Site icon Awaj Media

ଟଙ୍କା ଫେରିବା ଉପରେ : ଆଗଉ ନାହିଁ ମହାଜନ ଘର ପୋଖରୀ ଉନ୍ନୟନ କାର୍ଯ୍ୟ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବହୁ ପୁରାତନ ମହାଜନ ଘର ପୋଖରୀ ଏବେ ପରିତ୍ୟକ୍ତ | ରାଜନୈତିକ ଛକାପଞ୍ଝାରେ ବଳି ପଡୁଛନ୍ତି ସାଧାରଣ ଜନତା | ଡମପଡା ବ୍ଲକ ଅନ୍ତର୍ଗତ ସର୍ବ ବୃହତ ଗ୍ରାମ ପଂଚାୟତର ପୁରାତନ ମହାଜନ ଘର ପୋଖରୀ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି | ତାଳବସ୍ତ ଗ୍ରାମର 4 ଟି ୱାର୍ଡର 2000 ଲୋକ ଦୈନନ୍ଦିତ ଏହି ପୋଖରୀ ଉପରେ ସ୍ନାନ ଏବଂ ସଫାସୂତାର, ଚାଷଜମିକି ପାଣି ମଡ଼େଇବା ଆଦି କାର୍ଯ୍ୟ କରିଥାନ୍ତି | ଆଜକୁ 5 ବର୍ଷ ହେବ ମହାମାରୀ କୋଭିଡ ପରଠୁ ଏହି ପୋଖରୀ ଉପରେ ପଂଚାୟତ କି ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ନାହାନ୍ତି | ଯାହା କିଛି ଲୋକଙ୍କ ଅଭିଯୋଗ ଏବଂ ପ୍ରଶାସନର ପ୍ରତିକ୍ରିୟା କେବଳ ଗଣମାଧ୍ୟମ ଭିତରେ ହିଁ ସୀମିତ ହୋଇ ରହିଯାଇଛି କିନ୍ତୁ ବାସ୍ତବ କ୍ଷେତ୍ରରେ କୌଣସି ଉର୍ଣ୍ଣୟନ କାର୍ଯ୍ୟ କି ସମାଧାନର ସୁଫଳତା ସାଧାରଣ ଜନତା ପାଇ ନାହାନ୍ତି | ପୋଖରୀ ଫଳକ ଅନୁସାରେ 1684 ମସିହାରେ ତାଳବସ୍ତ ମହାଜନ ଘର (ତେଲି ଜାତି )ର ଶିବ ସାହୁ, ଫକୀର ସାହୁ ନିଜର 15ଏକର ବିଲରେ ଲୋକଙ୍କ ବୃହତ୍ତର ସ୍ୱାର୍ଥପାଇଁ ଏହି ପୋଖରୀ ଖୋଳାଇଥିଲେ | ପରବର୍ତ୍ତୀ ସମୟରେ ଡମପଡା ରାଜା କପିଳେଶ୍ଵର ମନ୍ଦିରଙ୍କ ପାଖରେ ନିଜ ଝିଅଙ୍କ ନାମନୁସାରେ ଚମ୍ପାଦେଇ ପୋଖରୀ ଖନନ କରିଥିଲେ | ତାଳବସ୍ତ ଗ୍ରାମ ପଂଚାୟତର ସମସ୍ତ ଜନ ସାଧାରଣ ଏହି ଦୁଇଟି ପୋଖରୀରେ ନିର୍ଭର କରୁଥିଲେ ବୋଲି ବ୍ରାହ୍ମଣସାହିର ବୟୋଜଷ୍ଠ ନାଗରିକ ଭଗବାନ ଲେଙ୍କା