Site icon Awaj Media

ପ୍ରୟାତ ଜନନେତା କମ୍ରେଡ ବିଷ୍ଣୁ ମହାନ୍ତିଙ୍କ ଅମ୍ଳାନ ସ୍ମୃତି ପ୍ରତି ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ପ୍ରବୀଣ କମ୍ୟୁନିଷ୍ଟ ନେତା ସି ପି ଆଇ (ଏମ୍) ରାଜ୍ୟ ସଂପାଦକମଣ୍ଡଳୀ ସଦସ୍ୟ ତଥା ଵିଶିଷ୍ଟ ଶ୍ରମିକ ନେତା କମ୍ରେଡ ବିଷ୍ଣୁ ମହାନ୍ତିଙ୍କ ସ୍ମୃତିରେ ଆଜି ଭୁବନେଶ୍ୱରର ବୁଦ୍ଧ ମନ୍ଦିର ସଭାଗୃହରେ ଏକ ଭାବବିହ୍ୱଳ ଓ ପ୍ରେରଣାଦାୟକ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ବାମପନ୍ଥୀ, ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ଓ ପ୍ରଗତିଶୀଳ ରାଜନୈତିକ ଧାରାର ବହୁ ବିଶିଷ୍ଟ ନେତା ଓ କର୍ମୀ ଏହି ସଭାରେ ଯୋଗଦେଇ କମ୍ରେଡ ବିଷ୍ଣୁ ମହାନ୍ତିଙ୍କ ପ୍ରତି ନିଜର ଗଭୀର ଶ୍ରଦ୍ଧା ଓ ସମ୍ମାନ ଜ୍ଞାପନ କରିଥିଲେ ।

🔴ସିପିଆଇ(ଏମ୍) ର ପୂର୍ବତନ ଓଡ଼ିଶା ରାଜ୍ୟ ସମ୍ପାଦକ କମ୍ରେଡ ଅଳି କିଶୋର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ସିପିଆଇ(ଏମ୍)ର ପୂର୍ବତନ ପଲିଟ ବ୍ୟୁରୋ ସଦସ୍ୟ ଓ ପ୍ରଖ୍ୟାତ ମାର୍କ୍ସବାଦୀ ଚିନ୍ତକ କମ୍ରେଡ ଡା. ସୂର୍ଯ୍ୟକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରୟାତ ନେତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

🔴କମ୍ରେଡ ବିଷ୍ଣୁ ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ପୁଷ୍ପାଞ୍ଜଳି ଦେବା ମାଧ୍ୟମରେ ସଭା ଆରମ୍ଭ ହୋଇଥିଲା। ପରେ କମ୍ରେଡ ଅଳି କିଶୋର ପଟ୍ଟନାୟକ ଶୋକ ପ୍ରସ୍ତାବ ଉପସ୍ଥାପନ କରିଥିଲେ, ଯାହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଉପସ୍ଥିତ ସମବେତ ସମସ୍ତ ସାଥୀମାନେ ଏକ ମିନିଟ୍ ନୀରବତା ଅବଲମ୍ବନ କରି ଦଣ୍ଡାୟମାନ ହୋଇ ପ୍ରୟାତ ନେତାଙ୍କ ପ୍ରତି ସମ୍ମାନ ଜଣାଇଥିଲେ।

🔴ମୁଖ୍ୟ ଅତିଥି କମ୍ରେଡ ଡ଼ଃ. ସୂର୍ଯ୍ୟକାନ୍ତ ମିଶ୍ର ତାଙ୍କ ଶ୍ରଦ୍ଧାଞ୍ଜଳି ଅଭିଭାଷଣରେ କହିଥିଲେ ଯେ, କମ୍ରେଡ ବିଷ୍ଣୁ ମହାନ୍ତି ଓଡ଼ିଶାର କମ୍ୟୁନିଷ୍ଟ ଆନ୍ଦୋଳନର ଅତ୍ୟନ୍ତ ନିଷ୍ଠାବାନ, ସଂଗ୍ରାମୀ ଓ ଜନପ୍ରିୟ ନେତା ଥିଲେ। ଶ୍ରମିକ, କୃଷକ, କୃଷି ଶ୍ରମିକ, ଯୁବ, ଛାତ୍ର, ମହିଳା, ଦଳିତ, ଆଦିବାସୀ ଓ ସମାଜର ସମସ୍ତ ଶୋଷିତ-ବଞ୍ଚିତ ବର୍ଗର ମୁକ୍ତି ସଂଗ୍ରାମ ପାଇଁ ସେ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ।

