Site icon Awaj Media

କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତିର ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ପୌର ପରିଷଦର ସଭାଗୃହରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଶତାଧିକ ସ୍ବେଚ୍ଛାସେବୀ ଙ୍କ ଉପସ୍ଥିତିରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ରାଉଳ ଉପସ୍ଥିତ ଜନସାଧାରଣଙ୍କୁ କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ସଚେତନ କରିବା ସହ କିପରି ପରିବେଶ ସୁରକ୍ଷା କରି ଏକ ସୁସ୍ଥ ସମାଜ ଗଢ଼ାଯାଇପାରିବ ସେ ବିଷୟରେ ଉଦବୋଧନ ଦେଇଥିଲେ।

ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ବର୍ଜ୍ୟବସ୍ତୁକୁ କିପରି ବ୍ୟବହାର ଯୋଗ୍ୟ କରି ରୋଜଗାରର ପନ୍ଥା ସୃଷ୍ଟି କରାଯାଇପାରିବ ସେ ସମ୍ବନ୍ଧରେ ସମସ୍ତଙ୍କୁ ସୂଚନା ଦେଇଥିଲେ। ସେହିପରି ଜଗନ୍ନାଥ ସେବା ଦଳର ଦୁର୍ଗାମାଧବ ପାଣିଗ୍ରାହୀ ରଥଯାତ୍ରା ସମୟରେ ପ୍ଲାଷ୍ଟିକ ବ୍ୟବହାର ଉପରେ ଯଥାସମ୍ଭବ ରୋକ ଲଗାଇବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୌର ପରିଷଦର ସାନିଟେସନ ଇନ୍ସପେକ୍ଟର ଧନେଶ୍ୱର ରାଓ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ରାମଚନ୍ଦ୍ର ପାଢ଼ୀ, ପ୍ରଗତି ମହିଳା ସଙ୍ଗଠନର ସଭାପତି ଲୋକନାଥ ମିଶ୍ର, ସମ୍ପାଦିକା ତନୁଜା ଶତପଥୀ, ଏ.ବି.ୱାଇ.ଏସ.ଏସ. ର ମୁଖ୍ୟ କୁମାର ରେଡ୍ଡୀ, ସମାଜ ସେବୀ ସଞ୍ଜୟ ରାଉତ, ଭାରତୀୟ ମାନବ ଅଧିକାର ପରିଷଦର ଲକ୍ଷ୍ମୀକାନ୍ତ ପାଢ଼ୀ, ସାମ୍ବାଦିକ ସୁଜିତ ପ୍ରଧାନ, ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଗୌରହରି କରସୁଧା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଜନସାଧାରଣଙ୍କୁ ପରିମଳ ତଥା ସ୍ୱଚ୍ଛତା ଉପରେ ସଚେତନ କରାଇଥିଲେ। ସର୍ବଶେଷରେ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ। ସମସ୍ତ ୱାର୍ଡର ସ୍ୱଚ୍ଛ ସାଥୀ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ କର୍ମଚାରୀଙ୍କ ମିଳିତ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମଟି ସଫଳତାର ସହ ଶେଷ ହୋଇଛି।

Exit mobile version