Site icon Awaj Media

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ କେରଳର ଦମ୍ପତି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରୁ ୬୭ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ କେରଳର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନା ପ୍ରକାରେ ପିତୃମାତୃହୀନ ଏହି ଶିଶୁକନ୍ୟାଟିକୁ, ଶିଶୁ ମଙ୍ଗଳ ସମିତି ଙ୍କ ନିର୍ଦ୍ଦେଶ କ୍ରମେ ଯତ୍ନ ଓ ସୁରକ୍ଷା ନିମନ୍ତେ ନିଶାନ ଶାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରଠାରେ ରଖି ଯତ୍ନ ଓ ସୁରକ୍ଷା ପ୍ରଦାନ କରାଯାଉଥିଲା। ପରବର୍ତ୍ତି ମୁହୁର୍ତ୍ତରେ ଶିଶୁ ମଙ୍ଗଳ ସମିତି, ଗଜପତି ଶିଶୁଟିକୁ ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ ଏବଂ ଏହାପରେ ଶିଶୁଟିର ତଥ୍ୟ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ପୋର୍ଟାଲ୍ ରେ ଅପଲୋଡ଼୍ କରାଯାଇଥିଲା, ଯାହାଦ୍ବାରା ଶିଶୁଟି ପୋଷ୍ୟ ସନ୍ତାନ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ, ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା। ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ପ୍ରାୟ ୩ ବର୍ଷ ଧରି ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଉକ୍ତ ଦମ୍ପତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ। ଉପରୋକ୍ତ ଦମ୍ପତ୍ତି ଶାରିରୀକ ସ୍ତରରେ ଶିଶୁଟିକୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ। ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଗଜପତି ପ୍ରସ୍ତୁତ କରିଥିଲେ । ସମସ୍ତ ଦସ୍ତାବିଜ କୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଆଜି ଶିଶୁଟିକୁ ଉକ୍ତ ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲେ। ଶିଶୁଟିର ବୟସ ୪ ମାସ ଏବଂ କନ୍ୟା ଶିଶୁ ହୋଇଥିବାବେଳେ, ଶିଶୁଟିକୁ ପାଇ ଉକ୍ତ ଦମ୍ପତି ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା। ହସ୍ତାନ୍ତର ସମୟରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରୀପାଠୀ, ଶିଶୁ ମଙ୍ଗଳ ସମିତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Exit mobile version