ବେଆଇନ ଇଟାଭାଟିରେ ଚଢାଉ : ୪୦ ହଜାର ଜୋରିମାନା ଆଦାୟ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବେଆଇନ ଇଟାଭାଟି ମାଲିକଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବାଣପୁର ତହସିଲଦାର । ମୁକ୍ତାଦେଈପୁର ଗ୍ରାମର ଦୁଇଟି ଇଟାଭାଟି ଉପରେ ଚଢାଉ କରି ଭାଟି ନଷ୍ଟ କରିବା ସହ ୪୦ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି ତହସିଲଦାର । ବାଣପୁର ଓ ଚିଲିକା ବ୍ଳକର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଇଟାଭାଟି ଗଢି ଉଠିଛି । ଇଟାଭାଟି ଦ୍ୱାରା ପରିବେଶ ପ୍ରଦୂଷଣ ହେବା ସହ ସ୍ଥାନୀୟ ଅଞ୍ଚଳରେ ଉତ୍ତାପ ବୃଦ୍ଧି ପାଉଛି । ଇଟା ଭାଟିରେ ବେଆଇନ ଭାବେ ଶିଶୁ ମାନଙ୍କୁ ଶ୍ରମିକ ଭାବେ ନିୟୋଜିତ କରାଯିବା ସହ ରୟାଲିଟି ବାବଦରେ ସରକାର ରାଜସ୍ୱ ହରାଉଛନ୍ତି । ତେଣୁ ବିଭିନ୍ନ ସମୟରେ ତହସିଲଦାର ଇଟାଭାଟି ମାଲିକ ମାନଙ୍କୁ ତାଗିଦ କରିବା ସହ ଭାଟି ବନ୍ଦ କରିଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ନଚେତ ସଂପୃକ୍ତ ଇଟା ଭାଟିକୁ ନଷ୍ଟ କରାଯିବା ସହ ଫୈାଜଦାରୀ ମକଦ୍ଦମା ରୁଜୁ କରାଯିବା ପାଇଁ ତହସିଲଦାର ବିଜ୍ଞପ୍ତି ଜାରି କରିଥିଲେ । ମାତ୍ର ଏହା ସତ୍ତ୍ୱେ କିଛି ଇଟାଭାଟି ମାଲିକ ନିର୍ଦ୍ଦେଶକୁ ଅବମାନନା କରି ଭାଟି ଚଳାଇଥିଲେ । ପଦକ୍ଷେପ ସ୍ୱରୂପ ତହସିଲଦାର ଟି ପଦ୍ମନାଭ ଦୋରା ରାଜସ୍ୱ ନିରୀକ୍ଷକ ଅରମାନ ଜେନା ଓ ଥାନାଧିକାରୀ ରମେଶ କୁମାର ଦେବତା ବ୍ୟାପକ ପୁଲିସ ଫୋର୍ସ ସହ ମୁକ୍ତାଦେଈପୁର ଗ୍ରାମରେ ଥିବା ଦୁଇଟି ଇଟାଭାଟି ଉପରେ ଚଢାଉ କରି ଭାଟିକୁ ନଷ୍ଟ କରି ଦେଇଥିଲେ । ସଂପୃକ୍ତ ଭାଟିର ମାଲିକ ତପନ ମୁଦୁଲି ଓ କୃଷ୍ଣ ମୁଦୁଲି ଭବିଷ୍ୟତରେ ବେଆଇନ ଭାବେ ଭାଟି ପରିଚାଳନା ନକରିବା ପାଇଁ ସତ୍ୟପାଠ ଦାଖଲ କରିବା ସହ ଉଭୟଙ୍କୁ କୋଡିଏ ହଜାର ଟଙ୍କା ଲେଖାଏଁ ଜୋରିମାନାରେ ଦଣ୍ଡିତ କରାଯାଇଛି ।

Leave a Reply

Your email address will not be published. Required fields are marked *