🔴କମ୍ରେଡ ବିଷ୍ଣୁ ମହାନ୍ତିଙ୍କ ସହ ଦୀର୍ଘ ଦିନର ସମ୍ପର୍କକୁ ସ୍ମରଣ କରି ଡା. ମିଶ୍ର କହିଥିଲେ ଯେ, ସେ ସେହି ପିଢ଼ିର କମ୍ୟୁନିଷ୍ଟ ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ, ଯେଉଁମାନେ ରାଜନୀତିକୁ କୌଣସି ପେଶା ଭାବରେ ନୁହେଁ, ବରଂ ସମାଜ ପରିବର୍ତ୍ତନର ଏକ ମହାନ ମିଶନ ଭାବରେ ଦେଖୁଥିଲେ। ବର୍ତ୍ତମାନ ସମୟରେ ଅର୍ଥବଳ, ସାମ୍ପ୍ରଦାୟିକ ମେରୁକରଣ ଓ କର୍ପୋରେଟ ପ୍ରଭାବ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିକୃତ କରୁଥିବା ବେଳେ କମ୍ରେଡ ବିଷ୍ଣୁ ମହାନ୍ତିଙ୍କ ଜୀବନ ଓ ସଂଗ୍ରାମ ଆଦର୍ଶ ପ୍ରତି ନିଷ୍ଠା, ସରଳ ଜୀବନଯାପନ, ସଚ୍ଚୋଟତା ଓ ଜନସେବାର ଏକ ଉଜ୍ଜ୍ୱଳ ଉଦାହରଣ ହୋଇ ରହିବ।

🔴ସେ କହିଥିଲେ ଯେ, କମ୍ରେଡ ବିଷ୍ଣୁ ମହାନ୍ତିଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ସାମ୍ରାଜ୍ୟବାସୀ ଯୁଦ୍ଧ ବିଭୀଷିକା,ବେକାରୀ, ଦାରିଦ୍ର୍ୟ, କୃଷି ସଙ୍କଟ, କର୍ପୋରେଟ ଶୋଷଣ ଏବଂ ସମ୍ବିଧାନିକ ମୂଲ୍ୟବୋଧ ଉପରେ ହେଉଥିବା ଆକ୍ରମଣ ବିରୋଧରେ ଜନଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବା। ସାମ୍ପ୍ରଦାୟିକତା, ଏକଛତ୍ରବାଦ ଓ ନବଉଦାରବାଦୀ ନୀତି ବିରୋଧରେ ବାମ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତିମାନଙ୍କର ବ୍ୟାପକ ଏକତା ଗଢ଼ି ତୋଳିବାକୁ ସେ ଆହ୍ୱାନ ଦେଇଥିଲେ।
ଦେଶର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସେ ସତର୍କ କରି କହିଥିଲେ ଯେ, ଗଣତନ୍ତ୍ର, ଧର୍ମନିରପେକ୍ଷତା ଓ ସଂଘୀୟ ବ୍ୟବସ୍ଥା ଅଦ୍ୱିତୀୟ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ସମ୍ବିଧାନ ଓ ଜନଅଧିକାରର ସୁରକ୍ଷା ପାଇଁ ସମସ୍ତ ପ୍ରଗତିଶୀଳ ଶକ୍ତିଙ୍କର ବ୍ୟାପକ ଏକତା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। ଯୁବପିଢ଼ି କମ୍ରେଡ ବିଷ୍ଣୁ ମହାନ୍ତିଙ୍କ ପରି ନେତାଙ୍କ ଜୀବନରୁ ପ୍ରେରଣା ଗ୍ରହଣ କରି ଏକ ଶୋଷଣମୁକ୍ତ, ସମତାଭିତ୍ତିକ ଓ ନ୍ୟାୟଭିତ୍ତିକ ସମାଜ ଗଢ଼ିବା ପାଇଁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ।

