Site icon Awaj Media

୫୦ ବର୍ଷର ପୁରାତନ ପ୍ରାଥମିକ ବିଦ୍ୟାଳୟ ପ୍ରତି ଶିକ୍ଷା ବିଭାଗର ବୈମାତୃକ ମନୋଭାବ କାହିଁକି ???

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବପଲମେଣ୍ଡି (ଲା) ଗ୍ରାମପଞ୍ଚାୟତର ସଲାଗୁଡ଼ା ଗ୍ରାମରେ ୧୯୭୫ ମସିହା ରେ ନିର୍ମାଣ ହୋଇଥିବା ବିଦ୍ୟାଳୟଟି ଏବେ ବହୁ ସମସ୍ୟା ମଧ୍ୟରେ ଗତି କରୁଛି । ବିଦ୍ୟାଳୟ ନିର୍ମାଣର ୫୦ ବର୍ଷ ହୋଇଥିଲେ ମଧ୍ୟ ବିଦ୍ୟାଳୟ ନାଁରେ ନିର୍ମାଣ ହୋଇଥିବା ଅନ୍ତେବାସୀ କୋଠାର ଜମି ଅନ୍ୟମାନଙ୍କ ନାଁରେ ପଟ୍ଟା ଅଛି l ଖାତା ନଂ ୮୦, ପ୍ଳଟ ନଂ ୨୬୮/୧୧୫୨/୮୭୫ ଟି ବିଶ୍ବମ୍ବର ମଳିକ, ଦୟାନିଧି ମଳିକ, ବଶିଷ୍ଟ ମଳିକ, ଶିବୁନା ମଳିକଙ୍କ ନାମରେ ପଟ୍ଟା ଅଛି। ଉକ୍ତ ବ୍ୟକ୍ତିଙ୍କ ବାପାମାନେ ବିଦ୍ୟାଳୟ ନିର୍ମାଣ ପାଇଁ ଜାଗାଟିକୁ ଦାନସୂତ୍ରେ ପ୍ରଦାନ କରିଥିଲେ ବୋଲି ଗ୍ରାମବାସୀଙ୍କ ଠାରୁ ଶୁଣିବାକୁ ମିଳୁଛି। କିନ୍ତୁ ଏହାର କୌଣସି ପ୍ରମାଣ ନାହିଁ । ବର୍ତ୍ତମାନ ଏହି ବିଦ୍ୟାଳୟରେ ଆଦିବାସୀ ସମନ୍ବିତ ଆନୁକୂଲ୍ୟରେ ४० ଶଯ୍ୟା ବିଶିଷ୍ଟ ୩୦ ବର୍ଷ ହେବ ଚାଲୁଅଛି। ବର୍ତମାନ ବିଦ୍ୟାଳୟରେ ୭୦ ଜଣ ଛାତ୍ରଛାତ୍ରୀ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପଢୁଛନ୍ତି। ନା ଅଛି ଶ୍ରେଣୀଗୃହ ନା ଅଛି ଛାତ୍ରାବାସ। ବର୍ତ୍ତମାନ ଅନ୍ତେବାସୀଙ୍କ କୋଠାରେ ବର୍ଷା ପାଣି ଗଳୁଛି। ଏଠାରେ ରହିବାର ସୁବିଧା ନଥିବାରୁ ୪୦ ଜଣ ରହିବା ବଦଳରେ ହଷ୍ଟେଲରେ ମାତ୍ର ୨୧ ଜଣ ଛାତ୍ର ରହୁଛନ୍ତି। ଅନ୍ୟ ଏକ ଶ୍ରେଣୀ ଗୃହ ରୂପେ ବ୍ୟବହାର ହେଉଥିବାରୁ ଚଟାଣଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି, ଯାହାକି, କଞ୍ଚା ମାଟିରେ ତାଳି ପକାଯାଇ କାମ ଚଳାଯାଉଛି। ଏହି ବିଦ୍ୟାଳୟ ରେ ୫ଜଣ ଶିକ୍ଷୟତ୍ରୀ ଶିକ୍ଷକ ଶିକ୍ଷାଦାନ କରୁଥିବା ବେଳେ ସର୍ବଶିକ୍ଷା ଅଭିଯାନରେ ନିର୍ମାଣ ହୋଇଥିବା ଶୌଚାଳୟଟି ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଏପରିକି ଛାତ୍ରାବାସରେ ନା ଅଛି ପାଣି ନା ଅଛି ଆକ୍ଵାଗାର୍ଡ I କୂପ ଏବଂ ସରକାରୀ ଯୋଗାଣରେ ଆସୁଥିବା ପାଣିରେ ଚାଲୁଛି ମଧ୍ୟାହ୍ନ ଭୋଜନ ଏବଂ ଅନ୍ତେବାସୀଙ୍କ ଖାଦ୍ୟ ପ୍ରସ୍ତୁତି।ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିଦ୍ୟାଳୟର ସମସ୍ୟା ସମାଧାନ କରିବା ପାଇଁ ବିଦ୍ୟାଳୟ କମିଟି ପକ୍ଷରୁ ଅନୁରୋଧ କରାଯାଇଛି।

Exit mobile version