ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଘରେ ଘରେ ତ୍ରିରଙ୍ଗା ଅଭିଯାନ ସମ୍ପର୍କିତ ଏକ ବିରାଟ ଶୋଭାଯାତ୍ରା ସମେତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଗଜପତି ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ବ୍ୟାପକ ଭାବେ ଆଗେଇ ଚାଲିଛି । ଏହି ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସକାଳ ୭ ଘଟିକା ସମୟ ମଧ୍ୟରେ ସ୍ଥାନୀୟ ପ୍ୟାଲେସ ଛକ ଠାରୁ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ଯୋଗଦେଇ କହିଥିଲେ ଯେ , ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କ ଆହ୍ବାନ ଓ ଦିଗଦର୍ଶନ ଅନୁଯାୟୀ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମଗ୍ର ଭାରତ ବର୍ଷର ନାଗରିକ ମାନଙ୍କୁ ଏଥିରେ ସାମିଲ କରି ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେବା ସହ ଭାରତୀୟ ମାନଙ୍କ ସ୍ୱାଭିମାନର ପ୍ରତୀକ ତ୍ରିରଙ୍ଗା ପତାକାକୁ ଘରେ ଘରେ ସମ୍ମାନର ସହ ଲଗାଇ ଉଡାଇବା ଏବଂ ଗର୍ବରେ କହିବା ଆମେ ଭାରତୀୟ ଏହି ସବୁ ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଜିଲ୍ଲାପରିଷଦ ଡ଼ଃ ଗୁଣନିଧି ନାୟକ ମିଳିତ ଭାବେ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରାରେ ପାରଳାଖେମୁଣ୍ଡି ସହରର ସମସ୍ତ ସ୍କୁଲ ଓ କଲେଜର ହଜାରଧିକ ଛାତ୍ରଛାତ୍ରୀ ମାନେ ସାମିଲ ହୋଇ ହାତରେ ତ୍ରିରଙ୍ଗା ପତାକା ଧରି “ଭାରତ ମାତା କି ଜୟ” ଏବଂ “ହର ଘର ତ୍ରିରଙ୍ଗା” ଉପରେ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ସେଠାରେ ଦସ୍ତଖତ ଅଭିଯାନ ଏବଂ ସେଲଫି ନେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନରେ ଏହି ଅବସରରେ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ତ୍ରିରଙ୍ଗା ଅଭିଯାନ ଉପରେ ଏକ ସଚେତନତା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ , ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ୱାଇ.ଧର୍ମାରାଓ , ବରିଷ୍ଠ ଶିକ୍ଷକ ଶ୍ରୀ ଡି. ମୂର୍ତ୍ତୀ ବାବୁ , ଜିଲ୍ଲା ଶିକ୍ଷା ବିଭାଗର ଶାରୀରିକ ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ସମେତ ମିରାକଲ ଡେନ୍ସ ଗ୍ରୁପ ର ନିର୍ଦ୍ଦେଶକ ଶ୍ରୀ ଶୁଭେନ୍ଦୁ ସେନାପତି ଏବଂ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ରର ନିର୍ଦ୍ଦେଶିକା ଶ୍ରୀମତୀ ଡି.ପ୍ରିୟଙ୍କା ପ୍ରମୁଖ ମଞ୍ଚାସିନ ରହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ।
ଘରେ ଘରେ ତ୍ରିରଙ୍ଗା ଅଭିଯାନ : ବିରାଟ ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

