Site icon Awaj Media

ମା’ ଭଗବତୀଙ୍କ ଚାପ କ୍ରୀଡ଼ା ଆରମ୍ଭ : ମାଜଣା ପୁଷ୍କରିଣୀରେ ତିନି ଦିନ ଧରି ହେବ ପ୍ରସିଦ୍ଧ ଭଉଁରୀଯାତ୍ରା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ମା’ ଭଗବତୀଙ୍କ ପୀଠରେ ଚନ୍ଦନଯାତ୍ରା । ଚନ୍ଦନ ହେଉଛି ଶୀତଳ କାରକ । ଗ୍ରୀଷ୍ମରପ୍ରଚଣ୍ଡ ରୌଦ୍ରତାପରୁ ଦେବାଦେବୀଙ୍କ ଶ୍ରୀଅଙ୍ଗକୁ ଶୀତଳ ପ୍ରଦାନ ନିମନ୍ତେ ପ୍ରତ୍ୟହ ଦିପ୍ରହର ଶଙ୍କୁଡ଼ି ଧୂପ ପରେ ଦେବାଦେବୀଙ୍କ ଚଳନ୍ତିପ୍ରତିମାଙ୍କୁ ପାଟବସ୍ତ୍ର ଓଲାଗି କରାଯାଇ ସୁକ୍ଷ୍ମବସ୍ତ୍ର ପତନୀ ପିନ୍ଧାଯାଇ ଘୋରା ଚନ୍ଦନରେ ସୁବାଷିତ ଶ୍ରୀକର୍ପୁର, ଜାଇଫଳ, ଅଗୁରୁ, ଗୋଲାପ ଜଳ ମିଶ୍ରିତ ଲେପ ପ୍ରତିମାଙ୍କ ଦେହରେ ଲେପନ କରାଯାଇ ଶରୀରକୁ ଶୀତଳ ରଖାଯାଏ ଏବଂ ଅପରାହ୍ନ ପର୍ଯ୍ୟନ୍ତ ମଲ୍ଲୀ ଜୁଇ, ଜାଇ, ଚ଼ମ୍ଫା, ଗୋଲାପ ପରି ସୁବାଷିତ ପୁଷ୍ପ ପରିବେଷ୍ଟିତ ଚନ୍ଦନ କୁଣ୍ଡ ଜଳରେ ପ୍ରତିମାଙ୍କୁ ରଖି ଶୀତଳ ମଣୋହୀ ଆଳତି ପରେ ସଂଧ୍ୟାରେ ରତ୍ନସିଂହାସନରେ ବିଜେ କରାଯାଇ ନିଶଙ୍କୁଡ଼ି ଧୂପ ଆଳତି ବଢ଼ିବା ପରେ ବଡ଼ସିଂହାର ଧୂପ ହୋଇ ପହଡ଼ ପଡ଼େ । ବୈଶାଖ ଶୁକ୍ଳ ତୃତୀୟାଠାରୁ ଆରମ୍ଭ ଏହି ଚ଼ନ୍ଦନ ଯାତ୍ରାର ଶେଷ ତିନିଦିନ ଜ୍ୟେଷ୍ଠ କୃଷ୍ଣଷଷ୍ଠୀ, ସପ୍ତମୀ, ଅଷ୍ଟମୀ ଚ଼ଳନ୍ତି ପ୍ରତିମାଙ୍କୁ ସାଂଧ୍ୟ କାଳର ଶୀତଳ ପବନ ସ୍ପର୍ଶ ନିମନ୍ତେ ମାଜଣା ପୁଷ୍କରିଣୀରେ ଜଳକ୍ରୀଡା ଚାପଯାତ୍ରା ପାଇଁ ଚ଼ନ୍ଦନଚକଡ଼ା ଠାକୁ ବିଜେ କରାଯାଏ । ସେଠାରେ ମା’ଙ୍କ ସହିତ ଶାସନ ଠାକୁର ଠାକୁରାଣୀଙ୍କୁ ପଞ୍ଚଉପଚାରରେ ଶୀତଳ ମଣୋହୀ କରାଯାଇ ସୁସଜ୍ଜିତ ନୌକାରେ ସାତଥର ନୌବିହାର ସାରି ପୁଣି ପୁଷ୍କରିଣୀ କୂଳର ଚ଼ନ୍ଦନ ଚକଡ଼ା କୁ ଓହ୍ଲାଇ ଶୀତଳ ମଣୋହୀ ଆଳତି ସାରି ଦ୍ୱିତୀୟ ନୈବିହାର