କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଓଡ଼ିଶାର ପ୍ରାଣକେନ୍ଦ୍ର କହିଲେ କଟକ – ଭୁବନେଶ୍ୱର ଯୁଗ୍ମନଗରୀକୁ ବୁଝାଏ । ଏହି ଯୁଗ୍ମନଗରୀରେ ଭାଇଚାରା ବୃଦ୍ଧିର ଲକ୍ଷ୍ୟ ନେଇ ଦୀର୍ଘ ୩୦ ବର୍ଷରେ ପାଦ ପକାଇଛି ଗଣେଶ ମହୋତ୍ସବ । ସହରର ବିଭିନ୍ନ ପୂଜା କମିଟି ମଧ୍ୟରେ ଏକତା ସ୍ଥାପନ ତଥା ଯୁଗ୍ମନଗରୀରେ କିପରି ବିଭିନ୍ନ ପର୍ବ ପର୍ବାଣି ଶାନ୍ତି ଶୃଙ୍ଖଳାରେ ପାଳନ ହେବ ତାହା ମଧ୍ୟ ଗଣେଶ ମହୋତ୍ସବର ଲକ୍ଷ୍ୟ । ମୋଟାମୋଟି କହିବାକୁ ଗଲେ ଏକ ସୁସ୍ଥ ସମାଜ ଗଠନରେ ଆଗାମୀ ଦିନରେ ଗଣେଶ ମହୋତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ବମ୍ବେର ଗଣେଶ ପୂଜା ଦେଖିବା ପରେ କଟକ ସହରର ଭାଇଚାରାକୁ ଦୃଷ୍ଟିରେ ରଖି ଗଣେଶ ମହୋତ୍ସବର ପରିକଳ୍ପନା କରାଯାଇଥିଲା। ଏହାବ୍ୟତୀତ ପବିତ୍ର ଗଣେଶ ପୂଜାର ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଭୂମିକା ରହିଛି । ଦିର୍ଘ 31ବର୍ଷ ଧରି ଏହି ମହୋତ୍ସବ ପାଳିତ ହେଉଛି। ଟ୍ଵିନ ସିଟିକୁ ଯୋଡିବା ସହ ନୂଆ ସନ୍ଦେଶ ଦେବା ଗଣେଶ ମହୋତ୍ସବର ବଡ଼ ଲକ୍ଷ୍ୟ। ଯାହାକୁ ଦୃଷ୍ଟିରେ ରଖି ଏହି ମଞ୍ଚରେ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ସମ୍ମାନିତ କରାଯାଏ। ଯୁଗ୍ମନଗରୀର ଭାଇଚାରା ବୃଦ୍ଧିରେ ଏହା ଯଥେଷ୍ଟ ସହାୟକ ହେବ। ଗଣେଶ ପୂଜା ଆମର ଏକ ପାରମ୍ପରିକ ପର୍ବ। ଯାହା ଆମ ଦେଶର ସଂସ୍କୃତିକୁ ଉପସ୍ଥାପନ କରିବା ସହ ଶ୍ରଦ୍ଧା ଓ ଭକ୍ତିର ପ୍ରତୀକ। ଅନେକ ସମୟରେ ଏହି ପର୍ବ ପାଳନ ବେଳେ ଠାକୁରଙ୍କ ମୂର୍ତ୍ତି ଓ ରୂପକୁ ବିକୃତ କରାଯାଇଛି। ଯାହାକୁ ରୋକିବା ମହୋତ୍ସବ କମିଟିର ଲକ୍ଷ୍ୟ ଥିଲା ଏବଂ ବର୍ତ୍ତମାନ ତାହା ପୂରଣ ହୋଇଛି। ହଜାର ବର୍ଷର , ଭାଇଚାରା ଓ ସାହିବସ୍ତିର ସହର କଟକ, ଯେଉଁଠି ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକମାନେ ବାସ କରନ୍ତି। ପ୍ରତ୍ୟେକ ପର୍ବକୁ କିପରି ଶାନ୍ତିଶୃଙ୍ଖଳାରେ ପାଳନ କରାଯିବ, ସହରର ଭାଇଚାରା ବୃଦ୍ଧି ସହ ଏକ ସୁସ୍ଥ ସମାଜ କିପରି ଗଠନ ହେବ ସେଥିରେ ଗଣେଷ ମହୋତ୍ସବର ପଦକ୍ଷେପ ଅତୁଳନୀୟ।
ସୁସ୍ଥ ସମାଜ ଗଠନ ଗଣେଶ ମହୋତ୍ସବର ଲକ୍ଷ୍ୟ !!!