କୁହନ୍ତି | ଗଣତନ୍ତ୍ର ଶାସନ ପରେ ମହାଜନ ଘରର ଦାୟାଦ ମାନେ ଉକ୍ତ ପୋଖରୀକୁ ତାଳବସ୍ତ ପଂଚାୟତକୁ ଦାନ କରିଥିଲେ | ପୁରାତନ ପୋଖରୀ ଅନୁସାରେ ପୂର୍ବ ରାଜ୍ୟ ସରକାରଙ୍କ ସମୟରେ ଏହାକୁ ମାନ ସରୋବର ପୋଖରୀ ଯୋଜନାରେ ସାମିଲୀ କରି 8 ଲକ୍ଷ ଟଙ୍କାର ଅନୁଦାନ (2022/23 ବର୍ଷ )ଦିଆ ହୋଇଥିଲା | କିନ୍ତୁ ସରକାର ପରିବର୍ତ୍ତନ ପରେ ପଂଚାୟତର ଦୁଇ ରାଜନୈତିକ ଗୋଷ୍ଠୀଙ୍କ ସ୍ୱାର୍ଥପାଇଁ କାମ ଆଗେଇ ପାରୁନାହିଁ ଫଳରେ ଟଙ୍କା ଫେରିଯିବାର ଶୁଣାଯାଉଛି ବୋଲି ସାମାଜିକ କର୍ମି ପ୍ରଦ୍ୟୁମ୍ନ କୁମାର ପାଲ କୁହନ୍ତି | ପୁରାତନ ପୋଖରୀର ପୂର୍ବ ସୌନ୍ଦର୍ଯ୍ୟତା ଆଉ ନାହିଁ | ପୂର୍ବ ପିଢ଼ି ଯେଉଁ ମହତ ଉଚ୍ଚ ଆକାଂକ୍ଷାମାନ ରଖି ଐତିହ୍ୟ କାମ ପୋଖରୀ,ଗାଡ଼ିଆ,ମନ୍ଦିର ମାନ କରି ଯାଇଛନ୍ତି ତାହାର ଉପଯୁକ୍ତ ସୁରକ୍ଷା ଆଜିର ଗ୍ରାମ୍ୟ ସମାଜ କିମ୍ବା ଯୁବପିଢ଼ି କରିବାରେ ଆଗ୍ରହ ରଖୁ ନାହାନ୍ତି , ଯାହାର ଉଦାହରଣ ହେଉଛି ଏହି ତାଳବସ୍ତ ମହାଜନ ଘର ପୋଖରୀ | ପୋଖରୀ ସାରା ଯୁଆଡେ ଚାହିଁବ ଖାଲି ଦଳ ଘାସ ଗଛ ପରିପୂର୍ଣ୍ଣ ରହିଛି, ଏପରିକି ଦେଖଣାହାରିଙ୍କୁ ଏକ ଖେଳ ପଡ଼ିଆ ଥିବାର ଭ୍ରମ ସୃଷ୍ଟି କରିବ | ଅସହ୍ୟ ଖରାରେ ଗୋଟେ କିଲୋମିଟର ରଣନଦୀକୁ ସବୁ ମହିଳା ଲୋକ ଯାଇ ନ ପାରି ଏହି ପୋଖରୀରୁ ଦଳ ସଫା କରି ଗାଧୋଇ ଥାନ୍ତି | ଅପରିଷ୍କାର ଜଳ ଚର୍ମ ରୋଗ ସୃଷ୍ଟି କରୁଛି | ଲୋକମାନେ ମେଡିକାଲ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି | ପୂର୍ବ ବର୍ଷ ମାନଙ୍କରେ ପଂଚାୟତର ରାଜସ୍ବ ବୃଦ୍ଦିପାଇଁ ପୋଖରୀକୁ ନିଲାମ ଧାରୀ ବ୍ୟକ୍ତିମାନେ ସମ୍ପୂର୍ଣ ଔଷଧ,ଦାନାମଳ ପକାଇ ନଷ୍ଟ କରିଦେଇଛନ୍ତି | ପୋଖରୀରେ ପୋକ, ଜୋକ ସାଲୁବାଲୁ ହେଉଛନ୍ତି | ଏ ସମ୍ପର୍କରେ ପଂଚାୟତର ସରପଞ୍ଚ ପାର୍ଥି ଅକ୍ଷୟ କୁମାର ବେହେରା କୁହନ୍ତି ଯେ ନିକଟରେ ବାଙ୍କୀର ମାନ୍ୟବର ବିଧାୟକ ଦେବି ରଞ୍ଜନ ତ୍ରିପାଠୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ | ଖରାଦିନ ଭିତରେ ପୋଖରୀ ଶୁଖାଇ ମାନସରୋବର ଯୋଜନା ଅନୁଯାୟୀ ଏନ ଆର ଜି ଏସ ସ୍କିମ(ନାମ ପରିବର୍ତ୍ତନ ହୋଇଛି )ରେ କାମ ଆରମ୍ବ ହେବ | କାର୍ଯ୍ୟ ବିଳମ୍ବତା ପାଇଁ ଡମପଡା ବିଡ଼ିଓ ଅଂଶୁମାନ କରଙ୍କ ପ୍ରତିକ୍ରିୟା ନେବାରେ କହିଥିଲେ ପୋଖରୀ ଦଳ ସଫା କରିବା କାମ ପଂଚାୟତର ବ୍ଲକ ତରଫରୁ ଖନନ ଏବଂ ସୌନ୍ଦର୍ଯ୍ୟ ପାଇଁ ବିଭିନ୍ନ ଯୋଜନାରେ ଅନୁଦାନ ଦିଆ ଯାଇଥାଏ ତଥାପି ମୁଁ ଚେଷ୍ଟା କରୁଛି ଶିଘ୍ର ସେହି ମହାଜନ ପୋଖରୀ ଦଳ ସଫା ସହିତ ଖନନ କାର୍ଯ୍ୟ ହୋଇ ଲୋକମାନଙ୍କର ସେବାରେ ଲାଗିବା ପାଇଁ | ସରପଞ୍ଚ ପ୍ରତିନିଧି ଆଲୋକ ସାହୁ କୁହନ୍ତି ଯେ ପୋଖରୀ କାମ ଅଭିଯୋଗ ସତ୍ୟ | କାର୍ଯ୍ୟ ବିଳମ୍ବ ପାଇଁ ଦୁଃଖିତ କିନ୍ତୁ ପ୍ରତ୍ୟେକ ଜନ ହିତ କାମରେ ପ୍ରତିନିଧିଙ୍କୁ ଦୋଷ ଲଦି ଦେଲେ ହେବ ନାହିଁ |ସଚେତନ ନାଗରିକମାନଙ୍କର ମଧ୍ୟ ଏଥିପ୍ରତି ଉତ୍ତର ଦାୟିତ୍ୱ ରହିଛି | ନିକଟରେ ଚମ୍ପା ଦେଇ ପୋଖରୀ ଖୋଳା କାର୍ଯ୍ୟ ପରେ ଅସହିଷ୍ଣୁ ଲୋକଙ୍କ ଆର ଟି ଆଈ ମାଗିବା ଦ୍ଵାରା ଲକ୍ଷାଧିକ ଟଙ୍କାର ବିଲ ମିଳୁନାହିଁ | ବ୍ଲକ ପ୍ରଶାସନ ଏବଂ ପଂଚାୟତ ଜନ ପ୍ରତିନିଧିଙ୍କ ଉଦାସୀନତା ପାଇଁ ପରିତ୍ୟକ୍ତ ପୋଖରୀ ଯଦି କାମ ନ ହୁଏ ତେବେ ତାଳବସ୍ତ ଗ୍ରାମବାସୀଙ୍କ ତରଫରୁ ରାସ୍ତାରୋକ ସହିତ ବାଙ୍କୀ ଉପ ଜିଲ୍ଲାପାଳଙ୍କ ପାଖରେ ଗଣ ଧାରଣା ଦିଆ ଯିବ ବୋଲି ଶ୍ରୀରାମ କମିଟି ର ସଭାପତି ବିଶ୍ୱ ରଞ୍ଜନ ସ୍ବାଇଁ ପ୍ରତିକ୍ରିୟା ଦେଇ କହିଛନ୍ତି |

Exit mobile version