Site icon Awaj Media

ନିର୍ବାଚିତ ଜନ ପ୍ରତିନିଧିଙ୍କ ଉପରେ ଆକ୍ରମଣ ଘଟଣାକୁ ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ କମିଟିର ତୀବ୍ର ନିନ୍ଦା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ତିଗିରିଆ ପଞ୍ଚାୟତ ସମିତି ବୈଠକକୁ ଯାଉଥିବା ସମୟରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଆଠଗଡ଼ର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଉପରେ ସର୍ବସମ୍ମୁଖରେ ହୋଇଥିବା ଆକ୍ରମଣ ଘଟଣାକୁ ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଉଛି ।

ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ଜଣେ ବିଧାୟକ ନିଜ ସାମ୍ବିଧାନିକ ଓ ପ୍ରଶାସନିକ ଦାୟିତ୍ୱ ପାଳନ କରିବାକୁ ଯାଉଥିବା ବେଳେ ଯଦି ରାଜରାସ୍ତାରେ ଗୁଣ୍ଡା ଆକ୍ରମଣର ଶିକାର ହେଉଛନ୍ତି, ତେବେ ଏହା ରାଜ୍ୟର ଭୟଙ୍କର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ସ୍ପଷ୍ଟ କରୁଛି। ଏହି ପ୍ରକାର ଘଟଣା କେବଳ ଜଣେ ବ୍ୟକ୍ତି ବିରୋଧୀ ଆକ୍ରମଣ ନୁହେଁ, ବରଂ ଗଣତନ୍ତ୍ର, ସାମ୍ବିଧାନିକ ମୂଲ୍ୟବୋଧ ଓ ଜନମତ ଉପରେ ଏକ ସଂଗଠିତ ଆକ୍ରମଣ।

ସି.ପି.ଆଇ.(ଏମ୍) ରାଜ୍ୟ କମିଟିର ମତ ହେଉଛି ଯେ, ରାଜ୍ୟରେ ଦିନକୁ ଦିନ ରାଜନୈତିକ ହିଂସା, ଗୁଣ୍ଡାରାଜ ଓ ଅସହିଷ୍ଣୁତା ବୃଦ୍ଧି ପାଉଥିବାରୁ ସାଧାରଣ ଲୋକଙ୍କ ସୁରକ୍ଷା ଓ ଗଣତାନ୍ତ୍ରିକ ଅଧିକାର ଗଭୀର ସଙ୍କଟରେ ପଡ଼ିଛି। ଯଦି ଜଣେ ବିଧାୟକ ସୁରକ୍ଷିତ ନୁହନ୍ତି, ତେବେ ସାଧାରଣ ଜନତାଙ୍କ ସୁରକ୍ଷା କିପରି ସୁନିଶ୍ଚିତ ହେବ — ଏହି ପ୍ରଶ୍ନ ଆଜି ସମଗ୍ର ରାଜ୍ୟବାସୀଙ୍କ ମନରେ ଉଠିଛି।

ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ କମିଟି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ଅଭିଯୁକ୍ତ ଦୁର୍ବୃତ୍ତମାନଙ୍କୁ ଅବିଳମ୍ବ ଗିରଫ କରିବା, କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରାଜ୍ୟରେ ଆଇନଶୃଙ୍ଖଳା ପୁନଃସ୍ଥାପନ ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଦାବି କରୁଛି।

ଗଣତାନ୍ତ୍ରିକ ଅଧିକାର ଓ ରାଜନୈତିକ ସହିଷ୍ଣୁତାର ସୁରକ୍ଷା ପାଇଁ ସମସ୍ତ ଗଣତାନ୍ତ୍ରିକ ଶକ୍ତି ଓ ସଚେତନ ନାଗରିକମାନଙ୍କୁ ଏକତ୍ର ହେବାକୁ ସି.ପି.ଆଇ.(ଏମ୍) ଆହ୍ୱାନ ଜଣାଉଛି।

Exit mobile version