Site icon Awaj Media

ମା’ ଭଗବତୀଙ୍କ ଚାପ କ୍ରୀଡ଼ା, ସାତଦେବା ଦେବୀଙ୍କୁ ସାଥିରେ ଧରି ଭଉଁରୀ ଖେଳିଲେ ମା’ ସାଆନ୍ତାଣି !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଲୀଳାମୟୀ ଠାକୁରାଣି | ମାନବୀୟ ଲୀଳାର ପ୍ରତୀକ ପ୍ରତିଟି ପର୍ବକୁ ନିଜଇଚ୍ଛାରେ ଲୀଳାଖେଳା କରନ୍ତି ମା’ । କେତେବେଳେ ଶୋଲରୀ ପାହାଡ଼ ଚଢ଼ି ଭଉଣୀ ଘରକୁ ଯାଇ ପଣାଯାତ୍ରା କରନ୍ତିତ କେତେବେଳେ ଶାଳିଆ ନଦୀରେ ପଶି ପଦଧୌତ କରି ଅଶୋକା ଯାତ୍ରା ପାଳନ୍ତି । କେତେବେଳେ ଭାଦ୍ରବର ଝିପିଝିପି ବର୍ଷାରେ ଭିଜି ଭିଜି ଚ଼ିଲିକାର ନୀଳ ଜଳରାଶିରେ ନୌବିହାର କରନ୍ତି ତ ପୁଣି ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ର ତାପରେ ସନ୍ତାପିତ ଶରୀରକୁ ଚନ୍ଦନ ଲେପନ ସହିତ ସାଂଧ୍ୟକାଳରେ ରଘୁନାଥ ସାଗରରେ ସୁସଜ୍ଜିତ ଚାପରେ ସାତଦେବାଦେବୀଙ୍କୁ ସାଥିରେ ନେଇ ଜଳକ୍ରୀଡ଼ା କରନ୍ତି । ମା’ଙ୍କ ପୀଠର ଏଭଳି ବିଚିତ୍ର ପ୍ରାଚୀନ ପରମ୍ପରା ସମଗ୍ର ଉତ୍କଳରେ ନିଆରା କହିଲେ ଅତ୍ୟୁକ୍ତି ହେବନାହିଁ । ଜ୍ୟେଷ୍ଠ କୃଷ୍ଣ ଷଷ୍ଠୀରୁ ଆରମ୍ଭ ପ୍ରସିଦ୍ଧ ଉଉଁରୀ ଯାତ୍ରାର ଗତକାଲିଥିଲା ଦ୍ୱିତୀୟ ଦିବସ । ରଘୁନାଥ ସାଗରର ସୁଲୁସୁଲିଆସାଂଧ୍ୟପବନ ମା’ଙ୍କ ଶ୍ରୀଅଙ୍ଗକୁ ଯେତିକିଶୀତଳ ପ୍ରଦାନ କରୁଥିଲା ଅଗଣିତ ଶ୍ରଦ୍ଧାଳୁଙ୍କ ମା ଭଗବତୀଙ୍କ ଜୟଜୟକାର ଧ୍ୱନୀରେ ସାଗରର ତଟଦେଶ ଏକଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଥିଲା । ଚାପରେ ଜଗତ ଜନନୀ ମା’ ଭଗବତୀ ଦୁର୍ଗାଙ୍କ ସହିତ ମଧୁସୂଦନ ଶ୍ରୀଗୋପୀନାଥ ମାଧବ ଏହିପରି ଦୁର୍ଗାମାଧବଙ୍କୁ ଏକତ୍ର ଦର୍ଶନ କଲେ ପୁର୍ନଜନ୍ମ ହୁଏ ନାହିଁ ବୋଲି ସ୍ଥାନୀୟ ଅଞ୍ଚଳରେ ବିଶ୍ୱାସ ଅଛି । ସୁନ୍ଦର ପାଟପତନି ପରିଧାନ ସହିତ, ମନ୍ଦାର ବେଲପତ୍ର, ମଲ୍ଲୀ , ଚମ୍ପା, ପଦ୍ମ, ନାଗେଶ୍ଵର ସୁଗନ୍ଦରାଜ ,ରାଜନୀଗନ୍ଧା ର ପୁଷ୍ପମାଳଗୋଭାରେ ନାଇ ତିନି ବ୍ରାହ୍ମଣ ଶାସନର ବାଜାରୋଷଣି ଥାଟପଟୁଆର , ଛତ୍ର ତରାଶ, ଘଣ୍ଟ ଘଣ୍ଟା କାହାଳୀ ବାଦନର ତାଳେ ତାଳେ ଝୁଲି ଝୁଲି ଅପୂର୍ବ ଠାଣିରେ ସଂଧ୍ୟାରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ବିଜେ କରିଥିଲେ ମା’ସ୍ତମ୍ଵେଶ୍ଵରୀ କାଠି ଠାକୁରାଣି । ସାଥିରେ ଥିଲେ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଦେବ, ଗୋପୀନାଥଦେବ, ଶ୍ରୀରଙ୍କନାଥ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀଶ୍ରୀମଦନମୋହନ ଦେବ । ବଜାର ପରିକ୍ରମା ପରେ ଗୋପାଳପୁର ଶାସନର ଆରାଧ୍ଯ ଠାକୁର ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵରଦେବ ଅଧା ବାଟକୁ ଆସି ମା’ଙ୍କୁ ଯୋଡ଼ି ମଶାଲ ସହିତ ପୁଷ୍ପଚନ୍ଦନରେ ବନ୍ଦାପନା କରି ସସମ୍ମାନେ ଚନ୍ଦନ ଚକଡ଼ାକୁ ନିମନ୍ତ୍ରିତ କରି ନେଇଥିଲେ । ସେଠାରେ ମା’ ଠାକୁରାଣୀ ପ୍ରଥମେ ଆସନ ଗ୍ରହଣ କରିବାପରେ ଶ୍ରୀ ଶ୍ରୀ ଦକ୍ଷେଶ୍ଵର ଗୋପୀନାଥଦେବ, ଆଠଶାସନର ଆରାଧ୍ୟ ଶ୍ରୀ ଶ୍ରୀରଙ୍କ ନାଥ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀଶ୍ରୀମଦନମୋହନ ଦେବ , ଚନ୍ଦନଯାତ୍ରାର ମୁଖ୍ୟ ଆୟୋଜକ ଗୋପାଳପୁର ଶାସନର ବିଜେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ଦେବ, କୋଟ ବିଦ୍ୟାଧରପୁରର ଶାସନର ବିଜେ ଶ୍ରୀ ଶ୍ରୀନୀଳକଣ୍ଠେଶ୍ଵର ଦେବ, ପାଟପୁର ଶାସନର ବିଜେ ଶ୍ରୀ ଶ୍ରୀ କପିଳେଶ୍ଵର ଦେବ,ମା’କନକଦୁର୍ଗା ଓ ଶ୍ରୀ ଶ୍ରୀ ଗୋପୀନାଥଦେବ ଆସ୍ଥାନ ଗ୍ରହଣ କରିବା ପରେ ଦେବା ଦେବୀଙ୍କୁ ଆସନ ପୁଷ୍ପ ଚନ୍ଦନ ଦୀପ ଧୂପ ଏବଂ ଶୀତଳ ମଣୋହୀରେ ପଞ୍ଚପୋଚାରରେ ପୂଜାର୍ଚ୍ଚନା ପରେ ସୁସଜ୍ଜିତ ଚାପରେ ବିଜେ କରାଯାଇଥିଲା । ମଧ୍ୟରାତ୍ର ପର୍ଯ୍ୟନ୍ତ ଅଗଣିତ ଶ୍ରଦ୍ଧାଳୁ ମା’ଙ୍କ ଏହି ମନୋମୁଗ୍ଧକର ଯାତ୍ରା ପରିଦର୍ଶନ କରିବା ସହିତ ଗ୍ରାମବାସୀଙ୍କ ସହଯୋଗରେ ମଞ୍ଚସ୍ଥ ଆଧ୍ୟାତ୍ମିକ “ରାମନାଟକ” “ଉପଭୋଗ କରୁଥିଲେ। ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ଦେବୋତ୍ତର କାର୍ଯ୍ୟାଳୟ, ତିନି ଶାସନ ନିବାସୀ , ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ,ସ୍ଥାନୀୟ ଥାନାଧିକାରୀ ଜୟପ୍ରକାଶପରୀଡ଼ାଙ୍କ ପ୍ରତ୍ୟକ୍ଷ ସହଯୋଗରେ ଏହି ଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଥିଲା ।

Exit mobile version