚର ସଦସ୍ୟମାନେ ମଧ୍ୟ ସକ୍ରିୟ ଯୋଗଦାନ କରି ଏହାକୁ ସଫଳ କରିଥିଲେ ।

 

Exit mobile version