ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ କଚେରୀ ପଡିଆରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି । ଏହି ମେଳା ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଶ୍ରୀ ଅଶୋକ କୁମାର କର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କଟକଙ୍କ ସଭାପତିତ୍ବରେ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଙ୍କୀ ବିଧାୟକ ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ଶ୍ରୀଯୁକ୍ତ ପ୍ରଣବ କିଶୋର ପଟେଲ, ଅଧ୍ୟକ୍ଷ, ବାଙ୍କୀ-ଡମପଡ଼ା ବ୍ଲକ, ଶ୍ରୀଯୁକ୍ତ ସୁବାଷ ପାଢ଼ୀ, ସଭାପତି, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ, ଶ୍ରୀମତୀ ମିନତୀ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା , ଡଃ. ସୁଜାତା ସେଠୀ ବରିଷ୍ଠ ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର, କଟକ ପ୍ରମୁଖ ଯୋଗ ଦେଇଥିଲେ । ଗ୍ରାମାଞ୍ଚଳ ଚାଷୀଙ୍କ ଅର୍ଥନୈତିକ ବିକାଶ ହେଲେ ରାଜ୍ୟର ବିକାଶ ହେବ। ସରକାର ସମସ୍ତ ପ୍ରକାର କୃଷି ଯନ୍ତ୍ରପାତିକୁ ରିହାତି ଦରରେ ଚାଷୀ ମାନଙ୍କୁ କୃଷି ବିଭାଗ ମାଧ୍ୟମରେ ଯୋଗାଇ ଦେଉଛନ୍ତି। ପ୍ରକୃତ ହିତାଧିକାରୀଙ୍କ ନିକଟରେ ସରକାରଙ୍କ ସମସ୍ତ ଯୋଜନା ପହଞ୍ଚିଲେ କୃଷି ଓ କୃଷକର ବିକାଶ ହେବ ବୋଲି ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀ ତ୍ରିପାଠୀ ନିଜ ଅଭିଭାଷଣରେ କହିଥିଲେ। ତିନିଦିନ ଧରି ଚାଲିବାକୁ ଥିବା ମେଳାରେ ଟ୍ରାକ୍ଟର, ପାଓ୍ବାରଟିଲର, ଧାନ ଅମଳ, ଧାନ ଋଆ,ମଞ୍ଜି ସଫା,ରୋଟାଭେଟର,ଘାସ ଛେଦନ, କୋଡାଖୁସା,ଘାସ କଟା,ଗାତ ଖୋଳା,ଧାନ କଳ, ମକା ଛଡା, ଡାଲି କଳ, ତେଲ କଳ, ମୁଢି ମିଲ୍, ବିହନ ବୁଣା, ସାର ବୁଣା ଓ ଔଷଧ ସିଞ୍ଚନ ଭଳି ବିଭିନ୍ନ କୃଷି ଯନ୍ତ୍ରପାତି ରିହାତି ବିକ୍ରି ସହ ପ୍ରଦର୍ଶନ କରାଯାଉଛି । ଏହି ମେଳାରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ କୃଷି ଯନ୍ତ୍ରପାତିର ୩୦ଟି ଷ୍ଟଲ ଖୋଲା ଯାଇଛି। କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ ବାଙ୍କୀ ମୁଖ୍ୟ ଶାଖା ପରିଚାଳକ ଶ୍ରୀ ପ୍ରମୋଦ କୁମାର ରଥ , ଶ୍ରୀ ସୁଧାକର ସାହୁ, ପୂର୍ବତନ ଅଧ୍ୟକ୍ଷ ଆଠଗଡ ବ୍ଲକ, ଭାରପ୍ରାପ୍ତ ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ କାଳି ଚରଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ବାଙ୍କୀ ଜିଲ୍ଲା କୃଷି ଅଧିକାରୀ ବିଶ୍ୱନାଥ ଦାସ ସ୍ବାଗତ ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜେନା, କୃଷି ନିର୍ବାହୀ ଯନ୍ତ୍ରୀ ଯୋଗ ଦେଇ ବିଭିନ୍ନ କୃଷି ଯନ୍ତ୍ରପାତିର ବ୍ୟବହାର ଓ ଜ୍ଞାନକୌଶଳ ଉପଯୋଗିତା ଉପରେ ଉପସ୍ଥିତ ଚାଷୀଙ୍କୁ ଅବଗତ କରାଇଥିଲେ। ପରିଶେଷରେ ବାଙ୍କୀ ଜିଲ୍ଲା କୃଷି ଅଧିକାରୀ, ଶ୍ରୀଯୁକ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବାଙ୍କୀ ଉପଖଣ୍ଡ ଅଧିନ ୨ଟି ବ୍ଲକର ଚାଷୀ ଯୋଗଦେଇଥିଲେ ଓ ବାଙ୍କୀ କୃଷି ବିଭାଗର ସମସ୍ତ କର୍ମଚାରୀ କର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ବାଙ୍କୀ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା !!!

