ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ମହାଦେଇପୁର-ଗୁରାଣ୍ଡି ମୁଖ୍ୟରାସ୍ତା କାମ ନାମରେ ଖୋଳି ଛାଡି ଦେଇଥିବା ଯୋଗୁଁ ଏହା ଏବେ ମରଣଜନ୍ତା ପାଲଟିଅଛି । ଅଞ୍ଚଳବାସୀ କହିବା ପ୍ରକାରେ ଗତ ୧୦ ଦିନ ପୂର୍ବେ ପୂର୍ତ୍ତବିଭାଗ ପକ୍ଷରୁ ରାସ୍ତାକାମ ନାମରେ ଖନନ କରାଯାଇଥିଲା । ପୁରୁଣା ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ଖୋଳିଦିଆଯାଇଛି । ପୁରୁଣା ପିଚୁ ଓ ମେଟାଲ ଗୁଡିକୁ ପୁଣି ରୋଲର ମଡାଇ ଦିଆଯାଇଛି । ହେଲେ ଏଥି ଯୋଗୁଁ ଉପୁଜୁଥିବା ସମସ୍ୟା ଲୋକଙ୍କ ପାଇଁ ଘାତକ ସାଜିଛି । ବିକ୍ଷିପ୍ତ ହୋଇପଡିଥିବା ମେଟାଲ ଗୁଡିକ କୌଣସି ଭାରିଜାନ ଯାତାୟତ କଲାବେଳେ ପଥଚାରୀଙ୍କ ଠାରୁ ଆରମ୍ଭ କରି ବାଇକ ଚାଳକଙ୍କ ଉପରେ ଛିକି ପଡି ଆହାତ ହେଉଥିବା ବେଳେ ଏପରି ରାସ୍ତା ଯୋଗୁଁ ଗାଡି ଖସି ଦୁର୍ଘଟଣାର ଶିକାର ହୋଇ ମରଣଜନ୍ତାରେ ପଡୁଥିବାର ପ୍ରକାଶ କରିଛନ୍ତି । ସେହିପରି ଭାରୀଯାନ ଯାତାୟତ ବେଳେ ଧୂଳି ଧୂସର ଉଡି ଘରମଧ୍ୟକୁ ପ୍ରେବଶ କରୁଥିବାରୁ ଏହି ଅଞ୍ଚଳର ଲୋକେ ୨୪ଘଣ୍ଟା କାଳ କବାଟ ବନ୍ଦ କରି ରହୁଛନ୍ତି । ହୋଟେଲ୍ କରିଥିବା ବ୍ୟକ୍ତିବିଶେଷ ତଥା ବ୍ୟବସାୟୀମାନେ ଧୂଳି ଉଡୁଥିବା ଯୋଗୁଁ ନିଜ ନିଜର ବ୍ୟବସାୟ ବନ୍ଦ କରିଦେଇଥିବାର ପ୍ରକାଶ କରିଛନ୍ତି । ଏହା ସହ ଏହି ଧୂଳି ଉଡିବା ଯୋଗୁଁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଏପରି ଦଶ ଦିନ ହେଲା ଲୋକେ ହନ୍ତସନ୍ତ ହୋଇ ଜୀବନ ଅତିବାହିତ କରୁଥିବାର ପ୍ରକାଶ କରିଛନ୍ତି । ଯଦି ରାସ୍ତା କାମ ବିଳମ୍ବରେ କରିବାର ଥିଲା ତେବେ କାହିଁକି ପୂର୍ତ୍ତବିଭାଗ ତତ୍ପରତା ଦେଖାଇ ଖନନ କରିଦେଇଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଠିକାଦାର କାମ ଆରମ୍ଭ କରିଦେଇ ଅନ୍ତର୍ଧ୍ୟାନ ହୋଇଯାଇଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ମଧୂଚନ୍ଦ୍ରିକା ଲୋକଙ୍କ ପାଇଁ କାଳ ସାଜିଥିବାକୁ ନେଇ ଚର୍ଚ୍ଚା ହେଉଛି । ଏନେଇ ବାରମ୍ବାରମ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାର ଅଞ୍ଚଳବାସୀ କହିଛନ୍ତି । ଯଦି ତୁରନ୍ତ ରାସ୍ତାକାମ ଆରମ୍ଭ ନ କରାଗଲେ ଆନ୍ଦୋଳାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।
ରାସ୍ତାକାମ ଆରମ୍ଭ ହେବା ନାମ ଧରୁ ନାହିଁ : ଖୋଳି ଛାଡି ଦେଇଥିବା ଯୋଗୁଁ ରାସ୍ତା ପାଲଟିଛି ମରଣଜନ୍ତା !!!