ପରେ ମଧ୍ୟରାତ୍ରରେ ଦେବା ଦେବୀ ମାନେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ ପରେ ବଡ଼ସିଂହାର ଧୂପ ହୋଇ ରାତ୍ରପହୁଡ଼ ନୀତିକାନ୍ତି ହେବାର ପରମ୍ପରା କାହିଁ କେଉଁ କାଳରୁ ଚଳିଆସିଛି । ମା’ଙ୍କବାରମାସର ତେର ଯାତ୍ରା ମଧ୍ୟରୁ ପ୍ରସିଦ୍ଧ ଉଉଁରୀ ଯାତ୍ରା ଅନ୍ୟତମ । ଦେବୀ ଠାକୁରାଣୀ ବର୍ଷରେ ଦୁଇଥର ନୌବିହାର କରନ୍ତି । ଭାଦ୍ରବ ଶୁକ୍ଳ ସପ୍ତମୀରେ ଚିଲିକାରେ ନୌବିହାର ଏବଂ ଜ୍ୟେଷ୍ଠ କୃଷ୍ଣଷଷ୍ଠୀ, ସପ୍ତମୀ, ଅଷ୍ଟମୀ ତିନିଦିନ ଧରି ଗୋପାଳପୁର ଶାସନର ମାଜଣା ପୁଷ୍କରିଣୀରେ ମା’ ସାଆନ୍ତାଣିଙ୍କ ଚାପ କ୍ରୀଡ଼ା ଓ ଉଉଁରୀ ଯାତ୍ରା ସମଗ୍ର ଉତ୍କଳରେ ନିଆରା ପରମ୍ପରା ।ବାଣପୁର ଅଞ୍ଚଳର ଆଠବ୍ରାହ୍ମଣଶାସନ ମଧ୍ୟରୁ ତିନିଶାସନ ଗୋପାଳପୁର, କୋଟ ବିଦ୍ୟାଧରପୁର ସହିତ ପାଟପୁର ଶାସନବାସୀଙ୍କ ନିମନ୍ତ୍ରଣ କ୍ରମେ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ସ୍ତମ୍ଵେଶ୍ଵରୀ , ଶ୍ରୀ ଶ୍ରୀ ଦକ୍ଷେଶ୍ଵର ଦେବ, ଶ୍ରୀ ଶ୍ରୀ ଗୋପୀନାଥ ଦେବଏବଂ ଶ୍ରୀ ଶ୍ରୀରଙ୍କନାଥ ଦେବ ନିଯୋଗୀ ସେବାୟତଙ୍କ ସହିତ ଥାଟ ପଟୁଆର ଘଣ୍ଟଘଣ୍ଟା କାହାଳୀ ବାଜାରୋଷଣୀରେ ଗୋପାଳପୁର ନିକଟସ୍ଥ ମାଜଣା ପୁଷ୍କରିଣୀ କୂଳରେ ଚନ୍ଦନଚକାଡ଼ାରେ ପହଞ୍ଚିବା ପରେ ଏହି ଯାତ୍ରା ଆରମ୍ଭ ହୁଏ । ଚଳିତ ବର୍ଷ ମନ୍ଦିର ଦେବୋତ୍ତର କାର୍ଯ୍ୟାଳୟ ସହିତ ପାଟପୁର କୋଟପୁର ଓ ଗୋପାଳପୁର ଶାସନବାସୀ ଙ୍କ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ସହିତ ତିନି ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ରାମନାଟକ ଆୟୋଜନ କରାଯାଇଥିବା କଥା ମୁଖ୍ୟ ସଂଯୋଜକ ମହେଶ କୁମାର ଦାଶଙ୍କ ଠାରୁ ପ୍ରକାଶ ।

Exit mobile version