Site icon Awaj Media

ଦୁଇ ଶହ ବର୍ଷର ଗିରି ଗୋବର୍ଦ୍ଧନ ପୂଜା !!!

Spread the love

ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦୁଇ ଶହ ବର୍ଷରୁ ଉର୍ଦ୍ଧ ହେବ ବୁଣାକାର ସଂପ୍ରଦାୟର ଅନନ୍ୟ ପରମ୍ପରା ଗିରି ଗୋବର୍ଦ୍ଧନ ପୂଜା ଉତ୍ସବ ଚଳିତ ବର୍ଷ ବେଶ ଧୁମ ଧାମ ରେ ପାଳନ ହେଉଛି କଟକ ଜିଲ୍ଲା ସାଲେପୁରର ବଳଭଦ୍ରପୁର ଓ ବାସୁଦେବପୁର ଗାଁରେ । ଝିଲି ମିଲ ଆଲୋକ ମାଳାରେ ଝଲସି ଉଠୁଛି ଗାଁ ଦାଣ୍ଡ , ସନ୍ଧ୍ୟା ହେଲେ ପୂଜା ମଣ୍ଡପ ସମ୍ମୁଖରେ ଜମୁଛି ଗାଁ ଲୋକଙ୍କ ଭିଡ଼ ! ଭଜନ କୀର୍ତ୍ତନ ସାଙ୍ଗକୁ ଛକ ଛକରେ ଜମୁଛି ନାଚ ଗୀତ ର ଆସର , ଛୋଟ ଠାରୁ ବଡ଼ ସମସ୍ତେ ବେଶ ମନ ଭରି ଉପଭୋଗ କରୁଛନ୍ତି ଏହି ପୂଜା ଉତ୍ସବକୁ ! ତେବେ ଏହି ଗିରି ଗୋବର୍ଦ୍ଧନ ପୂଜା ପରମ୍ପରା କୁ ନେଇ କଣ ରହିଛି ପୌରାଣିକ ଉପଖ୍ୟାନ । ଘରେ ଘରେ ତନ୍ତ ପୂଜନ ସହ କାହିଁକି ବୁଣାକାର ସଂପ୍ରଦାୟର ଲୋକମାନେ ପୂଜା ମଣ୍ଡପରେ ନିଜର ଇଷ୍ଟଦେବେତା ଭାବେ ପ୍ରଭୁ ଶ୍ରୀ କୃଷ୍ଣଙ୍କ ଗିରି ଗୋବର୍ଦ୍ଧନ ରୂପକୁ ପୂଜା କରନ୍ତି ! ଗିରି ଗୋବର୍ଦ୍ଧନ ପୂଜା ଉତ୍ସବ ପାଇଁ ଉତ୍ସବ ମୁଖର ସାଲେପୁର ର ବଳଭଦ୍ରପୁର ଓ ବାସୁଦେବପୁର ଗାଁ । ବିଭିନ୍ନ ପୂଜା ମଣ୍ଡପରେ ନିର୍ମାଣ ହୋଇଛି ବୁଣାକାର ସଂପ୍ରଦାୟର ଇଷ୍ଟଦେବ ପ୍ରଭୁ ଶ୍ରୀ କୃଷ୍ଣଙ୍କ ଗିରି ଗୋବର୍ଦ୍ଧନ ରୂପୀ ପ୍ରତିମୂର୍ତ୍ତି। ଏହି ଦୁଇ ଗାଁର ପାଖା ପାଖି ୧୫ ଟି ସାହିର ପୂଜା ମଣ୍ଡପରେ ପୂଜା କରାଯାଉଛି । ଶଙ୍ଖ ବାଜୁଛି , ଘଣ୍ଟ ବାଜୁଛି, ଧୂପ ଦୀପ, ଝୁଣା ଧୂଆଁ ରେ ମହକି ଉଠୁଛି ସମସ୍ତ ପୂଜା ମଣ୍ଡପ ! ଦେଖନ୍ତୁ କିଭଳି ଭକ୍ତିମୟ ପରିବେଶ ଭିତରେ ଚାଲିଛି ଏହି ଗିରି ଗୋବର୍ଦ୍ଧନ ଦେବଙ୍କ ଆରାଧନା । ସନ୍ଧ୍ୟା ହେଲେ ରଙ୍ଗୀନ ଆଲୋକମାଳା ରେ ଝଲସୁଛି ସମସ୍ତ ସାହିର ଗାଁ ଦାଣ୍ଡ । କେବଳ ପୂଜା ମଣ୍ଡପ ନୁହେଁ ପ୍ରତ୍ୟକ ଘରେ ଥିବା ତନ୍ତ ନିକଟରେ କଳସ ସ୍ଥାପନା କରି ପିଢାର ନିର୍ମାଣ ଆସ୍ଥାନ ଉପରେ ବୁଣା ହୋଇଥିବା ବସ୍ତ୍ର କୁ ରଖି ଦୁବ, ବରକୋଳି ପତ୍ର ଓ ଫୁଲ, ଧୂପ ଦୀପ ଦେଇ ପୂଜା କରାଯାଏ ! ଘରର ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାର ଭୋଗ ପିଠାପଣାକୁ ଇଷ୍ଟ ଦେବଙ୍କୁ ସ୍ମରଣ କରି ସେହି ତନ୍ତ ପାଖରେ ଭୋଗ ଲାଗି କରାଯାଏ । ଆଉ ଘରେ ତନ୍ତ ପୂଜା ସରିବା ପରେ ପୂଜା ମଣ୍ଡପରେ ସମସ୍ତେ ଏକାଠି ହୋଇ ଭଜନ କୀର୍ତ୍ତନ ସହ ଭାଗବତ ଓ ପୁରାଣ ପଠନ କରନ୍ତି ! ଏନେଇ ବୟସ୍କ ମାନେ କୁହଁନ୍ତି ୨୦୦ ବର୍ଷ ରୁ ଉର୍ଦ୍ଧ ହେବ ସେମାନଙ୍କ ପୂର୍ବ ପୁରୁଷ ମାନେ ଏହି ପୂଜା କରି ଆସୁଥିଲେ ସେହି ପରମ୍ପରା କୁ ରକ୍ଷା କରିବାକୁ ଯାଇ ଆଜି ପର୍ଯ୍ୟନ୍ତ ସେମାନେ ଇଷ୍ଟ ଦେବଙ୍କୁ ପୂଜା ଆରଧନା କରି ଆସୁଛନ୍ତି । ତେବେ ଏହି ଗିରି ଗୋବର୍ଦ୍ଧନ ପୂଜା ପରମ୍ପରା କୁ ନେଇ ରହିଛି ପୌରାଣିକ କିମ୍ବଦନ୍ତୀ କୁହାଯାଏ ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ଇନ୍ଦ୍ର ଙ୍କ କୋପରୁ ଗୋପପୁର ବାସୀଙ୍କୁ ରକ୍ଷା କରିବା ପାଇଁ ଗୋବର୍ଦ୍ଧନ ପାହାଡ଼ ନିଜ ବାମ ହସ୍ତ ର କାଣୀ ଅଙ୍ଗୁଳି ରେ ଧାରଣ କରିଥିଲେ ! କାଳକ୍ରମେ ସେ ଗୌଡିୟ ତନ୍ତୀ ସଂପ୍ରଦାୟ ଯାହାକି ଆଜିର ଏହି ବୁଣାକାର ସଂପ୍ରଦାୟ ରେ ପରିଣତ ହୋଇଛି । ଆଉ ଏମାନଙ୍କ କୁଳ ବେଉସା ପାଲଟିଛି ତନ୍ତ ରେ ଲୁଗାପଟ୍ଟା ବୁଣିବା । ତେବେ ସେମାନେ ନିଜର ଇଷ୍ଟଦେବ ଙ୍କୁ ଆରାଧନା କରିବା ଛାଡି ନାହାଁନ୍ତି । ଦୀପାବଳି ଠାରୁ ସାତ ଦିନ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କୁ ଧୁମ ଧାମ ରେ ଏଠାରେ ପାଳନ ହୋଇଥାଏ ! ସାହି ସାହିର ବିଭିନ୍ନ ଛକ ରେ ନାଚ ଗୀତ ସାଙ୍ଗକୁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥାଏ l ଦୀର୍ଘ ବର୍ଷର ପରମ୍ପରା ଓ ବୁଣାକାର ଙ୍କ ଇଷ୍ଟଦେବତା ଗିରି ଗୋବର୍ଦ୍ଧନ ଙ୍କୁ ସାଲେପୁର ବ୍ଲକ୍ ବାସୁଦେବପୁର ଓ ବଳଭଦ୍ରପୁର ଗ୍ରାମବାସୀ ଧୂମଧାମରେ ପାଳନ କରିଥାନ୍ତି ।

Exit mobile version