Site icon Awaj Media

ସୁକିନ୍ଦାରେ ନିଆରା ବାସି ରଥଯାତ୍ରା : ରଥ ଟାଣିଲେ ମନ୍ତ୍ରୀ ଓ ସାଂସଦ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାରେ ନିଆରା ବାସି ରଥଯାତ୍ରା, ରଥ ଟାଣିଲେ ମନ୍ତ୍ରୀ ଓ ସାଂସଦ ! ସୁକିନ୍ଦାରେ ବାସି ରଥଯାତ୍ରା ଏକ ନିଆରା ପରମ୍ପରା । ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ସମ୍ମାନ ଦେଇ ତତ୍କାଳୀନ ସୁକିନ୍ଦା ରାଜା ସାହେବ ଏହି ନିଆରା ପରମ୍ପରା ଆରମ୍ଭ କରିଥିଲେ । ପୁରୀ ଗୁଣ୍ଡିଚା ଯାତ୍ରାରେ ସୁକିନ୍ଦା ରାଜାଙ୍କ ଚାମରସେବା ଥିବାରୁ ସୁକିନ୍ଦାରେ ଏହି ନିଆରା ପରମ୍ପରା ଚାଲି ଆସିଥିବା କୁହାଯାଏ । ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସେବାୟତ ମାନେ ରଥାରୂଢ଼ କରିବା ପରେ ରାଜା ସାହେବ ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର ଛେରା ପହଁରା କରିଥିଲେ । ଯଥାବିଧି ପୂଜାର୍ଚ୍ଚନା କରିବା ପରେ ରଥକୁ ଥରେ ମାତ୍ର ଟଣା ଯାଇଥିଲା । ଆଜି ଭକ୍ତ ମାନେ ରଥକୁ ନେଇ ଗୁଣ୍ଡିଚା ମନ୍ଦିର ସମ୍ମୁଖ ରଥଖଳାରେ ପହଞ୍ଚାଇଥିଲେ । ରଥ ଟଣା ସମୟରେ ବିଶିଷ୍ଟ ପ୍ରବଚକ ବିଦ୍ୟାଧର ପୃଷ୍ଟି ଓ ଦୁଃଖିଶ୍ୟାମ ଦୋରା ଭକ୍ତ ମାନଙ୍କୁ ଜଗନ୍ନାଥ ଚେତନା ଶୁଣାଇବା ସହ ପ୍ରମୋଦ କୁମାର ଓଝା ଭଜନ ମାଧ୍ୟମରେ ଭକ୍ତ ମାନଙ୍କୁ ଉତ୍ସାହିତ କରିଥିଲେ । ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଯାଜପୁର ସାଂସଦ ରବୀନ୍ଦ୍ର କୁମାର ବେହେରା, ପୂର୍ବତନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇ ପ୍ରମୁଖ ପହଞ୍ଚି ଭକ୍ତ ମାନଙ୍କ ଗହଣରେ ରଥ ଟାଣିଥିଲେ । ସ୍ଥାନୀୟ ଦେବୋତ୍ତର ବିଭାଗ ମୁଖ୍ୟ ତଥା ତହସିଲଦାର ଦମୟନ୍ତୀ ସାହୁଙ୍କ ତତ୍ତ୍ୱାବଧାନରେ ଯାତ୍ରାରେ ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ ଟପେ, ସୁକିନ୍ଦା ଥାନା ଅଧିକାରୀ, କାଳିଆପାଣି ଥାନା ଅଧିକାରୀ, ଅତିରିକ୍ତ ତହସିଲଦାର ପ୍ରିୟରଞ୍ଜନ ଜେନା, ବିଡ଼ିଓ ଅଭିଷେକ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବ୍ୟବସ୍ଥା ନିୟନ୍ତ୍ରଣ କରିଥିଲେ । ଚଳିତ ବର୍ଷ ନୂତନ ବିଗ୍ରହ ସ୍ଥାପନ ହୋଇଥିବାରୁ ପ୍ରଭୁଙ୍କ ଦର୍ଶନ ପାଇଁ କୋଡିଏ ହଜାରରୁ ଉର୍ଦ୍ଧ୍ଵ ପୁରୁଷ ଓ ମହିଳା ଭକ୍ତଙ୍କ ସମାଗମ ହୋଇଥିଲା । ଯାତ୍ରାରେ ଭକ୍ତ ମାନଙ୍କ ପାଇଁ ମଠ ମନ୍ଦିର ସୁରକ୍ଷା ସଂଗଠନ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସ୍ଥାନୀୟ ଯୁବ ସଂଗଠକ ମାନେ ଯାତ୍ରୀଙ୍କ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ସକ୍ରିୟ ରହିଥିଲେ ।

Exit mobile version