Site icon Awaj Media

ଗ୍ରାମାଞ୍ଚଳରୁ ଦୁଇ ଶହରୁ ଅଧିକ ପ୍ରତିଭା ସମ୍ବର୍ଦ୍ଧିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ନୋଡାଲ ସ୍କୁଲ ଖେଳ ପଡିଆରେ ଜାନୁଆରୀ ୩୧ ତାରିଖରୁ ଆରମ୍ବ ହୋଇଥିବା “ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ 2025 ” ତିନିଦିନ ଧରି ମହା ସମାରୋହରେ ପାଳିତ ହୋଇ ପବିତ୍ର ସରସ୍ବତୀ ପୂଜା ଦିନ ଉଦଯାପିତ ହୋଇଅଛି | ଉକ୍ତ କାର୍ଯ୍ୟକ୍ରମକୁ ତାଳବସ୍ତ ଗ୍ରାମ ପଂଚାୟତର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀରାମ କମିଟି ତାହାର ତୃତୀୟ ବାର୍ଷିକ ଉତ୍ସବ ପାଳନ ଅବସରରେ ସମ୍ବାଦ ସାହିତ୍ୟ ଘର, ଡମପଡା ସହଯୋଗରେ ଆୟୋଜନ କରିଥିଲା | ପ୍ରଥମ ଦିବସର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଶୁଭାରମ୍ଭକୁ ଆଧ୍ୟାତ୍ମିକ ଗୁରୁ କୁମାର ଅମୀୟ କରିଥିଲେ | ବାଙ୍କୀ ଏନ.ଏ.ସି, ବାଙ୍କୀ ବ୍ଲକ ଏବଂ ଡମପଡା ବ୍ଲକର ସମସ୍ତ ସ୍କୁଲ, ମହାବିଦ୍ୟାଳୟର ପାଞ୍ଚ ଶହ ଛାତ୍ରଛାତ୍ରୀ କଳା, ସାହିତ୍ୟ ସଂସ୍କୃତି ଓ ଖେଳକୁଦର ତିରିଶିଟି ବିଭାଗର ପ୍ରତିଯୋଗିତାରେ ଭାଗ ନେଇଥିଲେ | ସେଥିମଧ୍ୟରୁ ଦୁଇଶହ ପ୍ରତିଯୋଗୀଙ୍କୁ ଉଦଯାପନ ଦିବସରେ ସମ୍ମାନ ସନନ୍ଦ, ସିଲ କପ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା | ଶେଷ ଦିବସର ପୁରସ୍କାର ଓ ସମ୍ବର୍ଦ୍ଧନା ଉତ୍ସବରେ ଆବାହକ ବିଶ୍ୱ ରଞ୍ଜନ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବାଙ୍କୀର ଯୁବ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଅକ୍ଷୟ ଯୁବ ସଂଗଠନର ସଭାପତି ଅବିନାଶ ପଟ୍ଟନାୟକ, ସାମାଜିକ କର୍ମି ଅକ୍ଷୟ କୁମାର ସାମଲ, କବି ମନୋଜ କୁମାର ରାଉତ, ସମାଜସେବୀ କେଶବ ଚନ୍ଦ୍ର ବେହେରା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଶ୍ରୀରାମ କମିଟିର ଏଭଳି ନିଆରା ଓ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ପ୍ରସଂଶା କରିଥିଲେ | ତିନିଦିନ ଧରି ଚାଲୁଥିବା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଅତିଥି ବିଚାରକ ଭାବେ ବାଙ୍କୀର ନାରୀକବି ଶକୁନ୍ତଳା ମଲ୍ଲିକ, ଗୁରୁ ନିରଞ୍ଜନ ମହାପାତ୍ର, ଯୁବ ସାମ୍ବାଦିକ ସୁବ୍ରତ କୁମାର ନାୟକ, ସୁସାହିତ୍ୟିକ କବି ବିପ୍ଳବ, କବି କାଶୀନାଥ ପଣ୍ଡା, ଯୁବ କଳାକାର ମାନସ ମଲ୍ଲିକ, ପାଲା କଳାକାର ନବ ବେହେରା, ସାମ୍ବାଦିକ ଶୁଭେନ୍ଦୁ କୁମାର ମହାପାତ୍ର ଯୋଗଦେଇ ପ୍ରତିଭା ଚୟନ କରିବାରେ ସହଯୋଗ କରିଥିଲେ | ବାଙ୍କୀ ଡମପଡା ଡିଜିଟାଲ ୟୁନିୟନର ସମସ୍ତ ସାମ୍ୱାଦିକ, ବାଙ୍କୀ ଅଂଚଳର ପ୍ରମୁଖ କବି, ସମାଜସେବୀ ଏବଂ କିଛି ସାମାଜିକ ଅନୁଷ୍ଠାନ ମାନଙ୍କୁ ମଧ୍ୟ ଉତ୍ତରୀୟ, ଫୁଲତୋଡ଼ା ମାନପତ୍ର ଦେଇ ସମ୍ବର୍ଦ୍ଦିତ କରାଯାଇଥିଲା | ନୃତ୍ୟରେ ପ୍ରଥମ ହୋଇଥିବା ବାଙ୍କୀ ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରୀ ଆଦ୍ଵି ଦତ୍ତତ୍ରୟା ନିଶିପଦ୍ମା ନାୟକଙ୍କ ଓଡିଶୀ ନୃତ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା | ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀରାମ କମିଟି ସମ୍ପଦକ ସଂଗ୍ରାମ ରାଜ, ପ୍ରଦ୍ୟୁମ୍ନ କୁମାର ପାଲ, ସୁବଲ ମହାରଣା ପ୍ରମୁଖ ସହଯୋଗ କରିଥିଲେ |

Exit mobile version