Site icon Awaj Media

ପୁରସ୍କାର ମୋ ପାଇଁ ପ୍ରାପ୍ତି ନୁହେଁ, ବରଂ ଏକ ଗୁରୁ ଦାୟିତ୍ବ – କଥାକାର ଶୁଭ୍ରାଂଶୁ ପଣ୍ଡା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ପ୍ରାପ୍ତିର ଉତ୍ତର ଦେବା ସହଜ, ଦାୟିତ୍ବର ନୁହେଁ। ପୁରସ୍କାର ମୋ ପାଇଁ ପ୍ରାପ୍ତି ନୁହେଁ, ବରଂ ଏକ ଗୁରୁ ଦାୟିତ୍ବ ବୋଲି କହିଛନ୍ତି ଜଣାଶୁଣା କଥାକାର ଶୁଭ୍ରାଂଶୁ ପଣ୍ଡା। ନିଜର ଉପନ୍ୟାସ ‘ଇତର’ ନିମନ୍ତେ ଚତୁର୍ଥ ଅକ୍ଷୟ ଉପନ୍ୟାସ ପୁରସ୍କାର ଗ୍ରହଣ କରିବା ଅବସରରେ ସେ କହିଛନ୍ତି ଯେ ଏ ଦାୟିତ୍ବ ଓଡ଼ିଆ ସାହିତ୍ୟ ପ୍ରତି ଅଧିକ ଅନୁରକ୍ତ ଓ ଦାୟବଦ୍ଧ ହେବାର; ଏ ଦାୟିତ୍ବ ଭବିଷ୍ୟତରେ ଉପନ୍ୟାସ ଲେଖିବା ବେଳେ ଅଧିକ ଯତ୍ନବାନ ହେବାର, ଯେଭଳି ପାଠକଟିଏ ପ୍ରଶ୍ନ ନ କରୁ ଯେ ଅକ୍ଷୟ ଉପନ୍ୟାସ ପୁରସ୍କାର ପାଇଥିବା ଲେଖକଟି ଏମିତି ଏକ ଉପନ୍ୟାସ ଲେଖିଛି? ଏଣୁ ପୁରସ୍କାର ଗ୍ରହଣ କରିବା ବେଳକୁ ମୁଁ ଯେତିକି ଆନନ୍ଦ ପାଉଛି, ମୋର ଲେଖାଲେଖିର ଭବିଷ୍ୟତକୁ ନେଇ ସେତିକି ଚିନ୍ତିତ ମଧ୍ୟ ହୋଇପଡ଼ୁଛି ବୋଲି ସେ କହିଥିଲେ। ପ୍ରସିଦ୍ଧ କଥାଶିଳ୍ପୀ ପଦ୍ବଭୂଷଣ ଡ. ପ୍ରତିଭା ରାୟଙ୍କ ପ୍ରତିଷ୍ଠିତ ଏହି ପୁରସ୍କାର ୨୦୨୧ ମସିହାଠାରୁ ପ୍ରତିବର୍ଷ ୫୦ ବର୍ଷରୁ କମ ବୟସର ଜଣେ ଓଡ଼ିଆ ଔପନ୍ୟାସିକଙ୍କୁ ଦିଆଯାଇ ଆସୁଛି। ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ପୁରସ୍କାର ପ୍ରଦାନ ସଭାରେ ପୁରସ୍କାର ସ୍ବରୂପ ଶ୍ରୀ ପଣ୍ଡାଙ୍କୁ ମାନପତ୍ର, ଉପଢୌକନ ଓ ୫୧,୦୦୦ ଟଙ୍କା ପ୍ରଦାନ କରାଯାଇଛି।

Exit mobile version