🔴ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ ସମ୍ପାଦକ କମ୍ରେଡ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଓଡ଼ିଶାରେ କମ୍ୟୁନିଷ୍ଟ ଆନ୍ଦୋଳନକୁ ସୁଦୃଢ଼ କରିବାରେ କମ୍ରେଡ ବିଷ୍ଣୁ ମହାନ୍ତିଙ୍କ ଅବଦାନ ଅତୁଳନୀୟ। ସେ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ଶ୍ରମିକ, କୃଷକ, କୃଷି ଶ୍ରମିକ ଓ ସମସ୍ତ ଶୋଷିତ ବର୍ଗର ସ୍ୱାର୍ଥ ରକ୍ଷା ପାଇଁ ଲଢ଼େଇ କରିଥିଲେ ଏବଂ ସାମ୍ପ୍ରଦାୟିକତା ଓ ସାମାଜିକ ଅନ୍ୟାୟ ବିରୋଧରେ ଦୃଢ଼ ଭାବେ ସଂଗ୍ରାମ କରିଥିଲେ।

🔴ସଭାରେ ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ସି.ପି.ଆଇ. ରାଜ୍ୟ ସମ୍ପାଦକ ଡ଼ଃ. ପ୍ରଶାନ୍ତ କୁମାର ମିଶ୍ର, ସି.ପି.ଆଇ.(ଏମ୍‌ଏଲ୍) ଲିବରେସନ୍ ନେତା ମହେନ୍ଦ୍ର ପରିଡ଼ା, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ବିଶ୍ୱାବସୁ ଦାସ, ସି.ପି.ଆଇ.(ଏମ୍‌ଏଲ୍) ରେଡ୍ଷ୍ଟାର ରାଜ୍ୟ ସମ୍ପାଦିକା ପ୍ରମିଳା, ଆଦମୀ ପାର୍ଟି ରାଜ୍ୟ ମୁଖପାତ୍ର ସନ୍ଦୀପ୍ତ ଦାସ, ସମତା କ୍ରାନ୍ତି ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାସ ସାମନ୍ତରାୟ, ସି.ପି.ଆଇ.(ଏମ୍) ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ସନ୍ତୋଷ ଦାସ, ସି.ଆଇ. ଟି. ୟୁ.ରାଜ୍ୟ ଉପସଭାପତି ଦୁଷ୍ମନ୍ତ କୁମାର ଦାସ, ଏଆଇକେଏସ୍ ରାଜ୍ୟ ସାଧାରଣ ସମ୍ପାଦକ ଯମେଶ୍ୱର ସାମନ୍ତରାୟ, ମହିଳା ନେତ୍ରୀ ପୁଷ୍ପା ଦାସ ଓ ଗଣତାନ୍ତ୍ରିକ ମହିଳା ସମିତି ର ଜାତୀୟ ସମ୍ପାଦିକା ତାପସୀ ପ୍ରହରାଜ, ଓଡ଼ିଶା କ୍ଷେତ ମଜଦୁର ୟୁନିଅନ୍ ରାଜ୍ୟ ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ପରିଡ଼ା, ଏସ୍‌ଏଫ୍‌ଆଇ ରାଜ୍ୟ ସମ୍ପାଦକ ଚନ୍ଦନ ସାହୁ, ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ ସିପିଆଇ(ଏମ୍) ନେତା ବିମାନ ମାଇତି ଓ ଟ୍ରେଡ୍ ୟୁନିଅନ୍ ନେତା ରଙ୍ଗାଚରଣ ପ୍ରଧାନ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସି. ପି. ଆଇ.(ଏମ୍) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଶିଶିର ହୁଇ, ଯୁଧିଷ୍ଠିର ବେହେରା, ବଦ୍ରୀ ନାରାୟଣ ଦାଶ, ଭୁବନେଶ୍ବର ଆଞ୍ଚଳିକ କମିଟି ସମ୍ପାଦକ ପ୍ରଦୀପ୍ତ ନାୟକ, ଶ୍ରମିକ ନେତା ପ୍ରଭାତ ପାଣିଗ୍ରାହୀ ପ୍ରମୁଖ ବହୁ ନେତୃବୃନ୍ଦ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ କହିଥିଲେ ଯେ, କମ୍ରେଡ ବିଷ୍ଣୁ ମହାନ୍ତିଙ୍କ ଜୀବନ କମ୍ୟୁନିଷ୍ଟ ଆନ୍ଦୋଳନର ସର୍ବୋତ୍ତମ ପରମ୍ପରାର ପ୍ରତୀକ ଥିଲା। ଧର୍ମନିରପେକ୍ଷତା, ଗଣତନ୍ତ୍ର, ସାମାଜିକ ନ୍ୟାୟ, ଶ୍ରେଣୀ ସଂଗ୍ରାମ ଏବଂ ଶ୍ରମଜୀବୀ ଲୋକଙ୍କ ଅଧିକାର ପାଇଁ ତାଙ୍କ ଅବିଚଳ ପ୍ରତିବଦ୍ଧତା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ହୋଇ ରହିବ।
ବକ୍ତାମାନେ ଶ୍ରମିକ, କୃଷକ, କୃଷି ଶ୍ରମିକ, ମହିଳା, ଯୁବ, ଛାତ୍ର, ଦଳିତ ଓ ଆଦିବାସୀଙ୍କ ଅଧିକାର ସୁରକ୍ଷା ପାଇଁ ଶକ୍ତିଶାଳୀ ଜନଆନ୍ଦୋଳନ ଗଢ଼ି ତୋଳିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।

