Site icon Awaj Media

ସରିଲା ଭଉଁରୀ ଯାତ୍ରା : ଏକୋଇଶିପ୍ରକାର ଶୀତଳ ବ୍ୟଞନ ସେବନ କରି ପିତ୍ରାଳୟକୁ ବାହୁଡିଲେ ମା’ଭଗବତୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ଏକୋଇଶି ଦିନ ଧରି ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଚାଲିଥିବା ଚନ୍ଦନଯାତ୍ରା ଶେଷ ତିନିଦିନର ଜଳକ୍ରୀଡ଼ା ଭଉଁରୀ ରେ ଉଦଯାପିତ ହୋଇଛି । । ଏକୋଇଶିଥର ଚକ୍ରାକାରରେ ଜଳ ପରିକ୍ରମା କୁ ଭଉଁରୀ କୁହାଯାଏ ।ପରେ ଏକୋଇଶିପ୍ରକାର ଶୀତଳ ବାଞ୍ଜନରେ ମଣୋହି ହେବାର ପରମ୍ପରା ଏହି ପୀଠର ଅନନ୍ୟ ନୀତି କାନ୍ତି । ଶ୍ରୀଅଙ୍ଗକୁ ଶୀତଳ ପ୍ରଦାନ ପାଇଁ ଚନ୍ଦନ ଲେପନ ସହିତ,ପଇଡ଼, ତାଳ, ତରଭୁଜ, କାକୁଡ଼ି , ଦହି ,ନବାତ ପଣା,ପରି ଶୀତଳ କାରକ ଦ୍ରବ୍ୟ ସେବନ, ଶୀତଳ ପବନର ସ୍ପର୍ଶ ନିମନ୍ତେ ଆଲଟ ଚାମର ସେବା ସହିତ ସାଂଧ୍ୟ କାଳରେ ଜଳକ୍ରୀଡା ପରି ଶୀତଳ ଉପଚାର ଦେବାଦେବୀଙ୍କ ମାନବୀୟ ଲୀଳାର ଏକ ସୁନ୍ଦରପ୍ରତୀକ । ଭଉଁରୀ ଯାତ୍ରାର ଶେଷ ଦିବସରେ ଗୋପାଳପୁର ଶାସନ ତରଫରୁ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା କାଠିଠାକୁରାଣୀଙ୍କୁ ବିରାଟ ପଟୁଆର ବାଣରୋଷଣି ରେ ସହର ପରିକ୍ରମା କରାଯାଇ ରଘୁନାଥ ସାଗର ଚନ୍ଦନ ଚକଡ଼ାରେ ବିଜେ କରାଯାଇ ପ୍ରଥମେ ଶୀତଳ ମଣୋହି ପରେ ଅଗଣିତ ଶ୍ରଦ୍ଧାଳୁଙ୍କୁ ମା’ଙ୍କ ଦୁର୍ଲଭ ଚନ୍ଦନ ପ୍ରସାଦ ବଣ୍ଟନ କରାଯାଇଥିଲା । ସୁନ୍ଦର ରଙ୍ଗିନ ଆଲୋକ ମାଳାରେ ଝଲସି ଉଠୁଥିଲା ମନ୍ଦିର, ଚନ୍ଦନ ମଣ୍ଡପ, ପୁଷ୍କରିଣୀ ଚାରିପାଖ ।ଘଣ୍ଟା ଘଣ୍ଟକାହାଳୀ ମୃଦଙ୍ଗ ହୁଳହୁଳି ଜୟଜୟକାର ଧ୍ୱନୀର ତାଳେ ତାଳେ ନୃତ୍ୟକାରୀଙ୍କ ନୃତ୍ୟସହିତ ଦେବାଦେବୀଙ୍କୁ ଚାପରେ ବିଜେ କରାଯାଇ ଜଳକ୍ରୀଡା ଆରମ୍ଭ ହୋଇଥିଲା । ଏକୋଇଶିଥର ପରିକ୍ରମା ପରେ ଚାପରୁ ନେଇ ଚଳନ୍ତି ପ୍ରତିମାମାନଙ୍କୁ ସୁବାଷିତ ପୁଷ୍ପ ପରିବେଷ୍ଟିତ ଚନ୍ଦନ କୁଣ୍ଡରେ ମଧ୍ୟରାତ୍ର ପର୍ଯ୍ୟନ୍ତ ରଖାଯିବା ପରେ ପୁଣି ଶୀତଳ ମଣୋହୀ ଆଳତି ସାରି ଜଳସ୍ପର୍ଶ ପରେ ମା’ ଠାକୁରାଣୀ ସାତ ଦେବାଦେବୀଙ୍କ ସହିତ କୋଟ ବିଦ୍ୟାଧରପୁର ଓ ପାଟପୁର ଦେଇ ପିତ୍ରାଳୟ ଦକ୍ଷପ୍ରଜାପତି ମନ୍ଦିରକୁ ବାହୁଡି ଦହି ପଖାଳ ସାଥିରେ ବାଇଗଣ ଭଜା ର ବଡ଼ସିଂଘାର ଧୂପ ହୋଇ ଶୟନ କରିବାପରେ ଏକୋଇଶି ଦିନର ଏହି ଚନ୍ଦନଯାତ୍ରା ଶେଷ ହୋଇଥିଲା । ଚାପରେ ପଞ୍ଜାବୀ ମା’ଙ୍କୁ ଦର୍ଶନ କରି କୃପାଲାଭ ପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ବାଣପୁରର ମହାନ ଏହି ପାରମ୍ପରିକ ଯାତ୍ରାର ସଫଳତା ପାଇଁ ତିନିଶାସନ ବିଶେଷ କରି ଗୋପାଳପୁର ଶାସନର ସମସ୍ତ ଯୁବଗୋଷ୍ଠୀ, ବୁଦ୍ଧିଜୀବି ଗ୍ରାମବାସୀ ଙ୍କ କଠିନ ଶ୍ରମଦାନ ସହିତ , ମନ୍ଦିର ପ୍ରଶାସନର କର୍ମକର୍ତ୍ତା, ଦେବୋତ୍ତର କାର୍ଯ୍ୟାଳୟର କର୍ମଚାରୀ, ନିଯୋଗୀ ସେବାୟତ, ଥାନାଧିକାରୀ ଜୟପ୍ରକାଶପରୀଡ଼ା ଓ ଆରକ୍ଷୀ ବାହିନୀଙ୍କ ସହଯୋଗରେ ଏହି ପ୍ରସିଦ୍ଧ ଭଉଁରୀ ଯାତ୍ରା ଶୃଙ୍ଖଳାର ସହିତ ସମାହିତ ହୋଇଥିବା କଥା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଠାରୁ ପ୍ରକାଶ ।

Exit mobile version