କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ନିକଟରେ ପ୍ରକାଶ ପାଇଛି ଯୁକ୍ତ ଦୁଇ କଳାର ପରୀକ୍ଷା ଫଳ | ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ଧଳାପଥର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୁନୀଲ କୁମାର ବାରିକ ଏବଂ ସୁବାସିନୀ ସେଠି ଉଭୟ 528 ନମ୍ବର (88%) ରଖି ଯୁଗ୍ମ ଟପ୍ପର ହୋଇଛନ୍ତି | ଉଭୟଙ୍କୁ ଶୁଭେଚ୍ଛା ଜଣାଇବା ଭିତରେ ଯେବେ ସୁନୀଲ କୁମାର ବାରିକଙ୍କ ଜୀବନୀ ବିଷୟରେ ଶୁଣିଲୁ, ବହୁତ ଆଶ୍ଚର୍ଯ୍ୟ ହେଲୁ | ଆଶା କରିବୁ ତାଙ୍କ ଦୈନନ୍ଦିନ ସଂଘର୍ଷମୟ ପାଠପଢ଼ାର ଜୀବନ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଆଦର୍ଶ ପାଲଟିବ | ଖୋର୍ଦ୍ଧା ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀର କାଦୁଅପଡା ଗାଁର ଜୟକୃଷ ବାରିକ ଏବଂ ବାସନ୍ତୀ ବାରିକଙ୍କ ବଡ଼ ପୁଅ ସୁନୀଲ କୁମାର | ବିବାହର ଦଶ ବର୍ଷ ପରେ ବହୁ ଦିଅଁ ଦେବତାଙ୍କ ପୂଜାରେ ବାସନ୍ତୀ ବାରିକଙ୍କ କୋଳ ମଣ୍ଡନ କରିଥିଲେ ସୁନୀଲ | ବାପା ଜୟକୃଷ୍ଣ ବାରିକ କବାଡି ବେପାରୀ କରନ୍ତି , କିନ୍ତୁ ବହୁ ଯନ୍ତ୍ରଣା ଓ ସଂଘର୍ଷ ଭିତରେ ପୁଅ ପାଇଁ ବହୁତ ସ୍ବପ୍ନ ଦେଖନ୍ତି | ସୁନୀଲ କୁମାରଙ୍କ ପାଠ ପଢିବା ଏବଂ ଖେଳକୁଦର ଆଗ୍ରହ ପାଖରେ କେବେ ହାର ମାନି ନାହାନ୍ତି ବାପା ଜୟକୃଷ୍ଣ | ଦୁଇବର୍ଷ ତଳେ ଦଶମ ବୋର୍ଡ ପରୀକ୍ଷାରେ ସୁନୀଲ ମାତ୍ର 360 ନମ୍ବର ରଖିଥିଲେ ବି ବାପା ଜୟକୃଷ୍ଣ ପୁଅ ମନରେ ଉତ୍ସାହ ଭରିଥିଲେ, ଆଗକୁ ଯୁକ୍ତ ଦୁଇ ପରୀକ୍ଷାରେ ନିଶ୍ଚିନ୍ତ ଭଲ କରିବାକୁ ଚେଷ୍ଟା ଏବେଠାରୁ ଜାରି ରଖ | ଆଜି ବାପାଙ୍କ ସ୍ବପ୍ନକୁ ପୂରଣ କରିଛନ୍ତି ସୁନୀଲ କୁମାର | ବହୁ ବର୍ଷ ଧରି ଚାଲି ଆସିଥିବା ଝିଅ ପିଲାଙ୍କ ଟପ୍ପର ପରିବର୍ତ୍ତେ ପୁଅ ପିଲାଟିଏ ମଧ୍ୟ ମହାବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ରଖି ପାରିଛନ୍ତି | ବିନା ମୋବାଇଲ ଏବଂ ଟିୟୁସନରେ କେବଳ ନିୟମିତ କଲେଜ ଯାଇ କ୍ଲାସ ଗୁଡିକ କରନ୍ତି | ନିର୍ଦ୍ଧିଷ୍ଟ ଲକ୍ଷ ଏବଂ ପରିଶ୍ରମ କଲେ ନିଶ୍ଚିନ୍ତ ଜଣେ ତାର ଆଶା ସମ୍ଭାବନାକୁ ପୂରଣ କରିପାରିବ | ଆଗକୁ ସୁନୀଲ କୁମାର ଜଣେ ଭଲ ଶିକ୍ଷକ ହେବାର ଆଶା ରଖିଛନ୍ତି | ତେଣୁ ବାଙ୍କୀ ମହାବିଦ୍ୟାଳୟରେ ଓଡ଼ିଆ ସମ୍ମାନ ରଖି ପଢିବା ସହିତ ଆଗକୁ ବି.ଇ.ଡି କରିବେ ବୋଲି କୁହନ୍ତି |
ବାପା କରନ୍ତି କବାଡି ବେପାର : ପୁଅ ହେଲେ କଲେଜ ଟପ୍ପର !!!