🔴ବକ୍ତା ମାନେ ସାମ୍ପ୍ରଦାୟିକ ଶକ୍ତି ଓ କର୍ପୋରେଟ ସ୍ୱାର୍ଥର ବଢ଼ୁଥିବା ଅଶୁଭ ମେଣ୍ଟକୁ ସମାଲୋଚନା କରି କହିଥିଲେ ଯେ, ଏହା ଦେଶର ଗଣତାନ୍ତ୍ରିକ ଅନୁଷ୍ଠାନ, ସାମାଜିକ ସମ୍ପ୍ରୀତି ଓ ଆର୍ଥିକ ନ୍ୟାୟ ପାଇଁ ବିପଦ ସୃଷ୍ଟି କରୁଛି। ଏହାର ମୁକାବିଲା ପାଇଁ ବାମ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତିଙ୍କର ବ୍ୟାପକ ଏକତା ଗଢ଼ି ତୋଳିବା ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ସଭାରେ ଏହି ଆହ୍ୱାନ ପ୍ରତିଧ୍ୱନିତ ହୋଇଥିଲା ଯେ, ଶୋଷଣ, ସାମ୍ପ୍ରଦାୟିକତା ଓ ଏକଚ୍ଛତ୍ରବାଦୀ ନୀତି ବିରୋଧୀ ସଂଗ୍ରାମକୁ ଅଧିକ ଶକ୍ତିଶାଳୀ କରିବାକୁ ହେବ। ଜନଏକତାକୁ ମଜବୁତ କରିବା ଏବଂ ପ୍ରଗତିଶୀଳ ସାମାଜିକ ପରିବର୍ତ୍ତନର ସଂଗ୍ରାମକୁ ଆଗେଇ ନେବା ହିଁ କମ୍ରେଡ ବିଷ୍ଣୁ ମହାନ୍ତିଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତାମାନେ ମତ ଦେଇଥିଲେ। ଶେଷରେ ଉପସ୍ଥିତ ସମସ୍ତେ କମ୍ରେଡ ବିଷ୍ଣୁ ମହାନ୍ତିଙ୍କ ଆଦର୍ଶ, ମୂଲ୍ୟବୋଧ ଓ ସଂଗ୍ରାମକୁ ଆଗକୁ ନେବା ଏବଂ ଗଣତନ୍ତ୍ର, ଧର୍ମନିରପେକ୍ଷତା, ସାମାଜିକ ନ୍ୟାୟ ଓ ସମାଜବାଦ ପାଇଁ ସଂଗ୍ରାମକୁ ଅଧିକ ସୁଦୃଢ଼ କରିବାର ସାମୂହିକ ସଂକଳ୍ପ ଗ୍ରହଣ କରିଥିଲେ।

Exit mobile version