Site icon Awaj Media

ସାବିତ୍ରୀ ବ୍ରତ ପାଳିଲେ ମା’ ଭଗବତୀ : ପିତା ଶ୍ରୀ ଦକ୍ଷପ୍ରଜାପତି ପଠାଇଲେ ସାବିତ୍ରୀ ଭାର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜଣେ ପତିବ୍ରତା ନାରୀ ଭାବରେ ସ୍ୱାମୀ ଦେବଦେବ ମହାଦେବଙ୍କ ସର୍ବମଙ୍ଗଳ କାମନା କରି ସାବିତ୍ରୀ ଓଷା ପାଳନ କଲେ ମା’ ଭଗବତୀ । ସେ ନିଜେ ସକଳ ଶକ୍ତିର ଆଧାର, ଜଗତ ଜନନୀ,ଶକ୍ତିମୟୀ ମଙ୍ଗଳମୟୀ, ସତୀ , ପାର୍ବତୀ, ଦୁର୍ଗା,ଦେବୀ ଭଗବତୀ ଭାବରେ ପୂଜା ପାଉଥିଲେ ମଧ୍ୟ ଉତ୍କଳର ଓଡ଼ିଆ ସଧବା ନାରୀମାନଙ୍କ ପରି ସ୍ୱାମୀଙ୍କ ମଙ୍ଗଳ ନିମନ୍ତେ ପାଳନ କରାଯାଉଥିବା ଏହି ପବିତ୍ର ଓଷା ବ୍ରତକୁ ସେ ନିଜେ ପାଳନ କରୁଥିବା ମାନବୀୟ ଲୀଳା ର ବିଚିତ୍ର ପରମ୍ପରା କେବଳ ମା’ଙ୍କ ପୀଠରେ ହିଁ ଦେଖିବାକୁ ମିଳେ । ପ୍ରତ୍ୟୁଷରୁ ଦ୍ୱାରଫିଟା, ମଙ୍ଗଳ ଆଳତୀ, ଅଙ୍ଗରାଗ ,ମହାସ୍ନାନ, ବେଶ , ମହାପ୍ରସାଦ ଅର୍ପଣ ପରେ ବଲ୍ଲଭ ଆଳତୀ, ସର୍ବସାଧାରଣ ଦର୍ଶନ, ଦିପହର ଶଂକୁଡ଼ି ଧୂପ ପରେ ପାଳିଆମାଳି ବେଶ ଓଲାଗି କରାଇ ମା’ଙ୍କୁ ତେଲହଳଦୀ ଲଗାଇ ପୁନର୍ବାର ମହାସ୍ନାନ କରାଇ ପୋଖରୀଆକୁ ଧୋପଖାଳ କରିଥିଲେ । ପିତ୍ରାଳୟ ଶ୍ରୀ ଦକ୍ଷ ପ୍ରଜାପତି ମନ୍ଦିରରୁ ଦଣ୍ଡସେଣା ନେଇ ଯାଇଥିବା ପାରମ୍ପରିକ ସାବିତ୍ରୀ ଭାରରେ ଧଳାଶାଢ଼ି, ଚୁଡ଼ି, ସିନ୍ଦୁର , ଅଳତା,କଜ୍ଵଳ ପାନିଆ,ଦର୍ପଣ, ମୁଗ, ଆମ୍ବ, ପଣସ, ନଡ଼ିଆ, ତାଳ , ଖଜୁରୀ,କଦଳୀ,କାକୁଡ଼ି , ସପୁରି, ଆଦି ବିଭିନ୍ନ ଫଳମୂଳକୁ ସଜାଡ଼ିଥିଲେ । ପାଳିଆ ମାଳି ବିଜୟ ନାୟକ ମା’ଙ୍କ ବାପଘରୁ ଆସିଥିବା ଶାଢ଼ି ଚୁଡ଼ି, ସିନ୍ଦୁର, ଅଳତା ପିନ୍ଧାଇ ଅତି ସୁନ୍ଦର ଓଡ଼ିଆଣି ବେଶରେ ବେଶକରି ନାନାଦି ଅଳଙ୍କାର ଓ ପୁଷ୍ପମାଲ୍ୟ ରେ ମଣ୍ଡନ କରିଥିଲେ । ପରେ ପରିଚ୍ଛା ପୂଜକ ସାଆନ୍ତ ପ୍ରକାଶ ମହାପାତ୍ର ମା’ଙ୍କ ପାଖରେ ମୁଗଧୁଆ, ସହିତ ସମସ୍ତ ପ୍ରକାର ଫଳମୂଳ ଠା କରି ଘଣ୍ଟା ଘଣ୍ଟ କାହାଳୀ ହୁଳହୁଳି ବାଦନରେ ମା’ଙ୍କୁ ପଞ୍ଚ ପୋଚ଼ାରରେ ଧୂପ କରି ଆଳତି ବଢ଼ାଇଥିଲେ । ଆଜିର ପବିତ୍ର ଦିନରେ ମା’ଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ସହିତ ନିଜନିଜ ସ୍ୱାମୀମାନଙ୍କ ମଙ୍ଗଳ କାମନା କରି ଆଶୀର୍ବାଦ ଭିକ୍ଷା କରିବାକୁ ଅଗଣିତ ବ୍ରତଧାରୀ ସଧବା ମା’ମାନଙ୍କ ଭିଡ଼ଦେଖିବାକୁ ମିଳିଥିଲା । ମନ୍ଦିର ଦେବୋତ୍ତର କାର୍ଯ୍ୟାଳୟ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା ।

Exit mobile version