Site icon Awaj Media

ଦୃଷ୍ଟି ଆଢୁଆଳରେ ବାଣପୁର ଅଞ୍ଚଳର ‘ଢୁଢୁଆ ଜଳ ଉତ୍ସ’ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡିଶାର ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳ ଅନ୍ୟତମ । ବାଣପୁର ଅଞ୍ଚଳରେ ଅନେକ ପର୍ଯ୍ୟଟନସ୍ଥଳ ରହିଛି । ସେଥି ମଧ୍ୟରୁ ମା’ ଭଗବତୀଙ୍କ ପୀଠ, ମା’ ବୀରଜାଈଙ୍କ ପୀଠ, ମା’ ତାରେଣୀ ପୀଠ, ପୂରାତନ ଭଗ୍ନ ମନ୍ଦିର ବାବା ସ୍ୱପ୍ନେଶ୍ୱର ଶୈବପୀଠ, ଶାଳିଆଡ୍ୟାମ ଆଦି ରହିଛି । ସେଥି ମଧ୍ୟରୁ ଢୁଢୁଆ ଜଳ ଉତ୍ସ ଅନ୍ୟତମ । ଏଠାକୁ ବର୍ଷ ତମାମ୍ ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଲୋକଙ୍କ ଆଗମନ ଲାଗି ରହିଥାଏ । ମାତ୍ର ଏହାର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ କିମ୍ବା ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉନଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି । ୧୬ନମ୍ବର ଜାତୀୟ ରାଜପଥଠାରୁ ପ୍ରାୟ ୩୦କିଲୋମିଟର ଦୂର ବାଣପୁର ବ୍ଳକ ଆଦିବାସୀ ଅଧ୍ୟୁଷିତ ନୀଳାଦ୍ରି ପ୍ରସାଦ ପଞ୍ଚାୟତର ଜିରିପଡା ଗ୍ରାମରେ ଅବସ୍ଥିତ ଢୁଢୁଆ ଜଳଉତ୍ସ । ଏହା ଜନ ବସତି ଠାରୁ ବହୁ ଦୂରରେ ଥିଲେ ମଧ୍ୟ ଏହାର ଆକର୍ଷଣ ନିଆରା । ଏଠାରେ ଦିବା ନିଶି ଢୁ ଢୁ ଶଦ୍ଦକରି ଏକ ଛୋଟ ପାହାଡରୁ ତଳକୁ ଖସି ଆସି କୁଳୁ କୁଳୁ ନାଦ କରି ଶାଳିଆ ନଦୀ ଅଭିମୁଖେ ବହି ଯାଉଥିବାରୁ ସ୍ଥାନୀୟ ଅଧିବାସୀମାନେ ଏହାର ନାମ ଦେଇଛନ୍ତି ‘ଢୁ ଢୁଆ’ । ଏହି ଢୁଢୁଆ ଜଳ ଉତ୍ସ ଏସିଆ ମହାଦେଶର ସର୍ବ ବୃହତ୍ତମ ଶାଳ ଶାଗୁଆନ ବରବରା ଜଙ୍ଗଲ ନୀଳାଦ୍ରିପ୍ରସାଦ ପଞ୍ଚାୟତରେ କାହିଁ କେଉଁ କାଳରୁ ଅବସ୍ଥିତ । ଢୁଢୁଆ ଜନ ବସତି ଅନ୍ତରାଳେ ରହିଥିବାରୁ ସ୍ଥାନୀୟ ଅଧିବାସୀଙ୍କ ବ୍ୟତୀତ ବହୁ ଅଳ୍ପ ସଂଖ୍ୟକ ପର୍ଯ୍ୟଟକ ଏହାର ଅବସ୍ଥିତି ବିଷୟରେ ଜାଣିପାରିଥିଲେ । ଏଠାର ପ୍ରାକୃତି ଦୃଶ ଅତି ମନୋହର । ଧୂଆଁନଳି ପାହାଡର ଏକ ସ୍ଥାନରୁ ବାହାରିଛି ଏହି ଜଳଉତ୍ସ । ଖରା ବର୍ଷା ଓ ଶୀତ କାକରରେ ବହି ଚାଲିଛି ବର୍ଷ ତମାମ ନିମ୍ନକୁ । ଏଥିରୁ ନିସୃତ ଜଳ ସୃଷ୍ଟି କରିଛି କ୍ଷୁଦ୍ର ନଈ । ଯାହାକି ଶାଳିଆ ଡ୍ୟାମରେ ମିଶିଛି । ଏହାର ଜଳ ଅତି ନିର୍ମଳ ଓ ସୁଶୀତଳ । ଖାଦ୍ୟ ପରେ ଏହାର ଜଳ ପାନ କରିଲେ ଅକ୍ଳେଶରେ ଖାଦ୍ୟ ହଜମ ହୋଇ ଯାଉଥିବାରୁ ଏବଂ ପାହାଡରେ ବହୁ ଔଷଧ ଜାତୀୟ ଗୁଲ୍ମ ଲତା ରହିଥିବାରୁ ଏହି ଜଳରେ ଔଷଧୀୟ ଗୁଣଥିବା ଆଲୋଚନା ହେଉଛି । ବରବରା ଜଙ୍ଗଲ ଏସିଆ ମହାଦେଶର ସର୍ବ ବୃହତ୍ତମ ଶାଗୁଆନ ଜଙ୍ଗଲ । ଏହା ମଧ୍ୟରେ ବହୁ ଦର୍ଶନୀୟ ସ୍ଥାନ ରହିଛି । ଢୁଢୁଆ ନିକଟରେ ଏହି ପୀଠ ଗୁଡିକ ଥିବାରୁ ଏଠାକୁ ବଣଭୋଜି କରିବାକୁ ଆସୁଥିବା ଯାତ୍ରୀମାନେ ଢୁଢୁଆରେ ଗାଧେଇବା ମଜା ନେଇଥାନ୍ତି । ଏଠାକାର ପରିବେଶ ଅତି ମନୋହର । କିନ୍ତୁ ଏହାର ବିକାଶ ପାଇଁ ପ୍ରଶାସନ ନଜର ଦେଉନାହିଁ । ପ୍ରଶାସନ ଓ ପଯର‌୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଏହାକୁ ଏକ ଦର୍ଶନୀୟ ସ୍ଥାନ ଭାବେ ବିକଶିତ କରି ପାରିଲେ ସ୍ଥାନୀୟ ଆଦିବାସୀ ଅଧିବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର ହେବା ସହ ଏହା ଏକ ନିୟିତ ବଣଭୋଜି ସ୍ଥାନ ଭାବେ ପର୍ଯ୍ୟଟକଙ୍କ ମଧ୍ୟରେ ଆଦୃତ ହୋଇପାରନ୍ତା ।

Exit mobile version