Site icon Awaj Media

ରାସ୍ତାଘାଟ ପାଲଟିଛି ମରଣଯନ୍ତା : ଗଜପତି ପୂର୍ତ୍ତ ବିଭାଗ ସାଜିଛି ନିଦା ବିଷ୍ଣୁ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ପୂର୍ତ୍ତ ବିଭାଗ ସାଜିଛି ନିଦା ବିଷ୍ଣୁ । ଜିଲ୍ଲାର ବିଭିନ୍ନ ମୁଖ୍ୟ ରାସ୍ତାଘାଟ ମରଣଯନ୍ତା ପାଲଟିଛି । ପୂର୍ତ୍ତ ବିଭାଗ ଅଧୀନ ପ୍ରାୟତଃ ସମସ୍ତ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇଛି । ବର୍ଷା ଦିନେ ଖାଲଖମା ବୃଦ୍ଧି ହେବାରେ ଲାଗିଛି । ଏହି ବିଭାଗ ଅଧୀନରେ ଥିବା ଜିଲ୍ଲା ସଦର ମହକୁମା ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ରାସ୍ତା ଶୋଚନୀୟ ହୋଇପଡ଼ିଛି । ଖାଲଖମା ସମ୍ପର୍କରେ ଅଭିଯୋଗ କଲେ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବାର ଅଭିଯୋଗ ହେଉଛି । ଜିଲ୍ଲାର ଏପରି ଏକ ପ୍ରମୁଖ ସ୍ଥାନ ଗୋଷାଣି ବ୍ଲକ ଗାରାବନ୍ଧ ଗ୍ରାମ ଦେଇ ଯାଇଥିବା ରାଜ୍ୟ ରାଜପଥ ମଧ୍ୟ ଭାଗରେ ଅନେକ ଖାଲଖମା ସୃଷ୍ଟି ହୋଇ ଥିବାର ଦେଖିବାକୁ ମିଳିଛି।ପୂର୍ତ୍ତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରତିଦିନ ଲୋକେ ଖାଲଖମା ଯୋଗୁଁ ଦୁର୍ଘଟଣାର ସମ୍ମୁଖୀନ ହେଉ ଥିବାର ଅଭିଯୋଗ ହେଉଛି। ପ୍ରକାଶ ଥାଉ କି ଯେ ଗାରାବନ୍ଧ ଗ୍ରାମ ଦେଇ ଯାଇଥିବା ରାଜ୍ୟ ରାଜପଥ ଗଜପତି ଜିଲ୍ଲାର ଲାବଣ୍ୟଗଡ଼ ଠାରୁ ଆନ୍ଧ୍ର ପ୍ରଦେଶର ଚେପରା, ମିଳିଆପୁଟ ଆଦି ଦେଇ ପୁଣି ଓଡ଼ିଶାର ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି, କାଶୀନଗର, ରାୟଗଡ଼ା ଜିଲ୍ଲା ଗୁଣୁପୁର ପର୍ଯ୍ୟନ୍ତ ପ୍ରାୟ ୭୦ରୁ ଊର୍ଦ୍ଧ୍ବ କିଲୋମିଟର ବ୍ୟାପିଛି। ଏହି ରାଜ୍ୟ ରାଜପଥ ଉପରେ ରାୟଗଡ଼ା ଜିଲ୍ଲା ସମେତ,ଗଜପତି ଜିଲ୍ଲା ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶର ବହୁ ଗ୍ରାମାଞ୍ଚଳ ଲୋକେ ବ୍ରହ୍ମପୁର, ଭୁବନେଶ୍ବର ସମେତ ଆନ୍ଧ୍ରପ୍ରଦେଶର ବିଭିନ୍ନ ସହରକୁ ଯାତାୟତ କରୁଛନ୍ତି । ଏଥି ଯୋଗୁଁ ଦୈନନ୍ଦିନ ଶହ ଶହ ଗାଡି ମୋଟର ଯାତାୟତ କରୁଛି। ହେଲେ ଗାରାବନ୍ଧ ଗ୍ରାମ ମଧ୍ୟରେ ପ୍ରବେଶ କରିବା ମାତ୍ରେ ପ୍ରାୟ ୨୦ ମିଟର ଖାଲଖମା ଭରା ରାସ୍ତା ରହିଛି । ବିଭିନ୍ନ ସ୍ଥାନରେ ଖାଲ ଖମା ଯୋଗୁଁ ରାସ୍ତା ଘାଟ ଶୋଚନୀୟ ହୋଇ ପଡିଛି।ଏଥି ପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଶୁଭ ଦୃଷ୍ଟି ପଡିଲେ ଅଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି !

Exit mobile version