Site icon Awaj Media

ପାରାଦ୍ୱୀପ ବନ୍ଦର CQ – 1 ବର୍ଥରେ ଅଘଟଣ, IPT ଡ୍ରାଇଭରଙ୍କ ମୃତ୍ୟୁ !!!

Spread the love

ପାରାଦ୍ୱୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ପାରାଦ୍ୱୀପ ବନ୍ଦରର CQ-1 ବର୍ଥରେ ଏକ ଦୁଃଖଦ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, XIN HAI HE ନାମକ ଜାହାଜ ରେ ଲୁହା ପଥର ଲୋଡିଂ କାର୍ଯ୍ୟ ଚାଲିଥିବା ସମୟରେ କ୍ରେନ ବକେଟରୁ ହଠାତ୍ କିଛି ଲୁହା ପଥର ଖସିପଡ଼ିଥିଲା । ଏହି ଲୁହା ପଥର ଗୁଡ଼ିକ OR21B-9236 ( E Group 7 ନମ୍ବର ହାଇୱା ) ଗାଡ଼ିର କ୍ୟାବିନ ଉପରେ ପଡ଼ିବାରୁ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ହାଇୱା ଗାଡ଼ିର କ୍ୟାବିନ ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଥିବା ବେଳେ ଗାଡ଼ି ଭିତରେ ଥିବା IPT ଡ୍ରାଇଭର ସରଜ ଖିଲାର ଗୁରୁତର ଭାବେ ଆହତ ହୋଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଅଘଟଣ ପରେ ବନ୍ଦର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ସହ କର୍ମଚାରୀ ଏବଂ ଶ୍ରମିକମାନଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ସ୍ଥାନୀୟ ଲୋକ ଓ ଶ୍ରମିକ ସଂଗଠନମାନେ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଲୋଡିଂ ଓ ଅନଲୋଡିଂ କାର୍ଯ୍ୟ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯାଉଛି କି ନାହିଁ ତାହାର ତଦନ୍ତ କରିବାକୁ ଦାବି ହେଉଛି । ଏପରି ଦୁର୍ଘଟଣା ପୁଣି ନଘଟିବା ପାଇଁ କଡ଼ା ସୁରକ୍ଷା ନିୟମ ଲାଗୁ କରିବାକୁ ମଧ୍ୟ ଦାବି ଉଠିଛି । ଘଟଣା ପରେ ସମ୍ପୃକ୍ତ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ତଦନ୍ତ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

Exit mobile version