Site icon Awaj Media

ଡା. କୃଷ୍ଣକେଶବ ଷଡଙ୍ଗୀ ପାଇଲେ ମର୍ଯ୍ୟାଦାଜନକ ବିଦଗ୍ଧକବି ଅଭିମନ୍ୟୁ ସମ୍ମାନ-୨୦୨୬ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱରର ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ ‘ବିଦଗ୍ଧକବି ଅଭିମନ୍ୟୁ ସ୍ମୃତିସଂସଦ’ ପକ୍ଷରୁ ରୀତିଯୁଗର ଶେଷକାଳୀନ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ୨୬୬ତମ ଜୟନ୍ତୀ ସହିତ ସଂସଦର ସୁବର୍ଣ୍ଣଜୟନ୍ତୀ ଉତ୍ସବ ଜାନୁୟାରୀ ୨୫ତାରିଖ ସନ୍ଧ୍ୟାରେ ଜୟଦେବ ଭବନଠାରେ ପାଳିତ ହୋଇଯାଇଛି । ପ୍ରାକ୍ତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥିଭାବରେ ଯୋଗଦେଇ ସମକାଳୀନ କବି ଓ ଚିନ୍ତକ ହରପ୍ରସାଦ ଦାସ କବି ଅଭିମନ୍ୟୁଙ୍କ ସାହିତ୍ୟର ଭାଷାତାତ୍ତ୍ୱିକ-ଅନୁଶୀଳନ କରିଥିଲେ । ମୁଖ୍ୟବକ୍ତା ତଥା ବିଶିଷ୍ଟ ରୀତିସାହିତ୍ୟ ଗବେଷକ ଏବଂ ଭୁବନେଶ୍ୱର ଭଞ୍ଜଭାରତୀର ସଭାପତି ଡାକ୍ତର କୃଷ୍ଣକେଶବ ଷଡଙ୍ଗୀ ବିଦଗ୍ଧକବିଙ୍କ ରଚନାରେ ଥିବା ଆଧ୍ୟାତ୍ମିକତା ଓ ନୈତିକତା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ସ୍ମୃତିସଂସଦର ଉପସଭାପତି ନିରଞ୍ଜନ ଜେନା ସ୍ୱାଗତଭାଷଣ ଦେଇଥିବା ବେଳେ ଅନ୍ୟତମ ଉପସଭାପତି ପୂର୍ଣ୍ଣଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସଂସଦର ସମ୍ପାଦକ ଖତୁଚରଣ ବିଶ୍ୱାଳ ବିବରଣୀ ପାଠ କରିଥିବା ବେଳେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ ଡକ୍ଟର ସର୍ବେଶ୍ୱର ବୈଠାରୁ ଓ ସାଥି । କାର୍ଯ୍ୟକ୍ରମରେ ସଂସଦର ସ୍ମରଣିକା ଓ ଦିନପଞ୍ଜିକା ଉନ୍ମୋଚିତ ହୋଇଥିଲା । ଏ ଅବସରରେ ବିଶିଷ୍ଟ ରୀତିସାହିତ୍ୟ ଗବେଷକ ଡାକ୍ତର କୃଷ୍ଣକେଶବ ଷଡଙ୍ଗୀଙ୍କୁ ମର୍ଯ୍ୟାଦାଜନକ ‘ବିଦଗ୍ଧକବି ଅଭିମନ୍ୟୁ ସମ୍ମାନ-୨୦୨୬’ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାରସ୍ୱତ ଗବେଷକ ଡକ୍ଟର ହରିହର କାନୁନଗୋ, ଡକ୍ଟର ଭାଗବତ ଶୁକ୍ଳ, ଡକ୍ଟର ବ୍ରଜବନ୍ଧୁ ପଣ୍ଡା, ସମାଜସେବିକା ଲୋପାମୁଦ୍ରା ଷଡଙ୍ଗୀ, ଶ୍ୟାମସୁନ୍ଦର ଜାଲ, ଗବେଷିକା ପ୍ରଶ୍ନାକୁମାରୀ ଜେନା ତଥା ସଂସ୍କୃତିସଂଗଠକ ଡକ୍ଟର ଅଶୋକକୁମାର ପାଣିଗ୍ରାହୀ ପ୍ରମୁଖଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଓ ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିରେ ବହୁ ସଂଖ୍ୟାରେ ଅଭିମନ୍ୟୁ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ ।

Exit mobile version